ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ‘ଏସ୍ଏମ୍ଇ ଗ୍ରୋଥଫଣ୍ଡ’ (ଏସଜିଏଫ) ଗଠନ ପାଇଁ ୧୦,୦୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ପାଣ୍ଠିର ଲକ୍ଷ୍ୟ ହେଉଛି ଭାରତର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଅଭିବୃଦ୍ଧିମୂଳକ ପୁଞ୍ଜି ଯୋଗାଡ଼ କରିବା ଏବଂ ଉତ୍ପାଦନ, ସେବା, ପ୍ରଯୁକ୍ତିବିଦ୍ୟା, ନବସୃଜନ-ଭିତ୍ତିକ କ୍ଷେତ୍ର ଓ ରଣନୈତିକ ମୂଲ୍ୟ ଶୃଙ୍ଖଳା ଭଳି କ୍ଷେତ୍ରରେ ଅଗ୍ରଣୀ ଭାରତୀୟ ଉଦ୍ୟୋଗଗୁଡ଼ିକର ଉଦୟକୁ ସୁଗମ କରିବା। କେନ୍ଦ୍ର ବଜେଟ୍ ୨୦୨୬-୨୭ର ପାରା ୨୮ ଅନୁଯାୟୀ ଏହା କରାଯାଇଛି । ୨୦୨୬-୨୭ କେନ୍ଦ୍ରୀୟ ବଜେଟରେ ସମଗ୍ର ଏମଏସଏମଇ ଇକୋସିଷ୍ଟମ ପାଇଁ ଅଂଶଧନ ପୁଞ୍ଜି, ନଗଦ ପୁଞ୍ଜି ଓ ପେସାଦାର ସହାୟତା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇ ଅନେକ ପଦକ୍ଷେପ ଘୋଷଣା କରାଯାଇଥିଲା। ଏହି ପଦକ୍ଷେପଗୁଡ଼ିକର ଏକ ଅଂଶ ଭାବେ ଏସ୍ଏମ୍ଇ ଗ୍ରୋଥ୍ ଫଣ୍ଡ୍ ପ୍ରତିଷ୍ଠା କରାଯାଉଛି।
ବର୍ତ୍ତମାନ ଅନେକ ପାଣ୍ଠି ଇକ୍ୱିଟି ସହାୟତା ପ୍ରଦାନ କରୁଥିଲେ ମଧ୍ୟ, ସେଗୁଡ଼ିକର ଅଧିକାଂଶ ପ୍ରାରମ୍ଭିକ ପର୍ଯ୍ୟାୟର ଉଦ୍ୟୋଗ ଉପରେ ଫୋକସ୍ କରିଥାନ୍ତି ଏବଂ ମୁଖ୍ୟତଃ ଲଘୁ ଉଦ୍ୟୋଗଗୁଡ଼ିକୁ ଅନ୍ତର୍ଭୁକ୍ତ କରନ୍ତି। ଫଳରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ବିକାଶ ପର୍ଯ୍ୟାୟରେ ଆବଶ୍ୟକ ଇକ୍ୱିଟି ଗ୍ରୋଥ୍ କ୍ୟାପିଟାଲର ଏକ ଢାଞ୍ଚାଗତ ଅଭାବ ରହିଛି।
ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ହାସଲ ପାଇଁ ସରକାରଙ୍କ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ଏହା ଭାରତର ଉଦ୍ୟୋଗୀ ପରିବେଶକୁ ସୁଦୃଢ଼ କରିବା, ବିକାଶ ପର୍ଯ୍ୟାୟରେ ଥିବା ଉଦ୍ୟୋଗଗୁଡ଼ିକ ପାଇଁ ଦେଶୀୟ ପୁଞ୍ଜି ବଜାରକୁ ଆହୁରି ଗଭୀର କରିବା ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରୁଥିବା ନୂଆ ପିଢ଼ିର ଭାରତୀୟ କମ୍ପାନୀ ସୃଷ୍ଟି କରିବାରେ ସହାୟକ ହେବ।
ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଭାବେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ନିଯୁକ୍ତି ସୃଷ୍ଟି, ରପ୍ତାନି, ଉତ୍ପାଦନ ଏବଂ ନବସୃଜନ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଏହି କ୍ଷେତ୍ର ପାଇଁ ଋଣ ଉପଲବ୍ଧତା ବଢ଼ିଥିଲେ ମଧ୍ୟ, ବ୍ୟବସାୟକୁ ବ୍ୟାପକ କରିବା, ନବସୃଜନ, ଅନ୍ତର୍ଜାତୀୟ ବଜାର ପ୍ରବେଶ, ଉନ୍ନତ ପ୍ରଯୁକ୍ତି ଗ୍ରହଣ, ଅନ୍ୟ କମ୍ପାନୀ ଅଧିଗ୍ରହଣ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ହେବାକୁ ଚାହୁଁଥିବା ଉଦ୍ୟୋଗଗୁଡ଼ିକ ପାଇଁ ଦୀର୍ଘମିଆଦୀ ରିସ୍କ କ୍ୟାପିଟାଲ ବା ବିପଦଯୁକ୍ତ ପୁଞ୍ଜି ଉପଲବ୍ଧତାରେ ଏବେ ମଧ୍ୟ ଏକ ଅଭାବ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ନିଅଣ୍ଟକୁ ଦୂର କରିବା ପାଇଁ ଏସ୍ଏମ୍ଇ ଗ୍ରୋଥ୍ ଫଣ୍ଡ୍ ପରିକଳ୍ପନା କରାଯାଇଛି। ଏହା ଦୃଢ଼ ବ୍ୟବସାୟିକ ସମ୍ଭାବନା ଏବଂ ବିସ୍ତାର କ୍ଷମତା ପ୍ରମାଣ କରିଥିବା ଉଚ୍ଚ ସମ୍ଭାବନାସମ୍ପନ୍ନ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଦୀର୍ଘମିଆଦୀ ଅଭିବୃଦ୍ଧିମୂଳକ ଅଂଶଧନ ପୁଞ୍ଜି ଯୋଗାଇବ।
ଏହି ପାଣ୍ଠିକୁ ଉଦ୍ୟୋଗଗୁଡ଼ିକର ବିକାଶ ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ସନ୍ଧିକ୍ଷଣରେ ସହାୟତା ପ୍ରଦାନ କରିବାକୁ ଏକ ପରିବର୍ତ୍ତନକାରୀ ଆର୍ଥିକ ଉପକରଣ ଭାବେ ପରିକଳ୍ପନା କରାଯାଇଛି। ଏସଜିଏଫର ଅଧିକାଂଶ ପାଣ୍ଠି କ୍ଷୁଦ୍ର ଓ ମଧ୍ୟମ ଉତ୍ପାଦନମୁଖୀ ଉଦ୍ୟୋଗଗୁଡ଼ିକ ପାଇଁ ବିନିଯୋଗ କରାଯିବ। ଏହା ସହିତ ଟିୟର୍-୨ ଓ ଟିୟର୍-୩ ସହରର ଶିଳ୍ପ କ୍ଲଷ୍ଟରଗୁଡ଼ିକରେ କାର୍ଯ୍ୟରତ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ମଧ୍ୟ ଏହି ପାଣ୍ଠି ବିଚାରକୁ ନେବ।
ଦୀର୍ଘମିଆଦୀ ପୁଞ୍ଜି ଯୋଗାଇ ଏହି ପଦକ୍ଷେପ ଭାରତୀୟ କ୍ଷୁଦ୍ର ଓ ମଧ୍ୟ ଶିଳ୍ପକ୍ଷେତ୍ରକୁ ବ୍ୟବସାୟିକ କାରବାର ବିସ୍ତାର, ପ୍ରଯୁକ୍ତି ଓ ଉତ୍ପାଦନ କ୍ଷମତାରେ ନିବେଶ, ଅନ୍ତର୍ଜାତୀୟ ବଜାରକୁ ପ୍ରବେଶ, ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳାରେ ସାମିଲ ଏବଂ ରଣନୈତିକ ନିବେଶ କରିବାରେ ସକ୍ଷମ କରିବ। ସରକାର ଆଶା କରୁଛନ୍ତି ଯେ ଏହି ପାଣ୍ଠି ଏପରି ଭାରତୀୟ କମ୍ପାନୀଗୁଡ଼ିକର ଏକ ଶକ୍ତିଶାଳୀ ଗୋଷ୍ଠୀ ସୃଷ୍ଟି କରିବାକୁ ତ୍ୱରାନ୍ୱିତ କରିବ, ଯେଉଁମାନଙ୍କ ପାଖରେ ନିଜ ନିଜ କ୍ଷେତ୍ରରେ ଅଗ୍ରଣୀ ଉଦ୍ୟୋଗ ଭାବେ ଉଭା ହେବା ପାଇଁ ଆବଶ୍ୟକ ବ୍ୟବସାୟିକ ପରିମାଣ, ନବସୃଜନ କ୍ଷମତା ଓ ପ୍ରତିଯୋଗିତାମୂଳକ ଦକ୍ଷତା ରହିବ।
ଏସ୍ଏମ୍ଇ ଗ୍ରୋଥ୍ ଫଣ୍ଡ୍ ପାଇଁ ସରକାରଙ୍କ ଏହି ପ୍ରତିବଦ୍ଧତା, ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଚାଲିଥିବା ବିଭିନ୍ନ ପଦକ୍ଷେପକୁ ଆହୁରି ମଜବୁତ କରିବ। ସେସବୁ ପଦକ୍ଷେପ ମଧ୍ୟରେ ରହିଛି ସଂସ୍କାର, ଡିଜିଟାଲ୍ ବ୍ୟବସ୍ଥାର ବିକାଶ, ଋଣ ସହାୟତା, ବ୍ୟବସାୟ କରିବାକୁ ସହଜ କରିବା, ସରକାରୀ କ୍ରୟ ବ୍ୟବସ୍ଥାରେ ସଂସ୍କାର, ଷ୍ଟାର୍ଟଅପ ପ୍ରୋତ୍ସାହନ ଏବଂ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଇତ୍ୟାଦି।
ଏହି ପଦକ୍ଷେପ ଅଧୀନରେ ଭାରତ ସରକାର ଏସଜିଏଫ ଫ୍ରେମଓ୍ବାର୍କ ଅଧିନରେ ଗଠିତ ବିକଳ୍ପ ନିବେଶ ପାଣ୍ଠି ବା ଅଲ୍ଟରନେଟିଭ୍ ଇନଭେଷ୍ଟମେଣ୍ଟ ଫଣ୍ଡ୍ (ଏଆଇଏଫ) ପାଇଁ ମୋଟ ୧୦,୦୦୦ କୋଟି ଟଙ୍କା ଯୋଗାଇବାକୁ ପ୍ରତିବଦ୍ଧ ହୋଇଛି। ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗଗୁଡ଼ିକୁ ଉତ୍ପାଦନ କ୍ଷମତା ବଢ଼ାଇବା, ଉନ୍ନତ ପ୍ରଯୁକ୍ତି ଗ୍ରହଣ କରିବା ଏବଂ ବ୍ୟବସାୟକୁ ବଡ଼ କରିବାରେ ସହାୟତା କରି ଏସଜିଏଫ ଭାରତୀୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଉତ୍ପାଦକତା, ବିସ୍ତାର ଓ ରପ୍ତାନି ପ୍ରତିଯୋଗିତାକ୍ଷମତାକୁ ଉନ୍ନତ କରିବା ଆଶା କରାଯାଉଛି। ଟିୟର୍-୨ ଓ ଟିୟର୍-୩ ସହର ସମେତ ବିଭିନ୍ନ ଶିଳ୍ପ କ୍ଲଷ୍ଟରରେ ନିବେଶ ହେବା ଫଳରେ ଦେଶର ସମସ୍ତ ଅଞ୍ଚଳରେ ସମାନ ଭାବେ ଶିଳ୍ପ ବିକାଶ ହୋଇପାରିବ। ଏହା ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବା ସହିତ ଭଲ ମାନର ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।
ଏହି ପଦକ୍ଷେପ ମାଧ୍ୟମରେ ସରକାର ଭାରତୀୟ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ନୂଆ ପିଢ଼ିର ପ୍ରତିଯୋଗିତାକ୍ଷମ ଉଦ୍ୟୋଗ ସୃଷ୍ଟି କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁଣିଥରେ ସ୍ପଷ୍ଟ କରିଛନ୍ତି। ଉଚ୍ଚ ବିକାଶ ସମ୍ଭାବନା ଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ନିବେଶକୁ ପ୍ରୋତ୍ସାହନ ଦେଇ ଏହି ପାଣ୍ଠି ନୂଆ ଅଗ୍ରଣୀ ଉଦ୍ୟୋଗ ସୃଷ୍ଟି, ନବସୃଜନ ଭିତ୍ତିକ ଶିଳ୍ପ ବିକାଶ ଏବଂ ଦେଶବ୍ୟାପୀ ଗୁଣାତ୍ମକ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହେବ। ଏହି ପଦକ୍ଷେପ ‘ବିକଶିତ ଭାରତ @ ୨୦୪୭’ ଲକ୍ଷ୍ୟ ପୂରଣ ଦିଗରେ ଏକ ପ୍ରମୁଖ ସ୍ତମ୍ଭ ଭାବେ କାର୍ଯ୍ୟ କରିବ।


