ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତଙ୍କୁ ଭାରତୀୟ ବାୟୁସେନା (IAF) ର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂହଙ୍କ ସ୍ଥାନ ଗ୍ରହଣ କରିବେ।
ପ୍ରାୟ ଚାରି ଦଶନ୍ଧିର ଦୀର୍ଘ ଓ ଗୌରବମୟ ସେବା କ୍ୟାରିୟର ବିଶିଷ୍ଟ ଆଶୁତୋଷ ଦୀକ୍ଷିତ, ୧୯୮୬ ମସିହା ଡିସେମ୍ବର ୬ ତାରିଖରେ ବାୟୁସେନାର ଫାଇଟର ଷ୍ଟ୍ରିମ୍ରେ ଯୋଗ ଦେଇଥିଲେ। ଜଣେ ଅଭିଜ୍ଞ ଏକ୍ସପେରିମେଣ୍ଟାଲ୍ ଟେଷ୍ଟ ପାଇଲଟ୍ ଏବଂ କ୍ୱାଲିଫାଇଡ୍ ଫ୍ଲାଇଂ ଇନ୍ଷ୍ଟ୍ରକ୍ଟର ଭାବେ ତାଙ୍କର ୩,୫୦୦ ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି। ସେ ମିରାଜ-୨୦୦୦, ମିଗ୍ର ବିଭିନ୍ନ ଭାରିଏଣ୍ଟ, ଜାଗୁଆର, ହକ୍ ଏବଂ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍ (LCA Tejas) ଭଳି ଅନେକ ପ୍ରକାରର ଯୁଦ୍ଧବିମାନ ଓ ବିମାନ ସଫଳତାର ସହ ଉଡ଼ାଇଛନ୍ତି।
ନିଜର କାର୍ଯ୍ୟକାଳ ମଧ୍ୟରେ ସେ ଅପରେସନ୍ ସଫେଦ ସାଗର, ଅପରେସନ୍ ରକ୍ଷକ, କୋପ୍ ଇଣ୍ଡିଆ ଏବଂ ଅପରେସନ୍ ସିନ୍ଦୂର ଭଳି ପ୍ରମୁଖ ସାମରିକ ଅଭିଯାନ ଓ ସମରାଭ୍ୟାସରେ ସକ୍ରିୟ ଭାଗ ନେଇଛନ୍ତି। ଭାରତୀୟ ବାୟୁସେନାରେ ସ୍ୱଦେଶୀ ବିମାନ, ବିଶେଷ କରି ‘ଏଲ୍ସିଏ ତେଜସ୍’ ପ୍ରକଳ୍ପକୁ ଆଗକୁ ବଢ଼ାଇବାରେ ତାଙ୍କର ପ୍ରମୁଖ ଯୋଗଦାନ ରହିଛି। ନୂଆ ବାୟୁସେନା ମୁଖ୍ୟ ଭାବେ ସେ କେନ୍ଦ୍ର ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ବାୟୁସେନାରେ ଆହୁରି ମଜବୁତ କରିବେ ବୋଲି ଆଶା କରାଯାଉଛି।


