ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ମ ୧୦ଟାରେ ନୂଆଦିଲ୍ଲୀର ଯଶୋଭୂମିଠାରେ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି) ର ୧୦ମ ସଂସ୍କରଣ ଉଦ୍ଘାଟନ କରିବେ। ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ସମ୍ବୋଧନ କରିବେ।
ଦୂରସଂଚାର ବିଭାଗ (ଡିଓଟି) ଓ ଭାରତୀୟ ସେଲୁଲାର ଅପରେଟର୍ସ ସଂଘ (ସିଓଏଆଇ) ପକ୍ଷରୁ ମିଳିତଭାବେ ଆୟୋଜିତ ଏହି ସମ୍ମିଳନୀ ୭ ରୁ ୧୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଆଇଏମସି ୨୦୨୬ର ବିଷୟ ହେଉଛି ‘ସୀମାହୀନ ବିସ୍ତାର’, ଯାହାକି ଡିଜିଟାଲ ନବସୃଜନ, ପରବର୍ତ୍ତୀ ପିଢିର ଯୋଗାଯୋଗ ଓ ପ୍ରଯୁକ୍ତିଭିତ୍ତିକ ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି।
ଆଇଏମ୍ସି ୨୦୨୬ର ଚାରିଟି ପ୍ରମୁଖ ସ୍ତମ୍ଭ ହେଉଛି – ସୃଷ୍ଟି: ଭବିଷ୍ୟତ ନିର୍ମାଣ; ସମ୍ବର୍ଦ୍ଧନ: ଅଭିବୃଦ୍ଧିକୁ ଗତି ପ୍ରଦାନ; ସଶକ୍ତ: ସୁଯୋଗର ସମ୍ପ୍ରସାରଣ; ଏବଂ ସୁରକ୍ଷା: ବିଶ୍ୱାସକୁ ସୁଦୃଢ଼ କରିବା। ଏଠାରେ ନବସୃଜନ ଓ ପରବର୍ତ୍ତୀ ପିଢ଼ିର ଡିଜିଟାଲ ଭିତ୍ତିଭୂମି, ପ୍ରଯୁକ୍ତିଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧି, ସମସ୍ତଙ୍କ ପାଇଁ ଡିଜିଟାଲ ଉପଲବ୍ଧତା ଏବଂ ସୁରକ୍ଷିତ ଓ ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମର ବିକାଶ ଉପରେ ଗୁରୁତ୍ୱ ଦିଆଯିବ।
ଆଇଏମ୍ସି ୨୦୨୬ରେ ବିଶ୍ୱର ଟେକ୍ନୋଲୋଜି କ୍ଷେତ୍ର ସହ ଜଡ଼ିତ ଶୀର୍ଷ ବ୍ୟକ୍ତିତ୍ବ, ନୀତି ନିର୍ଦ୍ଧାରକ, ଶିଳ୍ପ ବିଶେଷଜ୍ଞ, ଷ୍ଟାର୍ଟଅପ୍, ନିବେଶକ ଏବଂ ନବସୃଜନକାରୀମାନେ ଏକାଠି ହୋଇ ଡିଜିଟାଲ କ୍ଷେତ୍ରରେ ଉଦୀୟମାନ ସୁଯୋଗ ସମ୍ଭାବନା ଉପରେ ଆଲୋଚନା କରିବେ।
୨୦୨୬ ସଂସ୍କରଣରେ ୯ଟି ପ୍ରମୁଖ କ୍ଷେତ୍ରକୁ ସାମିଲ କରାଯାଇଛି। ସେଗୁଡ଼ିକ ହେଲା – ୫ଜି ଓ ୬ଜି, ପରବର୍ତ୍ତୀ ପିଢ଼ିର କୃତ୍ରିମ ବୁଦ୍ଧିମତ୍ତା ନେଟୱର୍କ, ସେମିକଣ୍ଡକ୍ଟର, ନନ୍-ଟେରେଷ୍ଟ୍ରିଆଲ୍ ନେଟୱର୍କ, ସାଇବର ସୁରକ୍ଷା, କ୍ୱାଣ୍ଟମ୍ ଯୋଗାଯୋଗ, ଉଦ୍ୟୋଗିକ ରୂପାନ୍ତରଣ, ସର୍କୁଲାର ଇକୋନୋମି, ଓ ଇଏସ୍ଜି ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ।
ଏହା ସହିତ, ଆଇଏମ୍ସି ଚଳିତ ବର୍ଷ ଏହାର କ୍ଷେତ୍ରଭିତ୍ତିକ ଗୁରୁତ୍ୱକୁ ୪ଟି ନୂଆ କ୍ଷେତ୍ରକୁ ସମ୍ପ୍ରସାରିତ କରିବ। ଏଗୁଡ଼ିକ ହେଲା – ସ୍ମାର୍ଟ ମୋବିଲିଟି, ଷ୍ଟାଡିୟମ୍ ଅନୁଭୂତି, ଉଦ୍ୟୋଗିକ ରୋବୋଟିକ୍ସ ଏବଂ ପରିବହନ ପ୍ରଯୁକ୍ତି।
ଆଇଏମ୍ସି ୨୦୨୬ରେ ୧୦୦ରୁ ଅଧିକ ଦେଶରୁ ୧.୫ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଏଥିରେ ୫୦୦ରୁ ଅଧିକ ସହଯୋଗୀ ଓ ପ୍ରଦର୍ଶକ, ୬୦୦ରୁ ଅଧିକ ଷ୍ଟାର୍ଟଅପ୍ ଏବଂ ୯୦୦ରୁ ଅଧିକ ବିଶେଷଜ୍ଞ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ୨,୦୦୦ରୁ ଅଧିକ ପ୍ରଯୁକ୍ତି ବ୍ୟବହାରର ଉଦାହରଣ ଏବଂ ୧୨୦ରୁ ଅଧିକ ଅଧିବେଶନ ଆୟୋଜିତ ହେବ।


