ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ମଧ୍ୟରେ ଘଟିଛି ଏକ ଦୁଃଖଦ ଘଟଣା। କଚ୍ଚା ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦେଢ଼ ବର୍ଷର ଜଣେ ଶିଶୁର ମୃତ୍ୟୁ ଘଟିଛି। ଏହି ଘଟଣାରେ ଶିଶୁର ଜେଜେମାଆ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମୀ ବ୍ଲକର ଚିଙ୍ଗୁଡ଼ିପୋଖରୀ ଗ୍ରାମରେ ଏହି ଅଘଟଣ ଘଟିଛି।
ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ମଦନ ମୋହନ ଟୁଡୁଙ୍କ ଘରର କଚ୍ଚା କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସେହି ସମୟରେ କାନ୍ଥ ତଳେ ମଦନ ମୋହନଙ୍କ ଦେଢ଼ବର୍ଷର ପୁଅ ଜୟରାମ ଟୁଡୁ ଏବଂ ତାଙ୍କ ବୃଦ୍ଧା ମାଆ ବାସନ୍ତୀ ଟୁଡୁ ଚାପି ହୋଇଯାଇଥିଲେ। କାନ୍ଥ ତଳୁ ଉଭୟଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ସେମାନଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ବାରିପଦା ନେବା ବାଟରେ ହିଁ ଦେଢ଼ ବର୍ଷର ଶିଶୁ ଜୟରାମ ଟୁଡୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
ଅନ୍ୟପଟେ ଗୁରୁତର ଆହତ ବାସନ୍ତୀ ଟୁଡୁଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି। ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶିଶୁ ଜୟରାମଙ୍କ ମୃତଦେହର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କଚ୍ଚା କାନ୍ଥ ଭୁଶୁଡ଼ି ଏଭଳି ଦୁଃଖଦ ଘଟଣା ଘଟିବା ପରେ ଗାଁରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


