ସମ୍ବଲପୁର: ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ସମ୍ବଲପୁର ଗସ୍ତ କରି ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରରେ ମା’ଙ୍କ ଆଶୀର୍ବାଦ ନେବା ସହ ସେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଛନ୍ତି। ଏହା ପୂର୍ବରୁ ରାଜ୍ୟପାଳ ଏସିଆର ବୃହତ୍ତମ ମାଟିବନ୍ଧ ହୀରାକୁଦ ଡ୍ୟାମ୍ ଓ ଏହାର ବିଶାଳ ଜଳଭଣ୍ଡାର ପରିଦର୍ଶନ କରିଥିଲେ। ମହାଳୟା ତିଥିରେ ମା’ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ଧବଳମୁଖୀ ବେଶ ଦର୍ଶନ ପାଇଁ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ରାଜ୍ୟପାଳଙ୍କ ଏହି ଗସ୍ତକୁ ନେଇ ସ୍ୱତନ୍ତ୍ର ଉତ୍ସାହ ଦେଖିବାକୁ ମିଳିଛି।
ପ୍ରକାଶ ଯେ ମା’ ସମଲେଶ୍ୱରୀ ଧବଳମୁଖୀ ବା ଗଙ୍ଗା ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ବର୍ଷ ତମାମ ମା’ ସିନ୍ଦୁର ମୁହିଁ ବେଶରେ ଦର୍ଶନ ଦେଉଥିବା ସହ ଧବଳମୁଖୀ ବେଶରେ ମଧ୍ୟ ଦର୍ଶନ ଦେଇଥାନ୍ତି। ମା’ ଏହି ବେଶରେ ଅଢେଇ ଦିନ ପର୍ଯ୍ୟନ୍ତ ରୁହନ୍ତି। ପିତୃ ପକ୍ଷର ଅନ୍ତିମ ଦିନ ମହାଳୟା ତିଥିରେ ପିତୃ ପୁରୁଷଙ୍କୁ ଜଳ ଅର୍ପଣ କଲା ପରେ ଗଙ୍ଗା ଦର୍ଶନ କରି ଗଙ୍ଗାରେ ବୁଡ଼ ଦେବାର ମାନ୍ୟତା ରହିଛି। ତେବେ ଯେଉଁମାନେ ଗଙ୍ଗା ପାଖକୁ ଯାଇ ପାରନ୍ତି ନାହିଁ ସେମାନେ ମା’ଙ୍କ ଏହି ଧବଳମୁଖୀ ବେଶକୁ ଦର୍ଶନ କରିବା ମାତ୍ରେ ଗଙ୍ଗା ସ୍ନାନର ପୁଣ୍ୟ ମିଳିଥାଏ ବୋଲି ଆଧ୍ୟାତ୍ମିକ ମାନ୍ୟତା ରହିଛି। ତେଣୁ ଏହି ଦିନରେ ମା’ ସମଲେଶ୍ୱରୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ।


