ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋରକ ଓପ୍ନର୍ ଅଭିଷେକ ଶର୍ମା ଆଉ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରାୟ ୨୦୦ର ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରି ସେ ଟି-୨୦ କ୍ରିକେଟ୍ରେ ଦ୍ରୁତତମ ୨୦୦୦ ରନ୍ ପୂରଣ କରିବାରେ ପ୍ରଥମ ଭାରତୀୟ ବ୍ୟାଟର୍ ହୋଇପାରିଛନ୍ତି। ଏହି କ୍ରମରେ ସେ ଭାରତର ତାରକା ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କ ପୂର୍ବର ରେକର୍ଡ ଭାଙ୍ଗିଛନ୍ତି।
ସୂର୍ଯ୍ୟକୁମାର ୧୧୬୪ ବଲ୍ରେ ୨୦୦୦ ରନ୍ ପୂରଣ କରିଥିବା ବେଳେ ଅଭିଷେକ ମାତ୍ର ୧୦୨୪ ବଲ୍ରେ ଏହି ସଫଳତା ହାସଲ କରିଛନ୍ତି। ତେବେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ସବୁଠୁ କମ୍ ଇନିଂସ୍ରେ ୨୦୦୦ ରନ୍ ପୂରଣ କରିବା ମାମଲାରେ ଅଭିଷେକ ବହୁ ପଛରେ ରହିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ସବୁଠୁ କମ୍ ଇନିଂସ୍ରେ ୨୦୦୦ ରନ୍ ପୂରଣର ବିଶ୍ୱ ରେକର୍ଡ ଅଷ୍ଟ୍ରିଆର କରନବୀର ସିଂହଙ୍କ ନାମରେ ରହିଛି। ସେ ମାତ୍ର ୪୫ ଇନିଂସ୍ରେ ଏହି ଉପଲବ୍ଧି ହାସଲ କରିଥିଲେ। ପୂର୍ଣ୍ଣ ସଦସ୍ୟ ଦେଶ ମଧ୍ୟରେ ଏହି ରେକର୍ଡ ପାକିସ୍ତାନର ବାବର ଆଜମ୍ ଓ ମହମ୍ମଦ ରିଜ୍ୱାନ୍ଙ୍କ ନାମରେ ରହିଛି। ସେମାନେ ୫୨-୫୨ ଇନିଂସ୍ରେ ୨୦୦୦ ରନ୍ ପୂରଣ କରିଥିଲେ। ଅଭିଷେକ ଶର୍ମା ୬୫ ମ୍ୟାଚ୍ର ୬୪ ଇନିଂସ୍ରେ ଏହି ଉପଲବ୍ଧି ହାସଲ କରିଛନ୍ତି।


