ଜୟପୁର: ରାଜସ୍ଥାନର ଭରତପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ବିଜେପିର ଜଣେ ପୂର୍ବତନ ବିଧାୟକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ୱେର୍ ଥାନା ଅଞ୍ଚଳାନ୍ତର୍ଗତ ଭୌଣ୍ଡା ଗ୍ରାମରେ ଏକ ବନ୍ଦ କ୍ରସର୍ ପ୍ଲାଣ୍ଟକୁ ପୁନର୍ବାର ଚାଲୁ କରିବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ସମୟରେ ଉତ୍କ୍ଷିପ୍ତ ଗ୍ରାମବାସୀମାନେ ପୂର୍ବତନ ବିଧାୟକ ସିଂହ ଓ ତାଙ୍କ ସହଯୋଗୀ ଗଗନ ଶର୍ମାଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ଗୁରୁତର ଭାବେ ଆହତ ହୋଇଥିବାବେଳେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା ଏବଂ ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଭରତପୁର ଓ ପରେ ଜୟପୁରସ୍ଥିତ ଏସ୍ଏମ୍ଏସ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବିଧାୟକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ପୋଲିସ ଓ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଅବହେଳାର ଅଭିଯୋଗ ଅଣାଯାଇଥିବାବେଳେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଜାରି ରହିଛି।


