ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା (ପିଏମ୍ଡିଡିକେୱାଇ)ର କାର୍ଯ୍ୟକାରିତାର ଏକ ବର୍ଷ ପୂର୍ତ୍ତି ଅବସରରେ, ୧୧ ଅକ୍ଟୋବର ୨୦୨୬ରେ ନୂଆଦିଲ୍ଲୀସ୍ଥିତ ପୁସାର ଜାତୀୟ କୃଷି ବିଜ୍ଞାନ ପରିସର (ଏନ୍ଏଏସ୍ସି)ର ଭାରତ ରତ୍ନ ସି. ସୁବ୍ରମଣ୍ୟମ୍ ସଭାଗୃହରେ ଆଜି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗର ସଚିବ, ପିଏମ୍ଡିଡିକେୱାଇ ଅଧୀନରେ ନିଯୁକ୍ତ କେନ୍ଦ୍ରୀୟ ନୋଡାଲ ଅଧିକାରୀ, କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ରାଜ୍ୟରୁ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, କୃଷି ବୈଜ୍ଞାନିକ ଓ ପ୍ରଗତିଶୀଳ ଚାଷୀଙ୍କୁ ମିଶାଇ ୩୭୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ, ପ୍ରଥମ ବର୍ଷରେ ଏହି ଯୋଜନାର ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଛି। ଆଗାମୀ ବର୍ଷରେ କ୍ଷେତ୍ରସ୍ତରରେ ଦୃଶ୍ୟମାନ ଓ ମାପଯୋଗ୍ୟ ଫଳାଫଳ ହାସଲ କରିବା ଉପରେ ଗୁରୁତ୍ୱ ଦେବାକୁ ହେବ। ସେ କୃଷି ଉତ୍ପାଦନ ବୃଦ୍ଧି, ବର୍ଷକୁ ଅଧିକ ଥର ଫସଲ ଚାଷ, ଜଳସେଚନ ଓ ଜଳ ପରିଚାଳନାକୁ ସୁଦୃଢ଼ କରିବା, କୃଷି ଋଣର ସୁବିଧା, ଅଧିକ ମୂଲ୍ୟଯୁକ୍ତ କୃଷିର ପ୍ରୋତ୍ସାହନ, ଅମଳ ପରବର୍ତ୍ତୀ ଭିତ୍ତିଭୂମିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।
ଶ୍ରୀ ଚୌହାନ କହିଥିଲେ ଯେ, ପିଏମ୍ଡିଡିକେୱାଇର ପ୍ରକୃତ ସଫଳତା କୃଷକଙ୍କ ଜୀବନରେ ଏହା କେତେ ସକାରାତ୍ମକ ପରିବର୍ତ୍ତନ ଆଣିପାରୁଛି, ତାହା ଆଧାରରେ ମାପ କରାଯିବ। ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି, ଯୋଜନାର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଏବଂ କୃଷି କ୍ଷେତ୍ରରେ ମାପଯୋଗ୍ୟ ଉନ୍ନତି ସହ କୃଷକଙ୍କ ସ୍ଥାୟୀ ଆୟ ବୃଦ୍ଧି ଉପରେ ଧ୍ୟାନ ଦେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ବିଭିନ୍ନ ସହଯୋଗୀ ମନ୍ତ୍ରଣାଳୟ ଓ ବିଭାଗର ଅଂଶଗ୍ରହଣ କୃଷି ବିକାଶ ପାଇଁ ସମଗ୍ର ସରକାରଙ୍କ ସମନ୍ୱିତ ଉଦ୍ୟମର ଗୁରୁତ୍ୱକୁ ପ୍ରତିଫଳିତ କରିଥିଲା।
ଶିବରାଜ ସିଂହ ଚୌହାନ କହିଥିଲେ ଯେ, ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନାକୁ ବାସ୍ତବ ଫଳାଫଳରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବୈଜ୍ଞାନିକ ପ୍ରତିଷ୍ଠାନ ଓ କୃଷକଙ୍କ ସହ ମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧ। ଆଗାମୀ ବର୍ଷରେ ସଫଳ ପଦକ୍ଷେପଗୁଡ଼ିକର ସମ୍ପ୍ରସାରଣ ଏବଂ ଚିହ୍ନଟ ହୋଇଥିବା ସମସ୍ତ ଜିଲ୍ଲାରେ ଉନ୍ନତ ଫଳାଫଳ ହାସଲ ଉପରେ ଗୁରୁତ୍ୱ ଦିଆଯିବ। ପିଏମ୍ଡିଡିକେୱାଇ ଅଧୀନରେ ଥିବା ସମସ୍ତ ୧୦୦ଟି ଜିଲ୍ଲାକୁ ପ୍ରକୃତ ଅର୍ଥରେ ‘ଧନ-ଧାନ୍ୟ’ ଅର୍ଥାତ୍ ଶସ୍ୟ ଓ ସମୃଦ୍ଧିରେ ଭରପୂର କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ।
ଶ୍ରୀ ଚୌହାନ ଆହୁରି କହିଥିଲେ ଯେ, ୨୦୨୬ ଅକ୍ଟୋବର ୨୨ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମସ୍ତ ରାଜ୍ୟରେ ଆୟୋଜିତ ହେବାକୁ ଥିବା ‘ଖେତ ବଚାଓ ଅଭିଯାନ’ର ଲକ୍ଷ୍ୟ ହେଉଛି ସାରର ସନ୍ତୁଳିତ ଓ ଯୁକ୍ତିସଂଗତ ବ୍ୟବହାର ମାଧ୍ୟମରେ ମୃତ୍ତିକାର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଏହାକୁ ସଫଳ କରିବା ପାଇଁ ସେ ସମସ୍ତ ରାଜ୍ୟ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଦେଇଥିଲେ। ମୃତ୍ତିକାର ଉର୍ବରତା ବଜାୟ ରଖିବା, ପରିବେଶର ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦର ସଂରକ୍ଷଣ ନିମନ୍ତେ ସ୍ଥାୟୀ କୃଷି ପଦ୍ଧତି ଆପଣାଇବାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।
ନିଜର ସ୍ୱାଗତ ଭାଷଣରେ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଏହି ଯୋଜନାର ଜିଲ୍ଲାକୈନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଏହି ଆଭିମୁଖ୍ୟ ଅନୁଯାୟୀ, ପ୍ରତ୍ୟେକ ଜିଲ୍ଲାର ମୃତ୍ତିକାର ପ୍ରକାର, ବୃଷ୍ଟିପାତ, ଫସଲ ଚାଷ ପଦ୍ଧତି, ଜଳ ଉପଲବ୍ଧତା, ଭିତ୍ତିଭୂମି ଏବଂ କୃଷକ ସମୁଦାୟର ଆବଶ୍ୟକତାକୁ ଆଧାର କରି କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଏ। ଏହି ଯୋଜନାର କାର୍ଯ୍ୟାନ୍ୱୟନରେ ରାଜ୍ୟ ସରକାର, ଜିଲ୍ଲାପାଳ, ଜିଲ୍ଲା ଶୀର୍ଷ ଅଧିକାରୀ, କେନ୍ଦ୍ରୀୟ ଶୀର୍ଷ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର (କେଭିକେ)ର ବୈଜ୍ଞାନିକ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ। ଯୋଜନାର ପରିକଳ୍ପନା ଓ କାର୍ଯ୍ୟାନ୍ୱୟନରେ ସମନ୍ୱୟ ରକ୍ଷା କରିବା ପାଇଁ ଜିଲ୍ଲା ଧନ-ଧାନ୍ୟ ସମିତିଗୁଡ଼ିକର ଗୁରୁତ୍ୱ ଉପରେ ମଧ୍ୟ ସେ ଜୋର ଦେଇଥିଲେ। ଏହି ଯୋଜନାରେ ଏକ ସ୍ୱତନ୍ତ୍ର ଡ୍ୟାସବୋର୍ଡ ମାଧ୍ୟମରେ ୧୨୧ଟି ସୂଚକ ଆଧାରରେ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ମୂଲ୍ୟାୟନ କରାଯାଉଛି। ଏଥିସହ ପ୍ରତି ମାସରେ ଜିଲ୍ଲାଗୁଡ଼ିକର ମାନ୍ୟତା ପ୍ରକାଶ କରାଯାଉଛି, ଯାହା ସ୍ୱଚ୍ଛତା ଏବଂ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରୁଛି।
ଏହି କାର୍ଯ୍ୟକ୍ରମରେ ପିଏମ୍ଡିଡିକେୱାଇ ଅଧୀନରେ ଥିବା ତିନୋଟି ଜିଲ୍ଲାର ପ୍ରତିନିଧିମାନେ ନିଜ ନିଜ ଅନୁଭୂତି ଓ ଅଭିନବ ପଦକ୍ଷେପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଗଡ଼ଚିରୋଲି ଜିଲ୍ଲା ଜଳ ସଂରକ୍ଷଣ ଓ ମରୁଡ଼ିର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇଥିବା ବେଳେ ଆଲ୍ଲୁରି ସୀତାରାମ ରାଜୁ ଜିଲ୍ଲା ଅଧିକ ମୂଲ୍ୟଯୁକ୍ତ ଉଦ୍ୟାନ କୃଷିର ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଦେଇଥିଲା। ସେହିପରି ବାଙ୍କା ଜିଲ୍ଲା ପକ୍ଷରୁ ‘ଲିଲାବରଣ ପ୍ରାକୃତିକ କୃଷି ଜମି ପୁନରୁଦ୍ଧାର ମଡେଲ୍’ ଉପସ୍ଥାପନ କରାଯାଇଥିଲା। ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଗ୍ରହଣ କରାଯାଉଥିବା ପଦକ୍ଷେପ, ବିଭିନ୍ନ ଯୋଜନାର ସମନ୍ୱୟ ଓ କୃଷକଙ୍କ ଅଂଶଗ୍ରହଣ ମାଧ୍ୟମରେ କୃଷି କ୍ଷେତ୍ରର ସମସ୍ୟାର ସମାଧାନ କରିବା ସହ ଅନ୍ୟ ଜିଲ୍ଲାରେ ମଧ୍ୟ ଅନୁକରଣୀୟ ସମାଧାନ ବାହାର କରାଯାଇପାରିବ ବୋଲି ଏହି ଉପସ୍ଥାପନାଗୁଡ଼ିକରୁ ଜଣାପଡ଼ିଥିଲା।
ଏହି ଅବସରରେ ପିଏମ୍ଡିଡିକେୱାଇ ଅଧୀନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସାମଗ୍ରିକ ଭାବେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିଥିବା ଜିଲ୍ଲା ମଧ୍ୟରେ ବିହାରର ଗୟା ପ୍ରଥମ, ରାଜସ୍ଥାନର ନାଗୌର ଦ୍ୱିତୀୟ ଏବଂ ମଧ୍ୟପ୍ରଦେଶର ଉମରିଆ ତୃତୀୟ ସ୍ଥାନ ହାସଲ କରିଥିଲା। ଏହା ବ୍ୟତୀତ ଯୋଜନାର ଛଅଟି ପ୍ରମୁଖ ଲକ୍ଷ୍ୟ ଅନୁଯାୟୀ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୮ଟି ଜିଲ୍ଲାକୁ ସମ୍ମାନିତ କରାଯାଇଥିଲା।
କୃଷି ଉତ୍ପାଦକତା ବୃଦ୍ଧି ପାଇଁ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର, ଉତ୍ତରପ୍ରଦେଶର ଚିତ୍ରକୂଟ ଏବଂ ସିକ୍କିମର ଗେୟଜିଂ ଜିଲ୍ଲାକୁ ସମ୍ମାନିତ କରାଯାଇଥିଲା। ଫସଲ ବିବିଧତା ଓ ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହନ ପାଇଁ ଉତ୍ତରପ୍ରଦେଶର ମହୋବା, ମଧ୍ୟପ୍ରଦେଶର ଡିଣ୍ଡୋରି ଏବଂ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାକୁ ସ୍ୱୀକୃତି ଦିଆଯାଇଥିଲା। ଅମଳ ପରବର୍ତ୍ତୀ ସଂରକ୍ଷଣ କ୍ଷମତା ବୃଦ୍ଧି କ୍ଷେତ୍ରରେ ମଧ୍ୟପ୍ରଦେଶର ଟିକମଗଡ଼ ଓ ସିଧି ଏବଂ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାକୁ ସମ୍ମାନିତ କରାଯାଇଥିଲା। ଜଳସେଚନ ଭିତ୍ତିଭୂମିର ଉନ୍ନତି ପାଇଁ ଜମ୍ମୁ-କଶ୍ମୀରର କିସ୍ତୱାଡ଼, ଗୁଜରାଟର ଦାହୋଦ ଓ ଛୋଟା ଉଦୟପୁର ଜିଲ୍ଲାକୁ ସ୍ୱୀକୃତି ମିଳିଥିଲା। ସେହିପରି ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ କୃଷି ଋଣର ସୁବିଧା ବୃଦ୍ଧି କ୍ଷେତ୍ରରେ ତେଲେଙ୍ଗାନାର ନାରାୟଣପେଟ, ଉତ୍ତରପ୍ରଦେଶର ଜାଲୌନ ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାକୁ ସମ୍ମାନିତ କରାଯାଇଥିଲା। ଉନ୍ନତ ପ୍ରଶାସନ ଓ ସେବା ପ୍ରଦାନ କ୍ଷେତ୍ରରେ ତେଲେଙ୍ଗାନାର ନାଗର କର୍ଣ୍ଣୁଲ, ଗୁଜରାଟର କଚ୍ଛ ଏବଂ କର୍ଣ୍ଣାଟକର ହାଭେରୀ ଜିଲ୍ଲାକୁ ସ୍ୱୀକୃତି ଦିଆଯାଇଥିଲା। କୃଷି ବିକାଶ କ୍ଷେତ୍ରରେ ଜିଲ୍ଲାସ୍ତରରେ କରାଯାଇଥିବା ଉଦ୍ୟମକୁ ସ୍ୱୀକୃତି ଦେବା ସହ ଅନ୍ୟ ଜିଲ୍ଲାଗୁଡ଼ିକୁ ଅଭିନବ ପଦ୍ଧତି ଆପଣାଇବା ଏବଂ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିବା ଏହି ସମ୍ମାନ ପ୍ରଦାନର ଉଦ୍ଦେଶ୍ୟ ଥିଲା।
ସମାବେଶୀ ଓ ସ୍ଥାୟୀ କୃଷି ବିକାଶ ପାଇଁ ଜିଲ୍ଲାସ୍ତରୀୟ ଯୋଜନା ପ୍ରସ୍ତୁତିକୁ ସୁଦୃଢ଼ କରିବା, ଅଭିନବ ପଦକ୍ଷେପକୁ ପ୍ରୋତ୍ସାହନ ଦେବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକର ପ୍ରଭାବଶାଳୀ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ନୂତନ ସଂକଳ୍ପ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ପ୍ରଥମ ବର୍ଷର ସଫଳତାକୁ କୃଷକଙ୍କ ପାଇଁ ପ୍ରତ୍ୟକ୍ଷ ଲାଭରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ କୃଷି ଉତ୍ପାଦକତା ବୃଦ୍ଧି, ଜଳବାୟୁ ଓ ଅନ୍ୟାନ୍ୟ ଆହ୍ୱାନର ମୁକାବିଲା କରିପାରୁଥିବା କୃଷି ପଦ୍ଧତି ଗ୍ରହଣ କରିବା, ଭିତ୍ତିଭୂମିର ବିକାଶ ଏବଂ ଆନୁଷ୍ଠାନିକ ଋଣର ସୁବିଧା ବୃଦ୍ଧି ଉପରେ ଜୋର ଦିଆଯାଇଥିଲା। ପିଏମ୍ଡିଡିକେୱାଇର ଲକ୍ଷ୍ୟ ହାସଲ କରିବା ଏବଂ ଚିହ୍ନଟ ହୋଇଥିବା ୧୦୦ଟି ଜିଲ୍ଲାକୁ କୃଷି ପ୍ରଗତି, ସମୃଦ୍ଧି ଓ କୃଷକ କଲ୍ୟାଣର ଆଦର୍ଶ ଜିଲ୍ଲାରେ ପରିଣତ କରିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବୈଜ୍ଞାନିକ ଅନୁଷ୍ଠାନ ଓ କୃଷକ ସମୁଦାୟ ସହ ଘନିଷ୍ଠ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ପୁନର୍ବାର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା (ପିଏମ୍ଡିଡିକେୱାଇ) ୨୦୨୫ ଅକ୍ଟୋବର ୧୧ ତାରିଖରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ଏହି ଯୋଜନାର ଲକ୍ଷ୍ୟ ହେଉଛି କୃଷି ଉତ୍ପାଦନ ବୃଦ୍ଧି କରିବା; ଫସଲ ବିବିଧକରଣ ଓ ନିରନ୍ତର କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା; ପଞ୍ଚାୟତ ଓ ବ୍ଲକ ସ୍ତରରେ ଅମଳ-ପରବର୍ତ୍ତୀ ସଂରକ୍ଷଣ ସୁବିଧା ସମ୍ପ୍ରସାରିତ କରିବା; ଜଳସେଚନ ଭିତ୍ତିଭୂମିର ଉନ୍ନତି ସାଧନ କରିବା; ଏବଂ ଦୀର୍ଘମିଆଦୀ ତଥା ସ୍ୱଳ୍ପମିଆଦୀ ଋଣର ଉପଲବ୍ଧତା ସୁନିଶ୍ଚିତ କରିବା।
ଏହି ଯୋଜନାରେ ୧୧ଟି ମନ୍ତ୍ରଣାଳୟ ଓ ବିଭାଗର ୩୬ଟି କେନ୍ଦ୍ରୀୟ ଯୋଜନା ସହ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକୁ ଏକ ସମନ୍ୱିତ ଢାଞ୍ଚାରେ ସାମିଲ କରାଯାଇଛି। ଏହାଦ୍ୱାରା ପ୍ରତ୍ୟେକ ଜିଲ୍ଲାର ନିର୍ଦ୍ଦିଷ୍ଟ କୃଷି ଆବଶ୍ୟକତା ଓ ପ୍ରାଥମିକତା ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି।


