ଭୁବନେଶ୍ୱର: ବଦଳିଛନ୍ତି ଓଡ଼ିଶାର ରାଜ୍ୟପାଳ। ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହୋଇଛନ୍ତି ବ୍ରଜମୋହନ ରାମ। ତେବେ ଓଡ଼ିଶା ସହ ୬ଟି ରାଜ୍ୟର ରାଜ୍ୟପାଳ ପରିବର୍ତ୍ତନ ହୋଇଛନ୍ତି। ସିକ୍କିମ, କେରଳମ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ତାମିଲନାଡୁର ରାଜ୍ୟପାଳ ବଦଳିଛନ୍ତି। ଏନେଇ ସୋମବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଅନ୍ୟପକ୍ଷରେ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ବ୍ରଜ ମୋହନ ରାମଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ଏକ ସମୃଦ୍ଧ, ଅନ୍ତର୍ଭୁକ୍ତ ଏବଂ ବିକଶିତ ଓଡ଼ିଶା ଗଠନ ପାଇଁ ଆମର ସାମୂହିକ ପ୍ରୟାସରେ ତାଙ୍କର ମାର୍ଗଦର୍ଶନ ଏବଂ ସହଯୋଗକୁ ମୁଁ ଆଶା କରୁଛି। ତାଙ୍କର କାର୍ଯ୍ୟକାଳ ଜନସେବାର ଭାବନା ଏବଂ ଆମ ଲୋକଙ୍କ ଆଶାଆକାଂକ୍ଷାକୁ ଆହୁରି ମଜଭୁତ କରୁ। ତାଙ୍କର ଏକ ସଫଳ ଏବଂ ସନ୍ତୋଷଜନକ କାର୍ଯ୍ୟକାଳ ପାଇଁ ମୋର ଶୁଭେଚ୍ଛା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଝାଡ଼ଖଣ୍ଡ ବିଜେପିର ପୂର୍ବତନ ସାଂସଦ ହେଉଛନ୍ତି ବ୍ରଜମୋହନ ରାମ। ସେ ଝାଡ଼ଖଣ୍ଡର ପାଲାମୁ ଲୋକସଭା ଆସନରୁ ବିଜେପି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୧୯୯୬ରୁ ୨୦୦୪ ପର୍ଯ୍ୟନ୍ତ ସେ ସାଂସଦ ଥିଲେ। ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ସେ କ୍ରମାଗତ ଭାବେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ଲୋକସଭା ସାଂସଦ ହେବା ପୂର୍ବରୁ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ। ଏହା ସହିତ ସେ ଝାଡ଼ଖଣ୍ଡରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ୧୯୫୮ ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାଠାରେ ତାଙ୍କର ଜନ୍ମ। ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ୧୯୮୧ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ରାଜନୀତି ସହିତ ସେ କୃଷି କାର୍ଯ୍ୟ ସହ ମଧ୍ୟ ଜଡ଼ିତ ରହିଛନ୍ତି। ଏପର୍ଯ୍ୟନ୍ତ ଡକ୍ଟର ହରିବାବୁ କମ୍ଭମପାଟି ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ତୁଲାଉଥିଲେ। ଡ଼. ହରି ବାବୁ କମ୍ଭମପାଟିଙ୍କୁ ୨୪ ଡିସେମ୍ବର ୨୦୨୪ରେ ରାଷ୍ଟ୍ରପତି ଭବନ ପକ୍ଷରୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ସେ ୩ ଜାନୁଆରୀ ୨୦୨୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ଏବେ ବ୍ରଜମୋହନ ରାମ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ।
ଅନ୍ୟପକ୍ଷରେ ସିକ୍କିମ, କେରଳମ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ତାମିଲନାଡୁର ରାଜ୍ୟପାଳ ବଦଳିଛନ୍ତି। ସିକ୍କିମ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମର ରାଜ୍ୟପାଳ ଏବଂ କେରଳମର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ଡକ୍ଟର ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡକ୍ଟର ଢାଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।
ରାଷ୍ଟ୍ରପତି ଭବନର ସୂଚନା ଅନୁସାରେ, ନୂଆ ରାଜ୍ୟପାଳମାନଙ୍କ ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ନାହିଁ। ସମ୍ପୃକ୍ତ ରାଜ୍ୟରେ ସେମାନେ ଆନୁଷ୍ଠାନିକ ଭାବେ ଶପଥ ନେଇ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ତେବେ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ କେବେ ଶପଥ ଗ୍ରହଣ କରିବେ, ସେନେଇ ବିସ୍ତୃତ କାର୍ଯ୍ୟସୂଚୀ ସାମ୍ନାକୁ ଆସିନାହିଁ।


