ନୂଆଦିଲ୍ଲୀ:ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ବଡ଼ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। କରାଚିରୁ ପେଶାୱର ଯାଉଥିବା ‘ରେହମାନ ବାବା ଏକ୍ସପ୍ରେସ୍’ ଶେର ଶାହ ନିକଟରେ ଲକ୍ଚ୍ୟୁତ ହେବାରୁ ଅନ୍ୟୂନ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ମୁଲତାନର ନିଶ୍ତର ହସ୍ପିଟାଲକୁ ପଠାଯାଇଛି। ପାକିସ୍ତାନ ରେଳବାଇର ମୁଖପାତ୍ର କାଲିମ ଅଖତର ଏହି ଘଟଣାର ସୂଚନା ଦେଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯାଗାଇଦେବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘ ଦିନର ଅବହେଳା, ପୁରୁଣା ରେଳଧାରଣା ଏବଂ ସଙ୍କେତ ବ୍ୟବସ୍ଥାରେ ତ୍ରୁଟି ଯୋଗୁ ପାକିସ୍ତାନରେ ପ୍ରାୟତଃ ଏଭଳି ଟ୍ରେନ୍ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।


