ଲକ୍ଷ୍ନୌ: ନୂଆଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କ ବିରୋଧରେ ଚାଲିଥିବା ପ୍ରତିବାଦକୁ ନେଇ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଡ଼ା ସମାଲୋଚନା କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରି ବାଂଲାଦେଶ ଭଳି ବେଆଇନ ଭାବେ ସରକାର ବଦଳାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ସଂଗୀନ ଅଭିଯୋଗ ଆଣିଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜନାଥ ସିଂହ କହିଛନ୍ତି ଯେ, ନିର୍ବାଚନୀ ସୁଧାର ଏବଂ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ପୁନଃ ନିରୀକ୍ଷଣ ପ୍ରକ୍ରିୟା ବାହାନାରେ ଯୁବପିଢ଼ିଙ୍କୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଉଛି।
ଦେଶରେ ଅରାଜକତା ଏବଂ ବିଶୃଙ୍ଖଳା ସୃଷ୍ଟି କରି ଶାସନ ହାତେଇବା ପାଇଁ ଏହା ଏକ ଗଭୀର ଷଡ଼ଯନ୍ତ୍ର। କିଛି ନେତା ଖୋଲାଖୋଲି ଭାବେ ବାଂଲାଦେଶ ଘଟଣାରୁ ପ୍ରେରଣା ପାଇଥିବା ସ୍ୱୀକାର କରୁଛନ୍ତି, ଯାହା ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରିବାର ଚକ୍ରାନ୍ତକୁ ସ୍ପଷ୍ଟ କରୁଛି। ଏହି ସଂଗ୍ରାମ ଦେଶର ଯୁବକମାନଙ୍କ ଭବିଷ୍ୟତ କିମ୍ବା ନିର୍ବାଚନୀ ସୁଧାର ପାଇଁ ନୁହେଁ, ବରଂ ଅରାଜକତା ଫେରାଇ କ୍ଷମତା ଦଖଲ କରିବା ପାଇଁ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ନିଶାଣ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, କ୍ଷମତା ଲୋଭରେ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ବଳି ପକାଯାଇପାରିବ ନାହିଁ। ମିଥ୍ୟା ଅଭିଯୋଗ ଏବଂ ଭ୍ରାନ୍ତ ପ୍ରଚାର ମାଧ୍ୟମରେ ଦେଶର ବିକାଶ ଯାତ୍ରାକୁ ଅଟକାଇବାକୁ ଚେଷ୍ଟା କରାଯାଉଛି। ରାହୁଲ ଗାନ୍ଧୀ ଜନମତକୁ ସମ୍ମାନ ଦେବା ସହ ନିଜ ରାଜନୈତିକ ଭୂମିକାର ଆତ୍ମସମୀକ୍ଷା କରିବା ଉଚିତ। ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାକୁ ନେଇ ଆଣିଥିବା ଅଭିଯୋଗକୁ ନାକଚ କରି ରାଜନାଥ ସିଂହ କହିଛନ୍ତି ଯେ, ଗୋଟିଏ ପଟେ ସେ ୭୦ ବର୍ଷର ମହିଳା ଦୁଇଟି ସ୍ଥାନରେ ଭୋଟର ଥିବା କହୁଛନ୍ତି ତ ଅନ୍ୟପଟେ ୩୫ ବର୍ଷର ମହିଳାଙ୍କୁ ୧୨୪ ବର୍ଷର ଭୋଟର ବୋଲି ଅଭିଯୋଗ କରୁଛନ୍ତି। ତେବେ ଏହି ସବୁ ଦାବିର କୌଣସି ପ୍ରମାଣ ନଥିବାରୁ କଂଗ୍ରେସ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଆବେଦନ କରାଯାଇନାହିଁ। ଅନ୍ୟପଟେ ଉତ୍ତର ପ୍ରଦେଶ ଭାରତୀୟ ଜନତା ପାର୍ଟି ସଭାପତି ପଙ୍କଜ ଚୌଧୁରୀ ମଧ୍ୟ ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ଚାଲିଛି ବୋଲି ଅଭିଯୋଗ କରିଛନ୍ତି। ସମାଜବାଦୀ ପାର୍ଟିର ସହଯୋଗ ବିନା ରାହୁଲ ଗାନ୍ଧୀ ନିଜର ନିର୍ବାଚନ ମଣ୍ଡଳୀ ରାୟବରେଲୀରୁ ମଧ୍ୟ ଜିତିବାର ସାମର୍ଥ୍ୟ ରଖନ୍ତି ନାହିଁ ବୋଲି ରାଜନାଥ ସିଂହ ପ୍ରଶ୍ନ କରିଛନ୍ତି।


