ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ରେଞ୍ଜ ପେଣ୍ଠବାହାଳ ଜଙ୍ଗଲରେ ଏକ ଦନ୍ତା ହାତୀ ଗୁରୁତର ଆହତ ହୋଇ ବୁଲୁଥିବାର ଦେଖିବାକୁ ମିଳିଛି। ହାତୀଟି ବୁଲୁଥିଲେ ମଧ୍ୟ ବନ ବିଭାଗର ଡାକ୍ତର ଟିମ ଏ ପର୍ଯ୍ୟନ୍ତ ପହଂଚି ପାରି ନାହାନ୍ତି।
ସୂଚନାରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ପେଣ୍ଠବାହାଳ ନିକଟ ଜଙ୍ଗଲ ତଥା ଆଦର୍ଶ ବିଦ୍ୟାଳୟ ପାଖାପାଖି ଆହତ ହାତିଟି ବୁଲୁଥିବାର ଛେଳି ଚରାଳି ମାନେ ଦେଖି ବାକୁ ପାଇଥିଲେ। କିଛି ଛେଳି ଚରାଳି ମଧ୍ୟ ଭିଡିଓ ଉତ୍ତୋଳନ କରି କିଛି ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଖବର ଦେଇଥିଲେ। ହାତୀର ଆଗ ବାମ ଗୋଡ଼ରେ ଗୁଳି ବାଜିଥିବା ଆଶଙ୍କା କରାଯାଉଛି।
ବନ କର୍ମଚାରୀଙ୍କୁ ପଚାରିବାରୁ ହାତିଟି ଜଙ୍ଗଲରେ କାଚ ହେଉ ବା କୌଣସି କାଠ ଖୁଣ୍ଟି ମାଡିଦେଇ ଥାଇପାରେ ବୋଲି ପ୍ରକାଶ କରିଛନ୍ତି। ଭିଡିଓରୁ ଯାହା ଜଣା ପଡୁଛି ହାତିଟି ଏତେ ଗୁରୁତର ଅଛି ଯେ, ସେ ଧୀରେ ଧୀରେ ଛୋଟେଇ ଛୋଟେଇ ଚାଲୁଛି। ସେ କୌଣସି ଲୋକଙ୍କୁ ଦୌଡ଼ାଇବାକୁ ତାର ସାହସ ମଧ୍ୟ ନାହିଁ। ହାତୀକୁ ବଞ୍ଚାଇବା ପାଇଁ ବନବିଭାଗର କୌଣସି ଡାକ୍ତରୀ ଟିମ ଏପର୍ଯ୍ୟନ୍ତ ହାତୀ ପାଖରେ ପହଞ୍ଚିନଥିବା ଅଭିଯୋଗ ହୋଇଛି।


