ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକ ଋଚା ପାରାଶର ଆପରାଧିକ ଅଭିଯୋଗ ଦାଖଲ କରିଛନ୍ତି। ସେ ନୂଆଦିଲ୍ଲୀ ଜିଲ୍ଲା DCP ଙ୍କୁ ଅଭିଯୋଗ ପତ୍ର ଦେଇ ତୁରନ୍ତ FIR ରୁଜୁ କରିବାକୁ ଦାବି କରିଛନ୍ତି।
କଣ ଅଭିଯୋଗ?:
ଅଭିଯୋଗ ଅନୁସାରେ, ୧୨ ଅକ୍ଟୋବର ୨୦୨୬ ରେ ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀଙ୍କ ପ୍ରଦର୍ଶନର ରିପୋର୍ଟିଂ ସମୟରେ ତାଙ୍କ ସହ ଦୁର୍ବ୍ୟବହାର, ଧମକ ଏବଂ ଆପରାଧିକ ବଳ ପ୍ରୟୋଗ କରାଯାଇଥିଲା। ଋଚା କହିଛନ୍ତି ଯେ, ରାହୁଲ ଗାନ୍ଧୀ ତାଙ୍କୁ କାନ୍ଧ ଧରି ଟାଣିଥିଲେ ଏବଂ ତାଙ୍କ ସୁରକ୍ଷାକର୍ମୀମାନେ ଧକ୍କା ଦେଇଥିଲେ। ସେ ସିଡ଼ିରୁ ଖସି ପଡ଼ିଥିଲେ, ଫୋନ୍ ଭାଙ୍ଗି ଯାଇଥିଲା। ସେ ସେତେବେଳେ ୩ ମାସର ଗର୍ଭବତୀ ଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
କେଉଁ ଧାରାରେ କାର୍ଯ୍ୟାନୁଷ୍ଠାନ ଦାବି?:
ଅଭିଯୋଗରେ BNS ୨୦୨୩ ର ଧାରା ୭୪, ୧୧୫(୨), ୧୩୧, ୧୨୫ ଏବଂ ୩(୫) ଅଧୀନରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଧାରା ୭୪ – ମହିଳାଙ୍କ ମର୍ଯ୍ୟାଦା ଭଙ୍ଗ ଉଦ୍ଦେଶ୍ୟରେ ଆକ୍ରମଣ, ଧାରା ୧୧୫(୨) – ଜାଣିଶୁଣି ଆଘାତ ପହଞ୍ଚାଇବା, ଧାରା ୧୩୧, ଧାରା ୧୨୫ – ଜୀବନ ପ୍ରତି ବିପଦ ସୃଷ୍ଟି କରିବା।
ସୁପ୍ରିମକୋର୍ଟରେ ବି ମାମଲା:
ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ FIR ଦାବି କରି ଆବେଦନ ହୋଇଛି। ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ୨୬ ଅକ୍ଟୋବରକୁ ଶୁଣାଣି ପାଇଁ ରାଜି ହୋଇଛନ୍ତି। CCTV ଫୁଟେଜ୍ ସୁରକ୍ଷିତ ରଖିବାକୁ ମଧ୍ୟ ଦାବି ହୋଇଛି ।କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିଛି।


