ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁଆଳୋ ବା ପ୍ରାଚୀନ କୋଦାଳକ ଗଡ଼ସ୍ଥିତ ଖ୍ରୀଷ୍ଟୀୟ ନବମ ଶତାବ୍ଦୀର ପ୍ରସିଦ୍ଧ ଅଷ୍ଟଶମ୍ଭୁ ମନ୍ଦିର ପରିସରରେ ଥିବା କନକ ଦୁର୍ଗା ମନ୍ଦିର ସମ୍ମୁଖରୁ ଏକ ଅତ୍ୟନ୍ତ ପ୍ରାଚୀନ ବୀରଶିଳା ଚିହ୍ନଟ ହୋଇଛି। ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ୱରେ ଅବସ୍ଥିତ ଏହି ପୀଠରେ କଟକସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ତଥା ଗବେଷକ ମହିତୋଷ ଗୋପାଲ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ଜୟନ୍ତୀ ଦୋରାଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ବୀରଶିଳା ବିଷୟବସ୍ତୁ ଉପରେ ଗବେଷଣା କରିବା ଅବସରରେ ଏହି ବୀରଶିଳାକୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ବୀରଶିଳାଟିର ଆକାର ୩୦ x ୧୫ ଇଞ୍ଚ ରହିଛି।
ବରିଷ୍ଠ ପୂଜକ ଭୋଳେଶ୍ୱରଙ୍କ କହିବା ଅନുଯାୟୀ, ଏହି ଶିଳାଖଣ୍ଡଟି ମନ୍ଦିର ପ୍ରାଙ୍ଗଣରେ ବହୁ ପୂର୍ବରୁ ବିରାଜମାନ ହୋଇ ରହିଥିବାବେଳେ କାଳକ୍ରମେ ଏହା ‘ଦ୍ୱାରାବତୀ’ ବା ‘ଦ୍ୱାରପାଳିକା’ ଭାବେ ପରିଚିତ ହୋଇ ପୂଜା ପାଉଛି। ଏହାର କାରୁକାର୍ଯ୍ୟ ଓ ଗଠନ ଶୈଳୀ ସୁଲ୍କି କାଳର ସାମରିକ ପରମ୍ପରାକୁ ସୂଚାଉଥିବା ଜଣାପଡ଼ିଛି। ଦୀର୍ଘକାଳୀନ ପ୍ରସ୍ତର କ୍ଷୟ ଯୋଗୁଁ ଏଥିରେ ଖୋଦିତ ମାନବାକୃତିର ଅନେକ ବିବରଣୀ ଅସ୍ପଷ୍ଟ ହୋଇଯାଇଛି। ଏହାସହିତ ମନ୍ଦିର ପରିସରରୁ ଆଉ ଏକ ଛୋଟ ଆୟତାକାର ଶିଳାଖଣ୍ଡ ମଧ୍ୟ ଚିହ୍ନଟ ହୋଇଛି, ଯେଉଁଥିରେ ଅଶ୍ୱାରୋହୀ ବୀର ଏବଂ ତାଙ୍କ ପଦାତିକ ଅନୁଚରଙ୍କ ମୂର୍ତ୍ତି ଖୋଦିତ ହୋଇଛି। ଗବେଷକ ଶ୍ରୀ ଗୋପାଲଙ୍କ ମତରେ, ଓଡ଼ିଶାରେ ମିଳୁଥିବା ଅଧିକାଂଶ ବୀରଶିଳା ସୋମବଂଶୀ କାଳ କିମ୍ବା ତା’ ପରବର୍ତ୍ତୀ ସମୟର ହୋଇଥିବାବେଳେ କୁଆଳୋର ସୁଲ୍କି ଶାସନ, ଯିଏ ଭୌମକରମାନଙ୍କର ଖ୍ରୀଷ୍ଟାବ୍ଦ ନବମ ଶତାବ୍ଦୀର ସାମନ୍ତ ମୁଖିଆ ଥିଲେ, ସେହି ସମୟରୁ ମିଳିଥିବା ଏହି ବୀରଶିଳାଟି ଏହି ଅଞ୍ଚଳର ସବୁଠାରୁ ପ୍ରାଚୀନ ବୀରଶିଳା ଅଟେ। ଏହି ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରେ ଏଭଳି ବହୁ ଐତିହାସିକ ପ୍ରସ୍ତର ଖୋଦିତ କାରୁକାର୍ଯ୍ୟମୟ ମୂର୍ତ୍ତି ଓ ବୀରଶିଳା ରହିଥିବା ଜଣାପଡ଼ିଛି।


