ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ରେଞ୍ଜର ଖେସଡ଼ା ଜଙ୍ଗଲରେ ଏକ ଆହତ ଦନ୍ତାହାତୀର ମୃତ୍ୟୁ ଘଟିଛି। ପେଣ୍ଠବାହାଳ ଗାଁ ନିକଟ ଜଙ୍ଗଲରେ ହାତୀଟି ୮ ଦିନ ଧରି ଛୋଟେଇ ଛୋଟେଇ ବୁଲୁଥିବା ବେଳେ ଗତ ରାତିରେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ହାତୀର ଆଗ ବାମ ଗୋଡ଼ରେ ଗୁଳି ବାଜିଥିବା ସନ୍ଦେହ କରାଯାଉଛି। ତେବେ ହାତୀଟି କିପରି ଆହତ ହେଲା, ତାହା ସ୍ପଷ୍ଟ ହୋଇନାହିଁ। ହାତୀକୁ ଠାବ କରିବା ପାଇଁ ବନ ବିଭାଗର ଦୁଇଟି ଟିମ୍ ଡ୍ରୋନ୍ ସହାୟତାରେ ଖୋଜାଖୋଜି କରିଥିଲେ। ହେଲେ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ପହଞ୍ଚିବା ବେଳକୁ ହାତୀଟିର ମୃତ୍ୟୁ ହୋଇସାରିଥିଲା। ଘଟଣାକୁ ନେଇ ବନ ବିଭାଗର ଅବହେଳା ଉପରେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଘଟଣାସ୍ଥଳରେ ରେଢ଼ାଖୋଲ ଡିଏଫ୍ଓ, ଏସିଏଫ୍ ଓ ପୁଲିସ ଅଧିକାରୀ ପହଞ୍ଚିଥିଲେ। ହାତୀର ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ସ୍ଥାନୀୟ ସୂଚନା ଅନୁସାରେ, ଗତ କିଛି ବର୍ଷ ମଧ୍ୟରେ ନାକଟିଦେଉଳ ରେଞ୍ଜରେ ୯ଟି ହାତୀର ମୃତ୍ୟୁ ଘଟିଛି।


