ଭବାନୀପାଟଣା: କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୋମବାର ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶେଷ ହୋଇଛି। ଛତର ଦର୍ଶନ ପାଇଁ ଭବାନୀପାଟଣାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପାରମ୍ପରିକ ରୀତିନୀତି, ଘୁମୁରା ନୃତ୍ୟ ଓ ବୀରବାଦ୍ୟରେ ପ୍ରକମ୍ପିତ ହୋଇଥିଲା ସହର।
ମହାଷ୍ଟମୀ ରାତିରେ ପୂଜାର୍ଚ୍ଚନା ପରେ ମା’ଙ୍କ ଚଳନ୍ତି ପ୍ରତିମା ଛତରକୁ ଜେନାଖାଲକୁ ନିଆଯାଇଥିଲା। ସୋମବାର ସକାଳ ୫ଟାରୁ ପୂଜାପାଠ ପରେ ବିଜୟ ଯାତ୍ରା ଆରମ୍ଭ ହୋଇଥିଲା। ଘୁମୁରା, ଘଣ୍ଟ ଓ ନିଶାଣ ବାଦ୍ୟର ତାଳେ ଛତର ଝୁମି ଝୁମି ସକାଳ ୭ଟା ୪୪ ମିନିଟ୍ରେ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଥିଲା।
ଛତର ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ ଛିଟକନା, ଶାଢ଼ି, ନଡ଼ିଆ, ମନ୍ଦାର ଫୁଲ ଓ ବେଲପତ୍ର ଅର୍ପଣ କରିଥିଲେ। ପରମ୍ପରା ଅନୁଯାୟୀ ବିଭିନ୍ନ ପଶୁପକ୍ଷୀଙ୍କ ବଳି ଦିଆଯାଇଥିବାରୁ ଜାତୀୟ ରାଜପଥ ୨୬ର କିଛି ଅଂଶ ରକ୍ତରଞ୍ଜିତ ହୋଇଥିଲା। ଛତର ମନ୍ଦିରରେ ପହଞ୍ଚିବା ପରେ ମହାରାଜା ଅନନ୍ତପ୍ରତାପ ଦେଓ ଓ ତାଙ୍କ ପରିବାର ସଦସ୍ୟ ବନ୍ଦାପନା କରିଥିଲେ।
ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ନଜର ରଖାଯାଇଥିଲା। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଏସ୍ପି ନାଗରାଜ ଦେବରକୋଣ୍ଡା ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଭକ୍ତମାନେ ଆସି ମା’ଙ୍କ ଦର୍ଶନ କରିଥିଲେ।


