ରାୟପୁର: ଛତିଶଗଡ଼ର ଏମସିବି ଜିଲ୍ଲା ଅନ୍ତର୍ଗତ ପାହାଡ଼ ହାନସଓ୍ବାହି ନିକଟରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଏକ ଯାତ୍ରୀବାହୀ ମିନି ବସ୍ ଅତ୍ୟନ୍ତ ଦ୍ରୁତ ଗତିରେ ଆସି ଏକ ଗଛରେ ଜୋରରେ ପିଟି ହୋଇଯିବାରୁ ଏହି ଭୟଙ୍କର ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୯ ଜଣ ଯାତ୍ରୀଙ୍କର ପ୍ରାଣହାନି ହୋଇଥିବାବେଳେ ଅନ୍ୟ ୩୯ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ହୋଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୩ ଜଣ ପୁରୁଷ, ୫ ଜଣ ମହିଳା ଏବଂ ଜଣେ ଯୁବତୀ ରହିଥିବା କଥା ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି।
ଏହି ଭୟାନକ ଦୁର୍ଘଟଣା ଖବର ପାଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ନିକଟମତର ସମ୍ପର୍କୀୟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଲେଖାଏଁ ଏବଂ ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ବସ୍ଟି ମହେନ୍ଦ୍ରଗଡ଼ରୁ ଯାତ୍ରୀମାନଙ୍କୁ ବୋଝେଇ କରି କେଲହରି ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣାର ଶିକାର ହୋଇଥିଲା।


