ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର କଳାବାଦଲ ମାଡ଼ି ଆସୁଛି। ଏକ ଶକ୍ତିଶାଳୀ ବାତ୍ୟା ଉପକୂଳ ମୁହାଁ ହେଉଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର କରାଯାଇଥିବାବେଳେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ସମ୍ପୂର୍ଣ୍ଣ ଭାବେ ବାତିଲ୍ କରାଯାଇଛି। ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ, ଗଞ୍ଜାମ. ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ ଏବଂ ଖୋର୍ଦ୍ଧାକୁ ସତର୍କ ସୂଚନା ଦିଆଯାଇଛି। ଆସନ୍ତା ୨୬ ତାରିଖ ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ଏବଂ ୨୬, ୨୭ ଓ ୨୮ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ବାତ୍ୟାର ପ୍ରଭାବ କିପରି ରହିବ ଏବଂ ଏହାର ମୁକାବିଲା କିଭଳି କରାଯିବ, ସେନେଇ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଭାବିତ ହେବାକୁ ଥିବା ସମସ୍ତ ୧୬ଟି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ଜନସାଧାରଣଙ୍କ ସୁରକ୍ଷା, ରିଲିଫ୍ ବଣ୍ଟନ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣକୁ ବାଧାପ୍ରାପ୍ତ ନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଯେଉଁ କର୍ମଚାରୀମାନେ ଛୁଟିରେ ଥିଲେ, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରଶାସନର ସମସ୍ତ ବିଭାଗ ପରସ୍ପର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି, ଯାହାଫଳରେ ବିପର୍ଯ୍ୟୟ ସମୟରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପରିଚାଳନା କରାଯାଇପାରିବ।
ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଏବଂ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ବିପଦସଙ୍କୁଳ ସ୍ଥାନରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ସରକାରୀ ଭାବେ ଜାରି କରାଯାଉଥିବା ନିର୍ଦ୍ଦେଶାବଳୀକୁ ମାନିବାକୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।
ହ୍ୱାଟ୍ସଆପ୍ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ଲୋକଙ୍କୁ କ୍ରମାଗତ ଭାବେ ସଚେତନ କରାଯାଉଛି। ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜନସାଧାରଣ ସଚେତନ ରହି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। NDRF, ODRAF ଏବଂ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଗୁଜବରୁ ଦୂରେଇ ରୁହନ୍ତୁ,କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରନ୍ତୁ ପ୍ରଶାସନ ତରଫରୁ କୁହାଯାଇଛି।


