ପୁରୀ: ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଚିଲିକାରେ ଡଙ୍ଗା ଚଳାଚଳ ଉପରେ କଟକଣା ଲଗାଇଛି ପୁରୀ ଜିଲ୍ଲା ପ୍ରଶାସନ। ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଚିଲିକାରେ ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ବନ୍ଦ ରହିବ। ଏହି ସମୟରେ ଯାତ୍ରୀବାହୀ ଓ ମାଲବାହୀ ଡଙ୍ଗା ସହ ପର୍ଯ୍ୟଟକଙ୍କୁ ନେବାଆଣିବା କରୁଥିବା ଡଙ୍ଗା ମଧ୍ୟ ଚାଲିବ ନାହିଁ। ଭସାପୋଲ ଚଳାଚଳ ଉପରେ ମଧ୍ୟ ରୋକ୍ ଲଗାଯାଇଛି।
ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଏବଂ ଜଳପଥରେ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇବା ପାଇଁ ପ୍ରଶାସନ ଏହି ଆଗୁଆ ପଦକ୍ଷେପ ନେଇଛି। ଅକ୍ଟୋବର ୨୬ରୁ ୨୯ ତାରିଖ ଯାଏଁ ଚିଲିକାରେ କୌଣସି ପ୍ରକାର ଜଳପଥ ପରିବହନକୁ ଅନୁମତି ମିଳିବ ନାହିଁ। ଏହା ଫଳରେ ଚିଲିକା ଦେଇ ଯାତାୟାତ କରୁଥିବା ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ପ୍ରଭାବିତ ହେବେ।
କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଚିଲିକାର ବିଭିନ୍ନ ଘାଟରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପକ୍ଷରୁ ନଜର ରଖାଯିବ। ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସ୍ଥାନୀୟ ବିଡିଓଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି।
ନିର୍ଦ୍ଦେଶ ଅମାନ୍ୟ କରି ଡଙ୍ଗା ଚଳାଚଳ କଲେ ଏହାକୁ ଗୁରୁତର ଅପରାଧ ଭାବେ ବିଚାର କରାଯିବ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ନଜରରେ ରଖି ପରିସ୍ଥିତି ଅନୁଧ୍ୟାନ କରାଯିବ। ଯଦି ପାଗ ଅନୁକୂଳ ନ ରହେ, ତେବେ ଡଙ୍ଗା ଚଳାଚଳ ବନ୍ଦ ଅବଧିକୁ ଆହୁରି ବଢ଼ାଯାଇପାରେ। ଏନେଇ ପୁରୀ ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି। ବାତ୍ୟା ସମୟରେ ଚିଲିକାର ଜଳପଥରେ ଯାତାୟାତ ନ କରିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ସମସ୍ତ ଡଙ୍ଗା ଚାଳକ, ବ୍ୟବସାୟୀ ଓ ପର୍ଯ୍ୟଟକଙ୍କୁ ଅନୁରୋଧ କରାଯାଇଛି।


