ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା। ବାତ୍ୟାର ବାହ୍ୟବଳୟ ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆଜି ଓ କାଲି, ଦୁଇ ଦିନ ପାଇଁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି।
ବିଶାଖାପାଟଣା ରାଡାରରେ ବାତ୍ୟା ‘ଅର୍ଣ୍ଣବ’ର ଆଖି ଦୃଶ୍ୟମାନ ହେଉଥିବା ସୂଚନା ମିଳିଛି। ବାତ୍ୟାର ବାହ୍ୟବଳୟ ପ୍ରଭାବରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ହେଉଛି। ଆଗକୁ ପାଗରେ ଆହୁରି ପରିବର୍ତ୍ତନ ହେବା ଆଶଙ୍କା ରହିଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ବାତ୍ୟା ‘ଅର୍ଣ୍ଣବ’ ଅକ୍ଟୋବର ୨୮ ତାରିଖରେ ସ୍ଥଳଭାଗ ଛୁଇଁପାରେ। ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ନଜର ରଖାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିବା ସମ୍ଭାବନା ରହିଛି। ବାତ୍ୟାକୁ ନେଇ ପ୍ରଶାସନିକ ସ୍ତରରେ ସତର୍କତା ବଢ଼ିଥିବାବେଳେ ଲୋକଙ୍କୁ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଉଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଅକ୍ଟୋବର ୨୭ ଓ ୨୮ ତାରିଖରେ ୫୩ଟି ଟ୍ରେନ୍ ବାତିଲ୍ କରାଯାଇଛି। ଏହାଦ୍ୱାରା ଆନ୍ଧ୍ରପ୍ରଦେଶର ଅନେକ ରେଳପଥ ପ୍ରଭାବିତ ହୋଇଛି। ବିଜୟୱାଡ଼ା, ରାଜମହେନ୍ଦ୍ରୀ, ମଛଲିପଟନମ୍, ନରସାପୁର, ଭୀମାଭରମ୍, କାକିନାଡ଼ା ପୋର୍ଟ, ଗୁଣ୍ଟୁର ଓ ବିଶାଖାପାଟଣାକୁ ସଂଯୋଗ କରୁଥିବା ରେଳ ସେବା ଏଥିରେ ପ୍ରଭାବିତ ହୋଇଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ହେଲେ ଆହୁରି କିଛି ଟ୍ରେନ୍ ବାତିଲ୍ କରାଯାଇପାରେ।


