ନୂଆଦିଲ୍ଲୀ: ଫାଷ୍ଟଟାଗ ଏନୁଆଲ ପାସ ନିୟମରେ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ବଡ଼ ସଂଶୋଧନ କରିଛି। ଆଜିଠୁ ଟୋଲ ପ୍ଲାଜାର ୨୦ କିଲୋମିଟର ପରିଧି ଭିତରେ ରହୁଥିବା ସ୍ଥାନୀୟ ଲୋକଙ୍କ ପାଇଁ ନୂଆ ଏନୁଆଲ କନସେସନାଲ ପାସ ଆରମ୍ଭ ହୋଇଛି।
ଏହି ଯୋଜନାରେ ପୌର କିମ୍ବା ସ୍ଥାନୀୟ ସହର ବାହାରେ ଅବସ୍ଥିତ ଟୋଲ୍ ପ୍ଲାଜା ପାଇଁ ବାର୍ଷିକ ଶୁଳ୍କ ୧୫୦୦ ଟଙ୍କା ଏବଂ ସହରାଞ୍ଚଳ କିମ୍ବା ସ୍ଥାନୀୟ ସଂସ୍ଥା ସୀମା ମଧ୍ୟରେ ଅବସ୍ଥିତ ଟୋଲ୍ ପ୍ଲାଜା ପାଇଁ ଏହା ୩୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ନ୍ୟାସନାଲ ହାଇୱେ ବା ଏକ୍ସପ୍ରେସୱେରେ ଲାଗୁ ହେବ ନାହିଁ
ଏହି ସୁବିଧା ନ୍ୟାସନାଲ ହାଇୱେ ବା ଏକ୍ସପ୍ରେସୱେରେ ଲାଗୁ ହେବ ନାହିଁ, ଯେଉଁଠି କ୍ଲୋଜଡ ୟୁଜର ଫି ସିଷ୍ଟମ ଲାଗୁ ଅଛି। ଯଦି ସ୍ଥାନୀୟ ଲୋକଙ୍କ ପାଇଁ ସର୍ଭିସ ରୋଡ ବା ବିକଳ୍ପ ରାସ୍ତା ଅଛି, ତେବେ ସେମାନେ ଏହି ସୁବିଧା ପାଇପାରିବେ ନାହିଁ। ରିହାତି ପାଇଁ ବିକଳ୍ପ ରାସ୍ତା ନ ଥିବା ଏକ ବଡ଼ ସର୍ତ୍ତ।
୧୫୦୦ ଓ ୩୦୦୦ ଟଙ୍କାର ନିୟମ ବୁଝନ୍ତୁ
ବର୍ଷକୁ ୧୫୦୦ ଟଙ୍କା: ଯେତେବେଳେ ଟୋଲ ପ୍ଲାଜା କୌଣସି ନଗରପାଳିକା ସୀମା ବାହାରେ ଅଛି।
ବର୍ଷକୁ ୩୦୦୦ ଟଙ୍କା: ଯେତେବେଳେ ଟୋଲ ପ୍ଲାଜା ନଗରପାଳିକା ସୀମା ଭିତରେ ଅଛି।
ଏସବୁ ଟୋଲରେ ମିଳିବ ନାହିଁ ଛାଡ଼
ବାର୍ଷିକ ପାସରେ ମିଳୁଥିବା ରିହାତି କେବଳ ସେହି ଟୋଲ ପ୍ଲାଜାରେ ମିଳିବ, ଯେଉଁଥି ପାଇଁ ପାସ ଜାରି ହୋଇଛି। ଏହା ସବୁ ଟୋଲରେ ବ୍ୟବହାର ହୋଇପାରିବ ନାହିଁ। ମନ୍ତ୍ରଣାଳୟ କହିଛି ଯେ, ପ୍ରତି ବର୍ଷ ଏପ୍ରିଲ ୧ ରେ ଏନୁଆଲ ପାସ ଦରରେ ସଂଶୋଧନ କରାଯିବ।


