ରାଷ୍ଟ୍ରୀୟ ଏକତା ଦିବସ: ଆସନ୍ତା ଅକ୍ଟୋବର ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ ଅନୁଷ୍ଠିତ ହେବାକୁଥିବା ଜାତୀୟ ପ୍ୟାରେଡ୍ରେ ଯୋଗଦେବା ପାଇଁ ଆଜି ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ରାଜ୍ୟର ୧୯ଟି ନକ୍ସଲମୁକ୍ତ ଜିଲ୍ଲାରୁ ପ୍ରାୟ ଏକ ହଜାର ଜଣ ପ୍ରତିନିଧି ଏହି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି, ଯେଉଁମାନେ କି ଏକତା ନଗରରେ ଶାନ୍ତି, ସୁରକ୍ଷା ଏବଂ ପ୍ରଗତିର ପ୍ରତୀକ ଭାବେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ।
ଏହି ଶୁଭାରମ୍ଭ ଅବସରରେ ଗଣମାଧ୍ୟମକୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଏକ ଅସାଧାରଣ ନେତୃତ୍ୱ ଓ ଦୃଢ଼ ସଂକଳ୍ପ ବଳରେ ସର୍ଦ୍ଦାର ପଟେଲ ଦେଶର ୫୫୦ରୁ ଅଧିକ ଦେଶୀୟ ରାଜ୍ୟକୁ ଏକତ୍ରିତ କରି ଆଜିର ଅଖଣ୍ଡ ଭାରତ ଗଠନ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ କ୍ଷମତାକୁ ଆସିବା ପରେ ପ୍ରତିବର୍ଷ ତାଙ୍କ ଜନ୍ମଦିବସକୁ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରି ତାଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିଆସୁଛନ୍ତି। ଚଳିତ ବର୍ଷର ଏହି ଜାତୀୟ ସ୍ତରୀୟ ଏକତା ପ୍ୟାରେଡ୍ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଭାରତର ଚିତ୍ରକୁ ପ୍ରତିଫଳିତ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ଼ ନେତୃତ୍ୱ ଏବଂ ଦେଶ ତଥା ରାଜ୍ୟର ସୁରକ୍ଷା ବାହିନୀଙ୍କ ପ୍ରଚେଷ୍ଟା ଫଳରେ ଦେଶ ଏବଂ ଓଡ଼ିଶା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇ ଦ୍ରୁତ ଗତିରେ ବିକାଶ ପଥରେ ଆଗେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ ସହିତ ସାମାଜିକ ଓ ଅର୍ଥନୈତିକ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ବିଶେଷ କରି ୧୦ଟି ପ୍ରଭାବିତ ଜିଲ୍ଲାରେ ‘ଗ୍ରାମୋଦୟ ପ୍ଲସ୍’ ଯୋଜନା ଜରିଆରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ସମନ୍ୱିତ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଯାଉଛି, ଯାହାଫଳରେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ଏକ୍ ଭାରତ୍, ଶ୍ରେଷ୍ଠ ଭାରତ୍’ କଳ୍ପନାକୁ ସାକାର କରିବା ପାଇଁ ଦେଶର ୧୪୦ କୋଟି ଜନସାଧାରଣଙ୍କ ମିଳିତ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।
ଏହି ଅବସରରେ ରାଜ୍ୟର ରେଳ ଭିତ୍ତିଭୂମି ସମ୍ପର୍କରେ ଏକ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀରୁ ମୟୂରଭଞ୍ଜର ବାଦାମପାହାଡ଼ ପର୍ଯ୍ୟନ୍ତ ଏକ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆସନ୍ତା ନଭେମ୍ବର ମାସର ପ୍ରଥମ ସପ୍ତାହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ନୂତନ ରେଳସେବାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଟ୍ରେନ୍ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ—ଏହି ଛୋଟି ଜିଲ୍ଲା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।


