ଭୁବନେଶ୍ବର: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ର ଆଶଙ୍କାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତିକୁ ବ୍ୟାପକ କରାଯାଇଛି। ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ ଏବଂ ପ୍ରଶାସନିକ ସଜାଗତାର ତଦାରଖ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଥିବାରୁ ଜିଲ୍ଲାରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲାରେ ୩ଟି ଓଡ୍ରାଫ୍ ଟିମ୍ ଏବଂ ୧୨ଟି ଅଗ୍ନିଶମ ଟିମ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ସମୟରେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। ସାଧାରଣ ଜନତା କୌଣସି ଜରୁରୀ ସହାୟତା ପାଇଁ ‘୦୬୮୫୮-୨୨୨୪୩୪’ ନମ୍ବରରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।


