ଭୁବନେଶ୍ବର: ସ୍ଥଳଭାଗ ଅତିକ୍ରମ କରିବା ପରେ ବାତ୍ୟା ‘ଅର୍ଣ୍ଣବ’ ଦ୍ରୁତଗତିରେ ଦୁର୍ବଳ ହେବାରେ ଲାଗିଛି। ପୂର୍ବରୁ ଏହା ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପେ ସ୍ଥଳଭାଗ ଛୁଇଁଥିବାବେଳେ ବର୍ତ୍ତମାନ ଏହା ଏକ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଏକ ସାମୁଦ୍ରିକ ଝଡ଼ ଏବଂ ପରବର୍ତ୍ତୀ ୬ ଘଣ୍ଟାରେ ଏକ ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି। ଆଗାମୀ ୪୮ ଘଣ୍ଟା ଯାଏଁ ଏହା ମୁଖ୍ୟତଃ ଉତ୍ତର-ଉତ୍ତର ପଶ୍ଚିମ ଦିଗ ମୁହାଁ ହୋଇ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି।
ତେବେ ବାତ୍ୟା ଦୁର୍ବଳ ହେଉଥିଲେ ମଧ୍ୟ ଏହାର ପ୍ରଭାବରେ ବଙ୍ଗୋପସାଗରରୁ ରାଜ୍ୟକୁ ପ୍ରଚୁର ଜଳୀୟବାଷ୍ପ ପ୍ରବେଶ କରୁଥିବାରୁ ଆଗାମୀ ୨୪ ଘଣ୍ଟା ବର୍ଷା ଦୃଷ୍ଟିରୁ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ବାତ୍ୟାଟି ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗରେ ପ୍ରବେଶ କରିସାରିଛି। ମାତ୍ର ଏହାର ପ୍ରଭାବରେ ରାଜ୍ୟରେ, ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ଏବଂ ପବନର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ବର୍ଷା ରେକର୍ଡ କରାଯାଇଛି।
ବର୍ଷା ଓ ବାତ୍ୟାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ରେଡ୍ ଆର୍ଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକାଂଶରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଏହି ସବୁ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ଷାଠିଏରୁ ସତୁରୀ କିଲୋମିଟର ଏବଂ ଝଟ୍କା ପବନର ବେଗ ଅଶୀରୁ ପଞ୍ଚାଅଶୀ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉତ୍ତର ଓଡ଼ିଶାର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ପ୍ରତିକୂଳ ପାଗ ଏବଂ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୨୯ ତେଖା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ସାଧାରଣ ଜନତାଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।


