କଟକ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ହାଇକୋର୍ଟରୁ ବୁଧବାର ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସ୍କୁ ହାଇକୋର୍ଟ ଖାରଜ କରିଦେବେ ସହ ଅନାସ୍ଥାକୁ ଅସିଦ୍ଧ ଘୋଷଣା କରିଛନ୍ତି। ଚାମେଲିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ଏହାକୁ ବିରୋଧ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଗତ ଅଗଷ୍ଟ ୧୦ ଏବଂ୧୧ ତାରିଖ ଦୁଇ ଦିନ ଧରି ମାମଲାର ଶୁଣାଣି ହୋଇଥିଲା। ଅଗଷ୍ଟ ୧୧ ତାରିଖରେ ମାମଲା ଶୁଣାଣି ଶେଷ କରି ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
ଆଜି ମାମଲାର ରାୟ ପ୍ରକାଶ ପାଇଛି। ପ୍ରକାଶିତ ରାୟରେ ଚାମେଲିଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ଚାମେଲିଙ୍କ ବିରୋଧରେ ଅଣଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବେଆଇନ ଦର୍ଶାଇ ଏହାକୁ ବିରୋଧ କରି ସେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ଆଇନ ଅନୁସାରେ ଅନାସ୍ଥା ବୈଠକ ପୂର୍ବରୁ କୌଣସି ପ୍ରସ୍ତାବ, ରିକ୍ୟୁଜିସନ ଓ ନୋଟିସ୍ ତାଙ୍କୁ ପ୍ରଦାନ କରାଯାଇନାହିିଁ। ଫଳରେ ସେ ଆଗତ ଅନାସ୍ଥା ପ୍ରସ୍ତାବର ବୈଦ୍ଧତାକୁ ଚାଲେଞ୍ଜ୍ କରିଥିଲେ। ବେଆଇନ ଭାବେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବାରୁ ଅନାସ୍ଥା ନୋଟିସ ଓ ପ୍ରକ୍ରିୟାକୁ ରବ୍ଦ ପାଇଁ ସେ ତାଙ୍କ ଆବେଦନରେ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ। ପୂର୍ବରୁ ମାମଲାର ଶୁଣାଣିବେଳେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଓ ଏ ସମ୍ପର୍କିତ ନିୟମାବଳୀ ଉଲ୍ଲଙ୍ଘନ କରାଯାଇ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଜାରି କରା ଯାଇଥିବା ଓ ଅନାସ୍ଥା ପାଇଁ ବୈଠକ ବସିଥିବା ସ୍ପଷ୍ଟ ହୋଇଥିଲା। ହାଇକୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରି ତାଙ୍କ ବିରୋଧରେ ଅନାସ୍ଥା ପାଇଁ ଭୋଟ୍ ହେବ କିନ୍ତୁ ଅଦାଲତଙ୍କ ଅନୁମତି ବିନା ଫଳପ୍ରକାଶ ପାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଅଦାଲତ ତାଙ୍କ ରାୟରେ ଚାମେଲି ବିରୋଧରେ ଆଗତ ଅନାସ୍ଥାକୁ ଖାରଜ କରିବା ସହ ସେ ପୂର୍ବବତ ସରପଞ୍ଚ ପଦବୀରେ ରହିବେ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି।


