ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସରକାର, ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ ମଚ୍ଛାର ଏବଂ ଫ୍ଲାଏଦୁବାଇର ସାହସୀ କ୍ରିୟୁ ସଦସ୍ୟମାନଙ୍କୁ ଦେଶର ଅତ୍ୟନ୍ତ ପ୍ରତିଷ୍ଠିତ ‘ଫାର୍ଷ୍ଟ କ୍ଲାସ୍ ଅର୍ଡର ଅଫ୍ ଜାୟେଦ୍ ଦ୍ୱିତୀୟ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଆକାଶମାର୍ଗରେ ଉପୁଜିଥିବା ଏକ ଜରୁରୀକାଳୀନ ଓ ବିପଜ୍ଜନକ ପରିସ୍ଥିତିରେ ଅସାଧାରଣ ସାହସିକତା ପ୍ରଦର୍ଶନ କରି ବିମାନର ସମସ୍ତ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିଥିବାରୁ ସେମାନଙ୍କୁ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଦୁବାଇର ଶାସକ ତଥା ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମାକତୁମଙ୍କ ଉପସ୍ଥିତିରେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ ନିଜେ କ୍ୟାପଟେନ୍ ମଚ୍ଛାର ଏବଂ ବିମାନର କ୍ରିୟୁ ଦଳଙ୍କୁ ସାକ୍ଷାତ କରି ରାଷ୍ଟ୍ର ତରଫରୁ ଗଭୀର କୃତଜ୍ଞତା ଜଣାଇଥିଲେ। ପରେ ଦୁବାଇର କ୍ରାଉନ୍ ପ୍ରିନ୍ସ ତଥା ପ୍ରତିରକ୍ଷା ମନ୍ତ୍ରୀ ଶେଖ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ୍ ମାକ୍ତୁମ୍ ଆନୁଷ୍ଠାନିକ ଭାବେ ସେମାନଙ୍କୁ ଏହି ପଦକ ପ୍ରଦାନ କରିଥିଲେ।
ପ୍ରକାଶ, ଗତ ସେପ୍ଟେମ୍ବର ୩୦ରେ ଉଡ଼ାଣ ସମୟରେ କକ୍ପିଟ୍ ଭିତରେ ହୋଇଥିବା ଏକ ହିଂସାତ୍ମକ ଆକ୍ରମଣରେ କ୍ୟାପଟେନ୍ ମଚ୍ଛର ଗୁରୁତର ଭାବେ ଆହତ ହୋଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବା ଏବଂ ମୁଣ୍ଡ ବୁଲାଇବା ସତ୍ତ୍ୱେ, କ୍ୟାପଟେନ୍ ମଚ୍ଛର ତାଙ୍କର ଶେଷ ଶକ୍ତି ଖଟାଇ କକ୍ପିଟ୍ ଦ୍ୱାର ଖୋଲିବାର ବ୍ୟବସ୍ଥାକୁ ସକ୍ରିୟ କରିଥିଲେ। ଯାହାଫଳରେ ବିମାନର ଅନ୍ୟ କ୍ରିୟୁ ସଦସ୍ୟ ଏବଂ ସଚେତନ ଯାତ୍ରୀମାନେ କକ୍ପିଟ୍ ଭିତରକୁ ଆସି ଆକ୍ରମଣକାରୀକୁ କାବୁ କରିଥିଲେ। ଅନ୍ୟପକ୍ଷେ ମଚ୍ଛର ମଧ୍ୟ ସେହି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ବିମାନର ସୁରକ୍ଷିତ ଜରୁରୀକାଳୀନ ଅବତରଣ କରାଇଥିଲେ। ଯାହାଫଳରେ ପ୍ରାୟ ୧୭୦ରୁ ଊର୍ଦ୍ଧ ଯାତ୍ରୀଙ୍କ ଜୀବନ ବଞ୍ଚିପାରିଥିଲା। କ୍ୟାପଟେନ୍ଙ୍କ ସାହସ ଏବଂ ଧୈର୍ଯ୍ୟପାଇଁ ବିଶ୍ୱର ବଡ଼ ବଡ଼ ନେତାମାନେ ତାଙ୍କୁ ପ୍ରଶଂସା କରିସାରିଛନ୍ତି।


