ବରେଲୀ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ କେଦାରନାଥ ମନ୍ଦିରରେ ପୂଜା-ପାଠ ମାମଲା ବିବାଦରେ ପଡିଛି। ବରେଲୀର ମୌଲାନା ମୁଫତି ସହାବୁଦ୍ଦିନ ରଜଭୀ ବରେଲଭୀ ଏହାକୁ ଶରିୟତ ଅନୁସାରେ ଅବୈଧ ଓ ହରାମ କହି ଆପତ୍ତି ଉଠାଇଛନ୍ତି ଏବଂ ତୌବା କରିବାକୁ କହିଛନ୍ତି।
ମୌଲାନା କହିଛନ୍ତି ଯେ, କୌଣସି ମୁସଲମାନଙ୍କ ମନ୍ଦିରରେ ପୂଜା କରିବା ବା ଦର୍ଶନ କରିବା ଅବୈଧ ଓ ହରାମ। ସାରାଙ୍କ କେଦାରନାଥ ଯାତ୍ରା ଓ ଧାର୍ମିକ କାର୍ଯ୍ୟରେ ସାମିଲ ହେବାକୁ ସେ କଡା ଆପତ୍ତି ଉଠାଇଛନ୍ତି।
ସାରାଙ୍କ କେଦାରନାଥ ଯାତ୍ରା
ସାରା ନିକଟରେ ଉତ୍ତରାଖଣ୍ଡ ଯାଇ କେଦାରନାଥ ଧାମରେ ଦର୍ଶନ କରି ୩ ଦିନ ରହିଥିଲେ। VIP ଦର୍ଶନ ବଦଳରେ ସାଧାରଣ ଲୋକଙ୍କ ପରି ଧାଡିରେ ଲାଗି ଦର୍ଶନ କରିଥିଲେ। ଫଟୋ-ଭିଡିଓ ଭାଇରାଲ ହୋଇଛି। ସେ କହିଥିଲେ କେଦାରନାଥ ସହ ତାଙ୍କର ଭାବନାତ୍ମକ ସମ୍ପର୍କ ଅଛି, ୨୦୧୮ ରେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ‘କେଦାରନାଥ’ ସୁଟିଂରେ ଆସିଥିଲେ, ତେଣୁ ପ୍ରତି ବର୍ଷ ଆସନ୍ତି। ଏହା ପୂର୍ବରୁ ସାରା ବାରାଣାସୀ ଗଳିରେ ବୁଲି ମନ୍ଦିର ଦର୍ଶନ କରିଥିଲେ।
ତେବେ ଏହି ଧାର୍ମିକ କାର୍ଯ୍ୟ ଉପରେ ମୌଲାନା ଅସନ୍ତୋଷ ପ୍ରକାଶ କରିବା ପରେ ମାମଲା ଚର୍ଚ୍ଚାକୁ ଆସିଛି। ସାରାଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ଆସିନି।


