ମୁମ୍ବାଇ: ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସତ୍ତ୍ୱେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେପ୍ଟେମ୍ବର ତ୍ରୈମାସିକରେ ରେକର୍ଡ ପ୍ରଦର୍ଶନ କରିଛି। ଜିଓ ପ୍ଲାଟଫର୍ମସର ବର୍ଦ୍ଧିତ ଆୟ ଏବଂ ତୈଳ-ରସାୟନ (ଅଏଲ୍-କେମିକାଲ୍) ବ୍ୟବସାୟର ରେକର୍ଡ ପ୍ରଦର୍ଶନ କମ୍ପାନୀର ଆର୍ଥିକ ଫଳାଫଳକୁ ମଜଭୁତ କରିଛି। ରିଲାଏନ୍ସର ସମନ୍ୱିତ ନେଟ୍ ଲାଭ ବାର୍ଷିକ ଭିତ୍ତିରେ ୩୩.୮ ପ୍ରତିଶତ ବୃଦ୍ଧି ପାଇ ୨୯,୫୫୦ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଏପର୍ଯ୍ୟନ୍ତ କମ୍ପାନୀର ସର୍ବାଧିକ ତ୍ରୈମାସିକ ଲାଭ। କମ୍ପାନୀର ମୋଟ ରାଜସ୍ୱ ମଧ୍ୟ ୨୭.୮ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୩,୬୨,୨୬୮ କୋଟି ଟଙ୍କା ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ରିଲାଏନ୍ସର ମୋଟ ନେଟ୍ ଲାଭ ପ୍ରଥମ ଥର ପାଇଁ ୫୦ ହଜାର କୋଟି ଟଙ୍କା ଅତିକ୍ରମ କରିଛି।
ରିଲାଏନ୍ସର ଏହି ଉଲ୍ଲେଖନୀୟ ପ୍ରଦର୍ଶନରେ କମ୍ପାନୀର ତୈଳ ରୁ ରସାୟନ (ଅଏଲ୍-ଟୁ-କେମିକାଲ୍) ବ୍ୟବସାୟର ବଡ଼ ଭୂମିକା ରହିଛି। ଗତବର୍ଷର ସମାନ ତ୍ରୈମାସିକ ତୁଳନାରେ ଏହି ବ୍ୟବସାୟର ଇବିଆଇଟିଡିଏ ୬୭.୯ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୨୫,୨୦୩ କୋଟି ଟଙ୍କାରେ ପହଞ୍ଚିଛି। ଏହି ବ୍ୟବସାୟର ରାଜସ୍ୱ ମଧ୍ୟ ୪୪.୨ ପ୍ରତିଶତ ବୃଦ୍ଧି ପାଇ ୨,୩୧,୬୦୧ କୋଟି ଟଙ୍କା ହୋଇଛି। ପରିବହନ ଇନ୍ଧନର ବିଶୋଧନ ମାର୍ଜିନରେ ଦ୍ରୁତ ବୃଦ୍ଧି ଏବଂ ପଲିଷ୍ଟର ବ୍ୟବସାୟର ମାର୍ଜିନ୍ ତିନି ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ଏହି ସଫଳତାର ପ୍ରମୁଖ କାରଣ ରହିଛି।
ଏହି ସମୟରେ ରିଲାଏନ୍ସ ଅଶୋଧିତ ତୈଳ ଯୋଗାଣ ସହ ଜଡ଼ିତ ଆହ୍ୱାନଗୁଡ଼ିକର ମଧ୍ୟ ସଫଳ ମୁକାବିଲା କରିଛି। ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ରେ ଯୋଗାଣ ବାଧାପ୍ରାପ୍ତ ହେବା ସତ୍ତ୍ୱେ କମ୍ପାନୀ ଲାଟିନ୍ ଆମେରିକା, ଉତ୍ତର ଆମେରିକା ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରୁ ଅଶୋଧିତ ତୈଳ ଯୋଗାଣ ସୁନିଶ୍ଚିତ କରିବା ସହ ରେକର୍ଡ ପରିମାଣର ଅଶୋଧିତ ତୈଳ ବିଶୋଧନ କରିଛି। ଏହା ଦେଶର ଘରୋଇ ଇନ୍ଧନ ଚାହିଦା ପୂରଣ କରିବାରେ ସହାୟକ ହୋଇଛି।
ରିଲାଏନ୍ସର ଅନ୍ୟ ବ୍ୟବସାୟଗୁଡ଼ିକ ମଧ୍ୟ କମ୍ପାନୀର ଏହି ସଫଳତାରେ ଯୋଗଦାନ ଦେଇଛନ୍ତି। ଜିଓ ପ୍ଲାଟଫର୍ମସର ରାଜସ୍ୱ ଓ ଲାଭରେ ବୃଦ୍ଧି ଘଟିଥିବା ବେଳେ ରିଲାଏନ୍ସ ରିଟେଲ୍ ଏହି ତ୍ରୈମାସିକରେ ୩୦୩ଟି ନୂଆ ଷ୍ଟୋର୍ ଖୋଲିବା ସହ ଡିଜିଟାଲ୍ କମର୍ସର ସମ୍ପ୍ରସାରଣ କରିଛି। ଜିଓଷ୍ଟାରର ରାଜସ୍ୱରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ, ଅଏଲ୍ ଆଣ୍ଡ ଗ୍ୟାସ୍ ବ୍ୟବସାୟର ରାଜସ୍ୱ ପ୍ରାୟ ସ୍ଥିର ରହିଥିବା ବେଳେ ସିବିଏମ ଉତ୍ପାଦନରେ ବୃଦ୍ଧି ଘଟିଛି। ଏହି ସବୁ କାରଣରୁ ରିଲାଏନ୍ସର ସମନ୍ୱିତ ଇବିଆଇଟିଡିଏ ୨୩.୯ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୬୨,୪୦୯ କୋଟି ଟଙ୍କାରେ ପହଞ୍ଚିଛି। ଏଥିସହ କମ୍ପାନୀର ନ୍ୟୁ ଏନର୍ଜି ବା ନୂତନ ଶକ୍ତି କ୍ଷେତ୍ରର ପ୍ରକଳ୍ପଗୁଡ଼ିକରେ ନିବେଶ ଜାରି ରହିଛି।


