ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମକ୍ ପାର୍ଲିଆମେଣ୍ଟରେ ‘ଜନ-ମହାଭିଯୋଗ’ ପ୍ରସ୍ତାବ ଆଣିଛନ୍ତି। ଏହି ଅବସରରେ ସେ ୬ଟି ବଡ଼ ଅଭିଯୋଗ ଆଣିଛନ୍ତି।
ଖଡଗେଙ୍କ ୬ ଅଭିଯୋଗ କ’ଣ?
୧. ନିର୍ବାଚନ ଚୋରି କରିବାର ଷଡଯନ୍ତ୍ର
୨. ୧୩.୨ କୋଟି ଭୋଟରଙ୍କ ନାମ ଡିଲିଟ୍ କରିବା
୩. ସଂସଦର ନିରୀକ୍ଷଣ ବିନା ଫର୍ମ-୬ ରେ ପରିବର୍ତ୍ତନ
୪. eCI-Net ଜରିଆରେ ଭୋଟର ତାଲିକା ଉପରେ କବଜା
୫. ଅନ୍ୟ ନିର୍ବାଚନ ଆୟୁକ୍ତଙ୍କୁ ପ୍ରକ୍ରିୟାରୁ ଦୂରେଇ ରଖିବା
୬. ମୋଦୀ ଏବଂ ଶାହଙ୍କ ଇସାରାରେ କାମ କରିବା।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇ ଖଡଗେ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ସମ୍ବିଧାନ ପ୍ରଣେତାମାନେ ଭୋଟର ଅଧିକାର ଦେଇଥିଲେ, କିନ୍ତୁ RSS ଏହା ଚାହୁଁନଥିଲା। ଆର୍ଟିକଲ ୩୨୬ ସମସ୍ତ ବୟସ୍କଙ୍କୁ ଭୋଟ ଅଧିକାର ଦେଉଛି, ଯାହା ଆଜି ଗମ୍ଭୀର ବିପଦରେ ଅଛି।
ଖଡଗେ ଦାବି କରିଥିଲେ ଯେ, ଶୀଘ୍ର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଯାଉ, ୬୦% ଜନତାଙ୍କ ପ୍ରତିନିଧିତ୍ୱ କରୁଥିବା INDIA ବ୍ଲକ୍ ଏହି ଦାବି କରୁଛି। ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାରେ ରହିବା ପାଇଁ ନିର୍ବାଚନୀ ବଣ୍ଡ, ସାଂସଦ ଚୋରି ଏବଂ ଏବେ ଭୋଟ ଚୋରି ଭଳି ଷଡଯନ୍ତ୍ର କରିଛନ୍ତି। ବିରୋଧୀଙ୍କ ୧୪୫ ସାଂସଦଙ୍କୁ ସସପେଣ୍ଡ କରି ଏହି ବିଲ୍ ଅଣାଗଲା। ଏହି ଆଇନ ନିର୍ବାଚନ ଆୟୁକ୍ତଙ୍କୁ ଏମିତି ସୁରକ୍ଷା ଦେଉଛି ଯାହା ରାଷ୍ଟ୍ରପତିଙ୍କୁ ମଧ୍ୟ ନାହିଁ। ମହାରାଷ୍ଟ୍ରରେ ୪୦ ଲକ୍ଷ ନୂଆ ନାମ ଯୋଡାଗଲା ଫଳ ଓଲଟିଗଲା। SIR ରେ ୫ ଗୁଣା ଅଧିକ ନାମ ହଟାଗଲା ବୋଲି ସେ ଅଭିଯୋଗ କରିଛନ୍ତି।
ଖଡଗେ ଆହୁରି କହିଥିଲେ ଯେ, ଯେତେବେଳେ ଚୋରି ଧରାପଡିଲା ସେତେବେଳେ SIR ଘୋଷଣା କରାଗଲା। ମୃତକଙ୍କୁ ଭୋଟର ତାଲିକାରେ ରଖିବାକୁ କେହି କହୁନାହିଁ। ଆମେ କେବଳ ତଥ୍ୟ ମାଗୁଛୁ – କିଏ ବାହାର ଲୋକ, କିଏ ମରିଛି। ମୋଦୀ ସରକାର ତାହା ଲୁଚାଉଛି। ସେ ତୁରନ୍ତ CEC ଙ୍କୁ ହଟାଇ ୨୦୨୩ ଆଇନ ରଦ୍ଦ କରିବା ଏବଂ SIR ରୋକିବାକୁ ଦାବି କରିଛନ୍ତି।
BJP ର ପାଲଟା ଜବାବ:
BJP ପକ୍ଷରୁ ସମ୍ବିତ ପାତ୍ର ପ୍ରେସକୁ ସମ୍ବୋଧନ କରି କହିଛନ୍ତି ଯେ, “ପ୍ରଥମ ଭୋଟ ଚୋରି ପଣ୍ଡିତ ନେହେରୁ କରିଥିଲେ। ଯେତେବେଳେ ବରିଷ୍ଠ ନେତା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପାଇଁ ବାକ୍ସରେ ପଡିଥିବା ଭୋଟ ଚୋରି କରି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।”


