ଶ୍ରୀନଗର: ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜଣାଶୁଣା ସାମ୍ବାଦିକା ନିଧି ରାଜଦାନଙ୍କ ସହ ସେ ବିବାହ କରିଛନ୍ତି। ନିଜେ ଓମର ଅବଦୁଲ୍ଲା ନିଜର X ହ୍ୟାଣ୍ଡେଲରେ ଫଟୋ ସେୟାର କରି ଲେଖିଛନ୍ତି – “କାଲି ଏକ ନୂଆ ଯାତ୍ରା ଆରମ୍ଭ ହେଲା।” ସେହିପରି ନିଧି ରାଜଦାନ ହାଲକା ମଜାରେ ଲେଖିଛନ୍ତି – “Its Done Bro.”
ନୂଆ ଦମ୍ପତି ଆଜି ନିଜ ବିବାହର ଆନୁଷ୍ଠାନିକ ଘୋଷଣା କରିଛନ୍ତି।
ଏହି ବିବାହ ଓମର ଅବଦୁଲ୍ଲାଙ୍କ ପ୍ରଥମ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ଠାରୁ ୩୦ ବର୍ଷ ପୁରୁଣା ବିବାହ ବିଚ୍ଛେଦର ତିନି ମାସ ପରେ ହୋଇଛି। ସୁପ୍ରିମକୋର୍ଟ ୩୧ ଜୁଲାଇ ୨୦୨୬ରେ ଧାରା ୧୪୨ ଅନୁଯାୟୀ ଉଭୟଙ୍କ ସହମତିରେ ତଲାକକୁ ମଞ୍ଜୁର କରିଥିଲେ। ଓମରଙ୍କ ପ୍ରଥମ ବିବାହରୁ ଦୁଇ ପୁଅ ଅଛନ୍ତି। ନିଧି ରାଜଦାନ ଜଣେ ଜଣାଶୁଣା ନ୍ୟାସନାଲ ଟିଭି ଆଙ୍କର ଥିଲେ ଏବଂ ପୂର୍ବରୁ ଜଣେ ଦିଲ୍ଲୀର ଗୀତିକାର-ସାମ୍ବାଦିକଙ୍କ ସହ ବିବାହ କରିଥିଲେ।
ନିଜସ୍ୱ ସମାରୋହରେ ବିବାହ:
ସୂଚନା ଅନୁଯାୟୀ, ବିବାହ ଉତ୍ସବ ୩୦ ଅକ୍ଟୋବରରେ ଶ୍ରୀନଗରର ହରି ନିବାସ ପ୍ୟାଲେସରେ ନିକଟ ପରିବାର ଏବଂ ବନ୍ଧୁଙ୍କ ଉପସ୍ଥିତିରେ ହୋଇଥିଲା। ଏହା ପୂର୍ବରୁ ଏହି ଯୋଡିଙ୍କୁ ଦିଲ୍ଲୀ ହାଫ୍ ମାରାଥନ ଏବଂ ଜାମ୍ମୁ-କାଶ୍ମୀର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଏକାଠି ଦେଖିବାକୁ ମିଳିଥିଲା।
ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନୁଯାୟୀ ବିବାହ:
ଏହି ବିବାହ ଦିଲ୍ଲୀର ଏକ ଅଦାଲତରେ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନୁଯାୟୀ ପଞ୍ଜିକୃତ ହୋଇଛି। ଆଇନଗତ ପ୍ରକ୍ରିୟା ଅଗଷ୍ଟ ୨୦୨୬ରେ ଆରମ୍ଭ ହୋଇ ସେପ୍ଟେମ୍ବର ଶେଷରେ ସମ୍ପୂର୍ଣ୍ଣ ହୋଇଥିଲା। ସୂତ୍ର କହୁଛି, ରେଜିଷ୍ଟ୍ରେସନ ପୂର୍ବରୁ ଶ୍ରୀନଗରର ହରି ନିବାସ ପ୍ୟାଲେସରେ ଉଭୟ ପରିବାର ଉପସ୍ଥିତିରେ ନିକାହ ରସମ ମଧ୍ୟ ପାଳନ କରାଯାଇଥିଲା।
ଆଜି ସନ୍ଧ୍ୟା ୭ଟାରେ ଦିଲ୍ଲୀର ଏକ ଘରୋଇ ହୋଟେଲରେ ପ୍ରଥମ ରିସେପ୍ସନ୍ ହେବ, ଏହା ପରେ ଆସନ୍ତା ସପ୍ତାହରେ ଜାମ୍ମୁ ଏବଂ ଶେଷରେ ଶ୍ରୀନଗରରେ ଆଉ ଏକ ରିସେପ୍ସନ୍ ଆୟୋଜନ ହେବ।


