Categories
ଜାତୀୟ ଖବର ବିଶେଷ ଖବର

ଶ୍ରୀରାମ ଜନ୍ମଭୂମି ମନ୍ଦିର ଭାରତର ଭକ୍ତି ଓ ଏକତାର ଏକ ପ୍ରତୀକ

ନୂଆଦିଲ୍ଲୀ: କାଶ୍ମୀରର ବରଫାବୃତ ଗିରିଶୃଙ୍ଗରୁ କନ୍ୟାକୁମାରୀର ସୂର୍ଯ୍ୟସ୍ନାତ ବେଳାଭୂମି ପର୍ଯ୍ୟନ୍ତ ସବୁଠି ରାମନାମ ପ୍ରତିଧ୍ୱନିତ ହେଉଛି। ସମଗ୍ର ଭାରତ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଆବରଣରେ ଆଚ୍ଛାଦିତ ହୋଇଛି। ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ଭାରତର ଭକ୍ତି ଓ ଏକତାର ଏକ ପ୍ରତୀକ ଭାବେ ଦଣ୍ଡାୟମାନ। ଏହା କେବଳ ଭବ୍ୟତା ଓ ସୁନ୍ଦରତାକୁ ପ୍ରଦର୍ଶନ କରୁନାହିଁ, ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ ସୀମାପାର ଅଞ୍ଚଳର ଅବଦାନର କାହାଣୀ ସଗର୍ବେ ସ୍ଥାନିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରୟାସର ଝଲକ ଏଥିରେ ଦେଖିବାକୁ ମିଳୁଛି । ଏକ ମନ୍ଦିର ନିର୍ମାଣ ଓ ତୀର୍ଥାଟନ ପ୍ରୟାସରେ ସମଗ୍ର ଦେଶ କିପରି ଭକ୍ତି, ଭାବ, ତ୍ୟାଗ ସମର୍ପଣ ଓ ସହଯୋଗ ଯୋଗାଇଛି ତାହାର ବାର୍ତ୍ତା ଅଯୋଧ୍ୟା ମନ୍ଦିରରେ ଗୁଞ୍ଜରିତ ହେଉଛି।

ମନ୍ଦିରର ଆଭ୍ୟନ୍ତରୀଣ ନିର୍ମାଣ ଶୈଳୀ ଓ ପରିପାଟୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଏହା ରାଜସ୍ଥାନର ପ୍ରଖ୍ୟାତ ମକ୍ରାନା ଶଙ୍ଖ ମର୍ମର ପ୍ରସ୍ତରରେ ନିର୍ମିତ ହୋଇ ଏକ ଅପରୂପ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରୁଛି। ମନ୍ଦିରରେ ଯେଉଁ ସବୁ ଦେବଦେବୀ ଓ ପ୍ରତିମା ଖୋଦିତ ହୋଇଛନ୍ତି ସେସବୁ କର୍ଣ୍ଣାଟକର ଚାର୍ମୋତି ବାଲି ପଥର(ସ୍ୟାଣ୍ଡ ଷ୍ଟୋନ)ରେ ନିର୍ମିତ। ରାଜସ୍ଥାନର ବଂଶୀ ପାହାଡପୁରୁରୁ ଆସିଥିବା ଗୋଲାପି ବାଲି ପଥର (ପିଙ୍କ୍ ସାଣ୍ଡ ଷ୍ଟୋନ) ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରର ନିର୍ମାଣରେ ବ୍ୟବହୃତ ହୋଇଛି।

ଏହି ଅବଦାନ କେବଳ ନିର୍ମାଣ ସମାଗ୍ରୀରେ ସୀମିତ ହୋଇନାହିଁ। ଗୁଜରାଟରୁ ଆସିଛି ୨୧୦୦କେଜି ଓଜନର ଏକ ପ୍ରକାଣ୍ଡ ଅଷ୍ଟଧାତୁ ନିର୍ମିତ ଘଣ୍ଟି। ଏହି ଘଣ୍ଟି ମନ୍ଦିରରେ ଐଶ୍ୱରୀୟ ସଙ୍ଗୀତର ରାଗ ତୋଳିବ। ଏହି ପ୍ରକାଣ୍ଡ ଘଣ୍ଟି ସହିତ ଗୁଜରାଟ ମଧ୍ୟ ଅଯୋଧ୍ୟ ଶ୍ରୀରାମ ମନ୍ଦିରକୁ ୭୦୦ କେଜିର ଏକ ଆକର୍ଷଣୀୟ ରଥ ପ୍ରଦାନ କରିଛି। ସର୍ବଭାରତୀୟ ଦରବାର ସମାଜ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ନଗାଡା ଶୈଳୀରେ ଖୋଦିତ ପଥର ରଥ ନିର୍ମାଣ କରାଯାଇଛି। ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ କୃଷ୍ଣ ପଥରରେ ତିଆରି ହୋଇଛି ଏବଂ ଏହି ପଥର ଆସିଛି କର୍ଣ୍ଣାଟକରୁ। ଅରୁଣାଚଳ ପ୍ରଦେଶର ହିମାଳୟ ପାଦଦେଶ ଓ ତ୍ରିପୁରାରୁ ସଂଗୃହୀତ ମୂଲ୍ୟବାନ କାଠାରୁ ତିଆରି ହୋଇଛି ମନ୍ଦିରର ଦ୍ୱାର। ଏହା ସହିତ ରହିଛି ହସ୍ତତନ୍ତ ନିର୍ମିତ ସୁନ୍ଦର ରଙ୍ଗୀନ ବସ୍ତ୍ର ଯାହା ପ୍ରବେଶ ପଥରେ ଲାଗିବ।

ସୁରମ୍ୟ ମନ୍ଦିର ପାଇଁ ବିଭିନ୍ନ ରାଜ୍ୟରୁ ଆସିଥିବା ସାମଗ୍ରୀର ତାଲିକା ଏତିକିରେ ଶେଷ ହୋଇନାହିଁ। ଉତ୍ତର ପ୍ରଦେଶରୁ ଆସିଛି ପିତ୍ତଳ ଉପକରଣ, ମହାରାଷ୍ଟ୍ର ଯୋଗାଇଛି ପାଲିସ ହୋଇଥିବା ଶାଗୁଆନ କାଠ। ରାମନ୍ଦିରର କାହାଣୀ କେବଳ ସାମଗ୍ରୀ ଓ ତାହାର ଭୌଗୋଳିକ ଉତ୍ପତ୍ତିସ୍ଥଳରେ ସୀମିତ ହୋଇ ରହିନାହିଁ। ସମଗ୍ର ଦେଶରୁ ଅଗଣିତ ପ୍ରତିଭାବାନ କାରିଗର, ଶିଳ୍ପୀ ଓ ନିର୍ମାଣକାରୀ ଏହି ପବିତ୍ର ପ୍ରୟାସରେ କାୟ ମନ ବାକ୍ୟରେ ସାମିଲ ହୋଇ ନିଜ କୁଶଳତା ବିନିଯୋଗ ପର୍ଯ୍ୟନ୍ତ ଏହାକୁ ସରସ ସୁନ୍ଦର କରିଛନ୍ତି।

ରାମ ମନ୍ଦିର ଅଯୋଧ୍ୟାର ଏକ କୀର୍ତ୍ତିରାଜି କେବଳ ନୁହେଁ, ଏହା ଭାରତର ବିଶ୍ୱାସର ଏକୀକରଣ ଶକ୍ତିର ଏକ ଜୀବନ୍ତ ଉଦାହରଣ। ମନ୍ଦିରର ପ୍ରତ୍ୟେକ ଶୀଳା, ପ୍ରତ୍ୟେକ ଖୋଦେଇ, ପ୍ରତ୍ୟେକ ଘଣ୍ଟି, ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ଓ ବସ୍ତ୍ର “ଏକ ଭାରତ ଶ୍ରେଷ୍ଠ ଭାରତ”ର ବାର୍ତ୍ତା ବହନ କରେ। ଏହା ଭୌଗୋଳିକ ସୀମାରେଖାକୁ ଅତିକ୍ରମ କରିବା ସହିତ ଏକ ସମ୍ମିଳିତ ଆଧ୍ୟାତ୍ମିକ ଯାତ୍ରାରେ ଅଗଣିତ ହୃଦୟକୁ ଏକତ୍ର କରୁଛି।

Categories
ଆଜିର ଖବର ଜାତୀୟ ଖବର

କାଶ୍ମୀରର ପୁଣି ବନ୍ଦ ହେଲା ଇଣ୍ଟରନେଟ ସେବା

ଶ୍ରୀନଗର : ଜମ୍ମୁ କାଶ୍ମୀର ଉପତ୍ୟାକାରେ ପୁଣି ଥରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ଗତମାସରେ କାଶ୍ମୀର ଉପତ୍ୟାକାରେ 2ଜି ଇଣ୍ଟରନେଟ୍‌ ସେବା ଚାଲୁ କରାଯାଇଥିବା ବେଳେ ରବିବାର ପୁଣି ଥରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ସଂସଦ ଉପରେ ଆକ୍ରମଣକାରୀ ଅଫଜଲ୍‌ ଗୁରୁର ମୃତ୍ୟୁ ବାର୍ଷିକୀ ଅବସରରେ 2ଜି ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି । ସେହିପରି ଶ୍ରୀନଗରର କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲଗାଯାଇଛି । ରବିବାରକୁ ଅଲ ପାର୍ଟି ହୁରିୟାତ୍‌ କନଫରେନ୍ସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । (ଏଜେନ୍ସି)

Categories
ଜାତୀୟ ଖବର ବିଶେଷ ଖବର

ଘଟଣାକ୍ରମ -୨୦୧୯

ସମୀକ୍ଷା ବ୍ୟୁରୋ

ଆଉ କିଛି ଘଣ୍ଟା ପରେ ବିଦାୟ ନେବ ୨୦୧୯। ଏହି ବର୍ଷ ଅନେକ ଘଟଣା ଦେଶରେ ଚହଳ ପକାଇଥିଲା । ରାଜନୀତିଠାରୁ ଆରମ୍ଭ କରି ଉନ୍ନାଓ ଓ ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ, ଏନକାଉଣ୍ଟର ଓ ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହସ ପରି ଘଟଣା ବେଶ୍‌ ଚର୍ଚ୍ଚାରେ ରହିଥିଲା। ସେହିପରି କୋର୍ଟଙ୍କର ମଧ୍ୟ କିଛି ଐତିହାସିକ ରାୟ ବର୍ଷ ସାରା ଦେଶର ମାହୋଲ୍‌କୁ ଚଳଚଞ୍ଚଳ କରି ରଖିଥିଲା । ୨୦୨୦କୁ ସ୍ବାଗତ କରିବା ପୂର୍ବରୁ ଆସନ୍ତୁ ନଜର ପକାଇବା ଚଳିତ ବର୍ଷର କିଛି ପ୍ରମୁଖ ଘଟଣାବଳୀ ଉପରେ….

ଫୁଲଓ୍ବାମା ଆକ୍ରମଣ

ବର୍ଷର ଦ୍ବିତୀୟ ମାସ ଅର୍ଥାତ୍‌ ଫେବୃଆରୀ ମାସରେ ହୋଇଥିଲା ଫୁଲ୍‌ଓ୍ବାମା ଆକ୍ରମଣ। ଫେବ୍ରୁଆରି ୧୪ ରେ ପ୍ରାୟ ଦିନ ୩ ଟା ୧୫ ମିନିଟ ରେ ଜମ୍ମୁ କାଶ୍ମୀର ହାଇୱେ ସି ଆର ପି ଏଫ ଯବାନ ମାନଙ୍କୁ ନେଇ ଯାଉଥିବା ଏକ ଗାଡି ଉପରକୁ ଜୈଶ- ଏ ମହମ୍ମଦ ସମର୍ଥିତ ଆତଙ୍କବାଦୀ ସଂସ୍ଥାର ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ । ଏଥିରେ ପ୍ରାୟ ୪୦ ଜଣ ଯବାନ ସହିଦ ହୋଇଥିଲେ ।

ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌

ଫୁଲଓ୍ବାମା ଆକ୍ରମଣ ପରେ ଏହାକୁ ନେଇ ସାରା ଭାରତରେ ପ୍ରତିଶୋଧର ନିଆଁ ଜଳୁଥିଲା। ପାକିସ୍ତାନ କୁ ପାନେ ଦେବାର ଲକ୍ଷ୍ୟ ଫୁଲଓ୍ବାମା ଘଟଣାର ୧୨ ଦିନ ପରେ ଫେବୃଆରି ୨୬ ରେ ପାକିସ୍ତାନ ର ବାଲାକୋଟ ରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଦ୍ଵାରା ଅତର୍କିତ ଆକ୍ରମଣ କରାଯାଇଥିଲା । ଏଥିରେ ଅନେକ ଆତଙ୍କବାଦୀ ମୃତାହତ ହୋଇଥିଲେ।  ଏହାର ଗୋଟିଏ ଦିନ ପରେ ଅର୍ଥାତ ଫେବୃଆରି ୨୭ ରେ ପାକିସ୍ତାନ ଭାରତୀୟ ବାୟୁସୀମା କୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଏହି ଉଦ୍ୟମ କୁ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନ ର ଏକ ଫାଇଟର ଜେଟ ଏଫ ୧୬ କୁ ଗୁଳିମାରୀ ଖସାଇ ଦେବା ସହ ପିଛା କରି ପାକିସ୍ତାନ ମଧ୍ୟରେ ଖସି ପଡିଥିଲେ । ପରେ ମୋଦୀଙ୍କ କୂଟନୀତି ଆଗରେ ପାକିସ୍ତାନ ରେ ଥିବା ଇମରାନ ସରକାର ହାର ମାନି ଥିଲା ଏବଂ ଅଭିନନ୍ଦନଙ୍କୁ ସସମ୍ମାନେ ଫେରାଇ ଦେଇଥିଲା ।

ସିବିଆଇ କଳି

୨୦୧୮ ମସିହା ଅକ୍ଟୋବର ରୁ ଦୁଇ ସିବିଆଇ ମୁଖ୍ୟ ଙ୍କ ମଧ୍ୟରେ ବଦଳିକୁ ନେଇ ସିବିଆଇ ମଧ୍ୟରେ ଗଣ୍ଡୋଗୋଳର ସୂତ୍ରପାତ ହୋଇଥିଲା । ସିବିଆଇର ମୁଖ୍ୟ ଓ ଉପମୁଖ୍ୟଙ୍କ ମଧ୍ୟରେ ଚାଲିଥିବା ସିବିଆଇ ବନାମ ସିବିଆଇ ଲଢ଼େଇ ପରେ ସରକାର ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ଉପମୁଖ୍ୟ ରାକେଶ ଆସ୍ଥାନାଙ୍କୁ ରାତି ଅଧିଆ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବାକୁ ସରକାର ନିର୍ଦ୍ଦେଶ ଦେବା ସହ ଯୁଗ୍ମ ନିର୍ଦ୍ଦେଶକ ଥିବା ଏମ୍‌ ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ଅବସ୍ଥାପିତ କରାଇଥିଲେ । ପରେ ସିବିଆଇ ମୁଖ୍ୟଙ୍କ ଆଲୋକ ବର୍ମା ତାଙ୍କ କାର୍ଯ୍ୟ କାଳ ସରିଯାଇଥିବା ଦର୍ଶାଇ ସେ ଇସ୍ତଫା ଦେଇଥିଲେ । ତେବେ ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ ଭାବେ ଋଷି କୁମାର ଶୁକ୍ଲାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।

ମୋଦୀଙ୍କ ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ପାଳି

ମୋଦୀଙ୍କ ନେତୃତ୍ଵରେ ୨୦୧୪ ରେ ପ୍ରଥମେ ବିଜେପି ଅନ୍ୟ ସହଯୋଗୀ ଦଳଙ୍କ ସହାୟତାରେ କ୍ଷମତାକୁ ଆସିଥିଲା । ତେବେ ଚଳିତଥର ରେକର୍ଡ ସଂଖ୍ୟକ ଆସନ ଅଧିକାର କରି ବିଜେପି ପୁନର୍ବାର କ୍ଷମତାକୁ ଆସିଥିଲା । ଚଳିତ ଲୋକସଭା ନିର୍ବାଚନରେ ବିଜେପି ଏକାକୀ 303 ଆସନ ଅକ୍ତିଆର କରି ଇତିହାସ ରଚିଥିଲା ।  ତେବେ ବିଜେପି ଲୋକସଭା ନିର୍ବାଚନରେ ବହୁ ବରିଷ୍ଠଙ୍କ ଟିକେଟ କାଟିଥିଲା । ଏମାନଙ୍କ ମଧ୍ୟରେ ରହିଥିଲେ ଲାଲକୃଷ୍ଣ ଆଡଭାନୀ, ସୁମିତ୍ରା ମହାଜନ, ମୁରଲୀମନୋହର ଯୋଶୀଙ୍କ ପରି ବହୁ ତୁଙ୍ଗ ବିଜେପି ନେତୃବୃନ୍ଦ । ସେହିପରି ଚଳିତଥର ବିଜେପିର ସଭାପତି ଥିବା ଅମିତ୍‌ ଶାହା ନିର୍ବାଚନ ମଇଦାନକୁ ଓହ୍ଲାଇ ବାଜିମାତ୍‌ କରି ଗୃହମନ୍ତ୍ରୀ ହୋଇଛନ୍ତି ।

କଂଗ୍ରେସର ଅଧ୍ୟକ୍ଷ ପଦରୁ ରାହୁଲ୍‌ଙ୍କ ଇସ୍ତଫା

ଚଳିତ ଲୋକସଭାରେ କଂଗ୍ରେସର ବିଫଳତା ପଦରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ୍‌ ଗାନ୍ଧି । ଦଳର ପରାଜୟକୁ ନେଇ ସେ ଏପରି ନିଷ୍ପତ୍ତି ନେଇଥିଲେ। ଏବେ କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ସୋନିଆ ଗାନ୍ଧି ଦାୟିତ୍ବ ସମ୍ଭାଳୁଛନ୍ତି। ସେହିପରି ଚଳିତ ବର୍ଷ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇ କଂଗ୍ରେସର ମହାସଚିବ ପଦରେ ଅଭିଷିକ୍ତ ହୋଇଛନ୍ତି ।

ତ୍ରିପଲ୍‌ ତଲାକ୍‌ ବିଲ୍‌କୁ ମିଳିଲା ମଞ୍ଜୁରୀ

ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ତ୍ରିପଲ୍‌ ତଲାକ୍‌ ବିଲ୍‌କୁ ମିଳିଲା ମଞ୍ଜୁରୀ । ଏହି ବିଲ୍‌ ଆଇନରେ ପରିଣତ ହେଲା । ଏହି ଆଇନ୍‌ ଅନୁସାରେ ଇନ୍‌ଷ୍ଟାଣ୍ଟ ଟ୍ରିପଲ ତଲାକ ଏକ ଦଣ୍ଡନୀୟ ଅପରାଧ । ଯେଉଁଥିରେ ପୋଲିସ ଅଭିଯୁକ୍ତକୁ ବିନା ୱାରେଣ୍ଟରେ ଗିରଫ କରି ପାରିବ । ଏ କ୍ଷେତ୍ରରେ ଅଭିଯୁକ୍ତ ତିନି ବର୍ଷ ଯାଏ ଜେଲ ଦଣ୍ଡ ସହ ଫାଇନ ଦେବାକୁ ପଡିବ । ଟ୍ରିପଲ ତଲାକର ପୀଡ଼ିତା ମହିଳା କିମ୍ବା ତାଙ୍କ ରକ୍ତ ସମ୍ପର୍କୀୟ ଅଭିଯୋଗ ଆଣିଲେ ହିଁ ଏହା ଦଣ୍ଡନୀୟ ଶ୍ରେଣୀରେ ଆସିବ ।

ଅଯୋଧ୍ୟା ବିବାଦର ସମାଧାନ

ପ୍ରାୟ ୪୦୦ ବର୍ଷ ଧରି ଅଯୋଧ୍ୟା କୁ ନେଇ ହିନ୍ଦୁ ମୁସଲିମ୍‌ ମଧ୍ୟରେ ଲାଗି ରହିଥିବା ବହୁ ଚର୍ଚ୍ଚିତ ଜମି ବିବାଦର ଯବନିକା ପଡିଥିଲା। ସେତେବେଳର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଙ୍କ ଅଧ୍ୟକ୍ଷତା ରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲା ର ନିୟମିତ ଶୁଣାଣି କରିଥିଲେ । ଉଭୟ ପକ୍ଷର ଦଲିଲ ଶୁଣିବା ପରେ ପ୍ରତ୍ନତତ୍ଵ ବିଭାଗର ପ୍ରମାଣ କୁ ଆଧାର କରି ଧାରା ୧୪୨ କୁ ବିନିଯୋଗ କରି ସମୁଦାୟ ୨.୭୭ ଏକର ଜାଗା କୁ ହିନ୍ଦୁ ପକ୍ଷକୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଯୋଧ୍ୟା ଭିତରେ ୫ ଏକର ଜାଗା ମୁସଲିମ୍‌ ପକ୍ଷ କୁ ଦେବା କୁ ନିର୍ଦ୍ଦେଶ ଦେବା ସହ ସମସ୍ତ ପକ୍ଷ କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିବାଦର ଦୀର୍ଘ ସମୟ ଧରି ଶୁଣାଣି ହେବା ସହ ଏକ ରେକର୍ଡ ସୃଷ୍ଟି କରିଥିଲା ।

ସାବରିମାଳା ବିବାଦ

ସବାରିମାଳା ମନ୍ଦିର ରେ ବହୁ ବର୍ଷ ଧରି ୧୦ ବର୍ଷ ରୁ ୫୦ ବର୍ଷ ବୟସ୍କ ମହିଳାଙ୍କର ପ୍ରବେଶ ନିଷେଧ ରହିଥିଲା। ଏହି ମାମଲା ର ଶୁଣାଣି ଏକ ପାଞ୍ଚ ଜଣିଆ ଖଣ୍ଡପୀଠ କରିଥିଲେ । ଏଥିରେ ୩ : ୨ ଭିତ୍ତି ରେ ବିଚାର ହୋଇଥିଲା । ଏଥିରେ ମହିଳାଙ୍କ ପ୍ରବେଶ କୁ ନେଇ ଥିବା ନିଷେଧଜ୍ଞା କୁ କୋର୍ଟ ଉଠାଇ ଦେଇଥିଲେ । ଏହା ପରେ କେରଲ ରେ ସର୍ବ ବୃହତ ମାନବ ଶ୍ରୁଙ୍ଖଳ କରା ଯାଇ ସପକ୍ଷ ବାଦି ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଟଣା ଓଟରା ଲାଗି ରହିଥିଲା । ଏହି ରାୟ ବିରୋଧ ରେ ଏକ ରିଭିଉ ପିଟିସନ ଦାୟର ହୋଇଥିଲା । ଏହି ପିଟିସନ ସେତେବେଳ ର ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ ଙ୍କ ଅଧ୍ୟକ୍ଷତା ରେ ଶୁଣାଣି ହୋଇଥିଲା । ଏହି ମାମଲା ର ଜଟିଳତା କୁ ଲକ୍ଷ କରି ବିଚାରପତି ଉକ୍ତ ମାମଲା କୁ ଏକ ସାତ ଜଣିଆ ଖଣ୍ଡପୀଠ ରେ ଶୁଣାଣି କରିବାକୁ ସୁପାରିଶ କରିଛନ୍ତି ।

ଆତଙ୍କ ନିରୋଧୀ ବିଲ୍‌ ସଂଶୋଧନ

ଚଳିତ ବର୍ଷ ଆତଙ୍କବାଦ ନିରୋଧୀ ବିଲ୍‌ ସଂଶୋଧନ ମଧ୍ୟ ପାସ୍‌ ହୋଇଛି । ଏହି ବିଲ୍‌ରେ ଆତଙ୍କବାଦୀର ସଂଜ୍ଞାକୁ ଆହୁରି ବ୍ୟାପକ କରାଯାଇଛି । ସଂସ୍ଥା ସହ ଲିଙ୍କ୍‌ ନଥିଲେ ବି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଆଖ୍ୟା ଦିଆଯାଇପାରିବ।

ଅନୁଚ୍ଛେଦ ୩୭୦ ର ପ୍ରତ୍ୟାହାର

କେନ୍ଦ୍ର ସରକାର ଚଳିତ ବର୍ଷ ଐତିହାସିକ ନିଷ୍ପତ୍ତି ମଧ୍ୟରେ ରହିଥିଲା ଧାରା ୩୭୦ର ଉଚ୍ଛେଦ । ଅଗଷ୍ଟ 5 ତାରିଖରେ  ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ କରିଥିଲେ । ଏହା ପରେ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର୍ୟ ରାଜ୍ୟ ରୂପେ ନୁହେଁ ବରଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ମାନ୍ୟତା ପାଇଛି । ଗୃହମନ୍ତ୍ରୀ ଅମିତ ଶାହ ଙ୍କ ଅଧ୍ୟକ୍ଷତା ରେ ଅଗଷ୍ଟ ୫ ୨୦୧୯ ରେ ସଂସଦ ର ଉଭୟ ସଦନ ରେ ବିଲ ପାରିତ ହୋଇ ଜାମୁ ଏବଂ କାଶ୍ମୀ କୁ ପୃଥକ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ର ମାନ୍ୟତା ଦିଆଯିବା ସହ  ସ୍ବତନ୍ତ୍ର ରାଜ୍ୟର ମାନ୍ୟତାକୁ ପ୍ରତ୍ୟାହାର କରି ଦିଆଗଲା । ଏହା ଯୋଗୁଁ ଭାରତ ମାନଚିତ୍ରରେ ପରିବର୍ତ୍ତନ ହେଲା ।

ଉନ୍ନାଓ ମାମଲା

ଏହି ମାମଲା ସାରା ଭାରତରେ ଚହଳ ପକାଇଥିଲା । ଜଣେ ବିଜେପି  ବିଧାୟକ ଙ୍କ ସହ ଜଣେ ନାବାଳିକା ର ସମ୍ପର୍କ ରୁ ଆରମ୍ଭ ହୁଏ ଏହି ଘଟଣା । ପରେ ୪ ଜୁନ ୨୦୧୭ ରେ ଉକ୍ତ ନାବାଳିକା ସହ ଦୁଷ୍କର୍ମ ହୁଏ । ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ପୀଡ଼ିତାଙ୍କୁ ଦୀର୍ଘ ଦୁଇ ବର୍ଷ ପରେ ନ୍ୟାୟ ମିଳିଲା। ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଦିଲ୍ଲୀର ତିସହଜାରୀ କୋର୍ଟ ଆଜି ଏହି ମାମଲାର ଦଣ୍ଡଶୁଣାଣି କରି ଦୋଷୀସାବ୍ୟସ୍ତ ସେଙ୍ଗାରଙ୍କୁ ଆଜୀବନ ଜେଲ୍ ସହ ୨୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି । ଗତ ଡିସେମ୍ବର ୧୬ ତାରିଖରେ ଆଇପିସିର ଧାରା ୩୭୬ ଏବଂ ପୋକ୍ସୋ ଆଇନର ଧାରା ୫ ଏବଂ ୬ ଅଧୀନରେ କୋର୍ଟ ସେଙ୍ଗରଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ ।

ହାଇଦ୍ରାବାଦ ପଶୁ ଡାକ୍ତରାଣୀ  ହତ୍ୟା ମାମଲା

ନଭେମ୍ବର ୨୮ ରେ ଘଟିଥିବା ଏହି ଘଟଣାଟିକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ଵର ଉଠିଥିଲା ଏବଂ ନାରୀ ସୁରକ୍ଷା ପ୍ରତି ସରକାରଙ୍କୁ ସାଧାରଣ ଲୋକଙ୍କ ଅଙ୍ଗୁଳି ଉଠିଥିଲା।  ଏହି ଘଟଣା ଘଟିବାର ଦୁଇ ଦିନ ମଧ୍ୟରେ ପୋଲିସ ଉକ୍ତ ବର୍ବୋରୋଚିତ କାଣ୍ଡ ରେ ସମ୍ପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସ ହେପାଜତ ରେ ଥାଇ ଉକ୍ତ ଅଭିଯୁକ୍ତ ମାନଙ୍କୁ ସେମାନେ ଘଟଣା ଘଟାଇଥିବା ଜାଗାକୁ ସେମାନଙ୍କୁ ନିଆ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହେବାରୁ ଘଟଣା ସ୍ଥଳରେ ସମ୍ପ୍ୟକ୍ତ ଚାରି ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଥିଲା। ଏହାକୁ ନେଇ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଉକ୍ତ ଗୁଳିକାଣ୍ଡରେ ସମ୍ପୃକ୍ତ ପୋଲିସ ଅଧିକୃଙ୍କ ଉପରେ ଏକ ମାମଲା ଦାୟର ହେବା ସହ ଏକ ଏସଆଇଟି ଗଠନ ହୋଇଛି ।

ମୋଟର ଯାନ ସଂଶୋଧନ ଆଇନ

ଚଳିତ ବର୍ଷ କେନ୍ଦ୍ର ସରକାର ମୋଟର ଯାନ ଆଇନକୁ ବେଶ୍‌ କଡାକଡି କରିଛନ୍ତି । ନୂତନ ସଂଶୋଧିତ ମୋଟର ଯାନ ଆଇନରେ ଜରିମାନା ଅର୍ଥକୁ ଅହେତୁକ ବୃଦ୍ଧି କରାଯାଇଛି । ଏହି ନିୟମରେ ନାବାଳକ ଗାଡି ଚାଳନା ପାଇଁ ଅଭିଭାବକଙ୍କୁ ଦଣ୍ଡ ଦେବାର ପ୍ରାବଧାନ ରହିଛି । ସେହିପରି ମଦ ପିଇ ଗାଡିଚାଳନା, ସ୍ପିଡ୍‌ ଲିମିଟ୍‌, ଲାଇସେନ୍ସ ଆଦି କ୍ଷେତ୍ରରେ ମଧ୍ୟ ଜରିମାନା ଅର୍ଥକୁ ବୃଦ୍ଧି କରାଯାଇଛି ।

ଦୀର୍ଘ ବର୍ଷର ମିତ୍ରତାରେ ସୃଷ୍ଟି ହେଲା ଫାଟ

ଚଳିତ  ବର୍ଷ ବିଜେପି – ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଦୁହେଁ 25 ବର୍ଷର ସମ୍ପର୍କକୁ ଭାଙ୍ଗିଛନ୍ତି । ମହାରାଷ୍ଟ୍ରରେ ବିଜେପି-ଶିବସେନା ମିଳିତ ଭାବରେ ନିର୍ବାଚନ ଲଢି ମଧ୍ୟ ଦୁହେଁ ମେଣ୍ଟ ସରକାର ଗଢିବାରେ ଅସମର୍ଥ ହୋଇଥିଲେ । ଆସନ ବୁଝାମଣାକୁ ନେଇ ଦୁହିଁଙ୍କ ମେଣ୍ଟ ଭାଙ୍ଗିଯାଇଥିଲା । ପ୍ରଥମଥର ପାଇଁ ମହାରାଷ୍ଟ୍ରରେ ଶିବସେନା କଂଗ୍ରସ ଓ ଏନ୍‌ସିପି ସହ ମିଶି ସରକାର ଗଠନ କଲା । ସେହିପରି ପ୍ରଥମ ଥର ପାଇଁ ଚଳିତ ବର୍ଷ ପ୍ରତ୍ୟକ୍ଷ ରାଜନୀତିରେ ଠାକ୍‌ରେ ପରିବାର ଅଂଶଗ୍ରହଣ କରି ବାଜିମାତ୍‌ କରିଛନ୍ତି । ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ତାଙ୍କ ପୁତ୍ର ଆଦିତ୍ୟ ଠାକ୍‌ରେ ବର୍ଲି ଆସନରୁ ପ୍ରଥମର ଥର ପାଇଁ ନିର୍ବାଚନ ଲଢି ବିଜୟୀ ହୋଇ ଏବେ କ୍ୟାବିନେଟ୍‌ ମନ୍ତ୍ରୀ ରହିଛନ୍ତି ।

ସିଏଏଓ ଏନ୍‌ଆରସିକୁ ନେଇ ବିବାଦ

ଦ୍ବିତୀୟ ପାଳି ସରକାରରେ ମୋଦି ସରକାର ସିଏଏ ଓ ଏନ୍‌ଆରସି ଆଣିଛନ୍ତି । ନାଗରିକତ୍ବ ବିଲ୍‌ରେ କିଛି ପରିବର୍ତ୍ତନ ଆଣିଛନ୍ତି । ଏହାକୁ ନେଇ ବିରୋଧୀଙ୍କ ସମେତ ସାଧାରଣ ଜନତା ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ବିରୋଧ ମଧ୍ୟରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ସରିଛି । କିନ୍ତୁ ଏହି ଆଇନ କୁ ରାଜ୍ୟ ମାନେ ଲାଗୁ କରିବାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏହାର ପରିଣତି କଣ ହେବ ଭବିଷ୍ୟତ କହିବ ।

କାରଗିଲ୍‌ ହିରୋର ବିଦାୟ

୧୯୯୯ ମସିହା କାରଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ଏୟାରକ୍ରାଫ୍ଟ ମିଗ୍-୨୭।  ଏହି ଲଢ଼ୁଆ ବିମାନ ‘ବାହାଦୂର’ ରାଜସ୍ଥାନ ଯୋଧପୁରରେ ଅନ୍ତିମ ଥର ପାଇଁ ଉଡ଼ାଣ ଭରି ଅବସର ଗ୍ରହଣ କରିଛି।  ୧୯୮୫ ମସିହାରେ ଏହି ବିମାନ ଭାରତୀୟ ବାୟୁସେନାରେ ସାମିଲ୍ ହୋଇଥିଲା।

ଚଳିତ ବର୍ଷ ଚର୍ଚ୍ଚିତ ଘଟଣା ମଧ୍ୟରେ ରହିଛି ଭାରତୀୟ ବଂଶୋଦ୍ଭବ ଅଭିଜିତ୍‌ ଚାଟ୍ଟାର୍ଜୀଙ୍କୁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ପ୍ରାପ୍ତ ତଥା ନୋବେଲ୍‌ ଆଓ୍ବାର୍ଡ ପ୍ରାପ୍ତ ଅବସରରେ ଭାରତୀୟ ପରିଧାନ ସ୍ବରୂପ ଧୋତି ଓ କୁର୍ତ୍ତାରେ ଏହି ସମ୍ମାନ ଗ୍ରହଣ କରି ଭାରତୀୟ ସଂସ୍କୃତିର ପରିଚୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ସେହିପରି ଚଳିତ ଥର ଚର୍ଚ୍ଚାରେ ରହିଥିଲା ପିଆଜ। ପିଆଜ ଦର ଭାରତରେ ପ୍ରଥମ ଥର ପାଇଁ 150 ଟଙ୍କା ପ୍ରତି କିଲୋରେ ବିକ୍ରି ହୋଇ ରେକର୍ଡ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ମଧ୍ୟ ସରକାର ପିଆଜ ଦର ଉପରେ ନିୟନ୍ତ୍ରଣ ଆଣି ପାରିନାହାନ୍ତି।

ଘଟଣାବହୁଳ ବର୍ଷ ଭାବରେ 2019 ଆମଠୁ ବିଦାୟ ନେଉଛି। ନୂତନ ବର୍ଷକୁ ସ୍ବାଗତ ପାଇଁ ଚାରିଆଡେ ଚାଲିଛି ଉତ୍ସବର ମାହୋଲ୍‌ । ବର୍ଷର ଅନ୍ତିମ କ୍ଷଣରେ ଆମେ ଏତିକି ଆଶା କରିବା ଯେ, ଆଗାମୀ ବର୍ଷ ଭାରତ ବର୍ଷ ପାଇଁ ଶାନ୍ତିର ବର୍ଷ ହେଉ। ଅର୍ଥନୀତି କ୍ଷେତ୍ରରେ ଭାରତର ସ୍ଥିତି ସୁଦୃଢ ରହୁ । ସର୍ବୋପରି ଭାରତ ନିଜର ଅଖଣ୍ଡତା ଓ ଐକତା ଉପରେ ତିଷ୍ଠି ରହୁ ।

Categories
ବିଶେଷ ଖବର ମତାମତ

ଗଣତନ୍ତ୍ର ବି ଛଡେଇ ନେଇପାରେ ସ୍ବାଧୀନତା ଓ କରିପାରେ ବନ୍ଦୀ

ଦେବ ରଞ୍ଜନ

ଗଣତାନ୍ତ୍ରିକ ବିଚାର ନେଇ କାଶ୍ମୀରର ସନ୍ଦର୍ଭରେ ଆଜି କିଛି କହିବା ଅଥବା ଲେଖିବା ନିଜ ଘର ଉପରକୁ ଟେକା ମାରିବା ସଦୃଶ କଥା। ସେ ବନ୍ଧୁ ହେଉ କି ପରିବାର ସମସ୍ତେ ବୁଝି ନେଇଛନ୍ତି ଯେ ଗଣତନ୍ତ୍ରର ଅର୍ଥ ନୁହେଁ ବ୍ୟକ୍ତିକୁ ସ୍ବାଧୀନତା ଦେବା, କାଶ୍ମୀରବାସୀଙ୍କୁ ତ ଆଦୌ ନୁହେଁ। ’ଗୋଟେ ଦେଶ ଗୋଟେ ପତାକା’ ସ୍ଲୋଗାନ ଏଭଳି ଭାବପ୍ରବଣତା ତିଆରି କରିଦେଇଛି ଯେ ଯେମିତି ତୁମେ ଯଦି ବିଜେପି ସରକାରଙ୍କ ସହିତ ନାହଁ ତେବେ ତୁମେ ପାକିସ୍ତାନୀ! ନା ମୁଁ କେବେ କାଶ୍ମୀର ଯାଇପାରିଛି ନା କାଶ୍ମିରୀୟତ ସହିତ ମୋର କୌଣସି ସମ୍ପର୍କ ରହିଛି। କାଶ୍ମୀର ସହିତ ମୋର ସମ୍ପର୍କ ମୋର ଜଣେ ଆଦିବାସୀ ବନ୍ଧୁଙ୍କ ମାଧ୍ୟମରେ ଯିଏ ଜଣେ ଭାରତୀୟ ସେନାବାହିନୀର ଯବାନ। ସେ ସର୍ବଦା ଦୁଇଟି ମଣିଷ ହୋଇଥାଏ। ଗାଁରେ ଥିଲେ କୁହେ, ‘ଏ ପୁଲିସବାଲା ଯାହାକୁ ଇଚ୍ଛା ତାହାକୁ ବାନ୍ଧି ଆଣୁଛନ୍ତି  ନହେଲେ ଏନକାଉଣ୍ଟର କରିଦେଉଛନ୍ତି। ସମସ୍ତେ କ’ଣ ମାଓବାଦୀ ହୋଇଛନ୍ତି ନା ଚୋର?’ ପୁଣି କାଶ୍ମୀର କଥା ପଡ଼ିଲେ କୁହେ, ‘ଟ୍ରିଗର୍‌ ଉପରେ ଆଙ୍ଗୁଳି ରଖିଲେ ଯାଇ ମତେ ଶାନ୍ତି ଲାଗେ। କେତେବେଳେ କୁଆଡୁ ଉଗ୍ରପନ୍ଥୀ ଆସିଯିବେ କିଏ ଜାଣେ ? ଗଲା ବର୍ଷ ତା’ର ହିସାବରେ ପ୍ରାୟେ ୫ ଲକ୍ଷ ଯବାନ ଜଗିଥିଲେ ସମଗ୍ର କାଶ୍ମୀରକୁ। ଏବେ ତାହା ସାତ ଲକ୍ଷ ଅର୍ଥାତ୍‌ ପ୍ରତି ସାତ କି ଆଠ କାଶ୍ମୀରବାସୀଙ୍କ ବିପକ୍ଷରେ ଜଣେ ଆଧୁନିକ ଅସ୍ତ୍ରଧାରୀ ଯବାନ। ଉଭୟ କାଶ୍ମୀରବାସୀ ଓ ନିଯୁକ୍ତି ଯବାନ ସମେସ୍ତ ଅଜଣା ଆତଙ୍କ ମଧ୍ୟରେ। ଧାରା ୩୭୦ର ଉଚ୍ଛେଦ କେବଳ ହେଲା ନାହିଁ  ତା’ ସହିତ କାଶ୍ମୀର ନିଜର ରାଜ୍ୟମାନ୍ୟତା ମଧ୍ୟ ହରାଇଛି। ଆଗକୁ ହୁଏ କୌଣସି ବି ରାଜ୍ୟ ଏପରିକି ଆଦିବାସୀ ବହୁଳ ପଞ୍ଚମ ଅନୁଚ୍ଛେଦ ମଧ୍ୟ ନିଜର ସ୍ବତନ୍ତ୍ର କ୍ଷମତା ଟିକକ ହରାଇପାରେ। ସେତେବେଳେ ହୁଏତ ସ୍ଲୋଗାନ୍‌ ରହିବ ’ଗୋଟେ ଦେଶ ଗୋଟେ ଆଇନ’- ବିଧାନସଭା ହେଉ କି ଗ୍ରାମସଭା କାହାରି ସ୍ବତନ୍ତ୍ର କ୍ଷମତା ରହିବା ଉଚିତ୍‌ ନୁହେଁ।  ଧାରା ୩୭୦ଉଚ୍ଛେଦ ପରଠାରୁ ବନ୍ଧୁପତ୍ନୀ ଜଣକ ନା ଟିଭି ସାମ୍ନାକୁ ଆସୁଛି ନା କାଶ୍ମୀରରୁ କିଛି ଫୋନ୍‌ ଆସୁଛି। ଦେଶର ଆଜି ସାତ ଲକ୍ଷ ଯବାନଙ୍କ ପରିବାର ମଧ୍ୟ ସେହି ଅନିଶ୍ଚିତତା ମଧ୍ୟରେ ଥିବେ ଠିକ୍‌ ମୁଁ, ମୋର ବନ୍ଧୁପତ୍ନୀ ଓ ତା’ ପରିବାର ଲୋକଙ୍କ ପରି। ପ୍ରେମ ଓ ଜାତୀୟତା ମଧ୍ୟରେ ଦୂରତା ଅନେକ, ହୁଏତ ମିଶ୍ରଣ ଅସମ୍ଭବ।

ଏଥର ନିଜ ଦେଶର ନିଜ ଲୋକଙ୍କ ବିପକ୍ଷରେ ନିଜେ ବନ୍ଧୁକ ଧରିଲା ବେଳେ ମୋର ବନ୍ଧୁଟି ସତେରେ କ’ଣ ଭାବୁଥିବ ? ଏହି କଥା ଗଲା ପାଞ୍ଚ ତାରିଖଠାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି। ହଁ, ସେ ମୋର ପ୍ରଧାନମନ୍ତ୍ରୀ। ହୁଏତ ମୁଁ ତାଙ୍କର ଅନେକ କଥାରେ ଅସହମତ ହୋଇପାରୁଥାଏ। ପଚାରିବାକୁ ଇଚ୍ଛା କରିବି କ’ଣ ସତେରେ ଏହା ପରେ ମୋର ବନ୍ଧୁ ଜଣକ ଟ୍ରିଗର ଉପରୁ ଆଙ୍ଗୁଳି ଉଠାଇ ନିଶ୍ଚିନ୍ତରେ ଟିକେ ଶୋଇପାରିବ ? ସେ ଆଉ ନିଜ ଦେଶର ସେହି କାଶ୍ମୀର ଲୋକଙ୍କୁ ଏନକାଉଣ୍ଟର କରିବନି, ହରଣଚାଳ କରିବନି, ପେଲେଟ ଗନରେ ମାରିବନି, ରାତି ଅଧରେ ଉଠାଇବନି ତ ଯଦି ତୁମ କଥା ସତ ହୋଇଥାଏ ଯେ କାଶ୍ମୀରରେ ସମ୍ପୂର୍ଣ୍ଣ ଶାନ୍ତି ଚାଲିଆସିଛି ? ସତେରେ କ’ଣ ଏହାପରେ କାଶ୍ମୀରବାସୀ ମୋର ବନ୍ଧୁଙ୍କୁ ହସି ହସି ବିଦାୟ ଦେବେ ଓ ଉଗ୍ରପନ୍ଥୀମାନଙ୍କୁ ନିପାତ କରିପାରିଥିବା ହେତୁ ଧନ୍ୟବାଦ ଜଣାଇବେ ? ବହୁ ବର୍ଷ ତଳେ ଏମିତି ଏକ ଛବି ଟିଭି ପରଦାରେ ଆଫଗାନିସ୍ତାନରେ ଦେଖିଥିଲି। ଛୋଟ ଝିଅଟିଏ ରୁଷ ସଶସ୍ତ୍ର ବାହିନୀର ଟ୍ୟାଙ୍କ ଫେରିଯାଉଥିଲାବେଳେ ଯବାନଟିକୁ ଫୁଲଟିଏ ଆଣି ଦେଉଥିଲା। ବହୁତ ବର୍ଷ ପରେ ଜାଣିଲି ତାହା ସ୍ବତଃ ସ୍ଫୂର୍ତ୍ତ ନଥିଲା, ଛବିଟିକୁ ଟିଭି ପାଇଁ ତିଆରି କରାଯାଇଥିଲା। ଠିକ୍‌ ଅଛି ଯେ କାଶ୍ମୀରବାସୀ ମୋର ବନ୍ଧୁଙ୍କୁ ଏହାପରେ ହସି ହସି ବିଦାୟ ନ ଦେଇପାରନ୍ତି। କାରଣ ପ୍ରତିବାଦ ଓ ପ୍ରତିଶୋଧ ମଧ୍ୟରେ ଅନେକ ଦୂରତା ରହିଛି। ଆମେ ଅଳ୍ପ କିଛି ଜନଗଣ ଆଜି ସରକାରଙ୍କୁ କେବଳ ନିଜର ପ୍ରତିବାଦ ଜଣାଉଛୁ। ସେମାନେ କିନ୍ତୁ ପ୍ରତିଶୋଧ ଓ ପ୍ରତିହିଂସାର ଅଗ୍ନିରେ ଜଳୁଛନ୍ତି, ଠିକ୍‌ ଆଫଗାନିସ୍ତାନ, ପାଲେଷ୍ଟାଇନ୍‌ ଓ ସିରିଆ ଭଳି। ମହାତ୍ମା ଗାନ୍ଧିଙ୍କର ସେହି କଥା ଯେ ତୁମେ ଯଦି ଆଖି ବଦଳରେ ଆଖି ନେବାକୁ ଚାହିଁବ ତେବେ ବିଶ୍ବ ଅନ୍ଧ ପାଲଟିଯାଇଥିବା ଜାଣିବ। ଏହା ଶାସକଙ୍କ ପାଇଁ ଅଧିକ ପ୍ରଯୁର୍ଜ୍ୟ। ସମଗ୍ର ରାଜ୍ୟବାସୀଙ୍କୁ ବିଜେପି ସରକାର ଜଣେ ଜଣେ ଉଗ୍ରପନ୍ଥୀ ଅଥବା ସମ୍ଭାବ୍ୟ ଉଗ୍ରପନ୍ଥ ଭାବରେ ଦେଖିବା ଓ ରାଜ୍ୟକୁ ସଂଘୀୟ ସ୍ଥିତିରୁ ଉଚ୍ଛେଦ କରି କେନ୍ଦ୍ରର ଅଧୀନକୁ ନେଇ ଆସିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାତିକ ଭିତରେ ହଜାର ହଜାର ଯବାନଙ୍କୁ ଗୋଟେ ଛୋଟ ସ୍ଥାନକୁ ପଠାଇ ସେମାନଙ୍କୁ ଘେରାବନ୍ଦୀ କରିଦେଲେ! ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପ କିପରି ଏକ ମହାନ ଜାତୀୟତାବାଦୀ କାର୍ଯ୍ୟ ହୋଇଗଲା କିନ୍ତୁ ଏକ ରାଜ୍ୟ ଉପରେ କେନ୍ଦ୍ର ସରକାର ଲଗାତର ଭାବରେ ସୈନ୍ୟ ପଠାଇ ଅତ୍ୟାଚାର କରିଚାଲିବା ଆମ ଆଲୋଚନାର କେନ୍ଦ୍ର ବିନ୍ଦୁ କେବେ ବି ହୋଇପାରିଲା ନାହିଁ ? ଦୁଃଖର କଥା ଯେ ଆମର ଜାତୀୟତା ଆମର ମାନବିକତାକୁ ଢାଙ୍କିଦେଇଛି ଓ ଏହା ଆମକୁ ଅନେକ ବିଷୟରେ ଅନ୍ଧ କରିଦେଉଛି।

ଧାରା ୩୭୦ ଉଚ୍ଛେଦ ଦ୍ବାରା କାଶ୍ମୀରବାସୀ ଉପକାର ପାଇବେ କି ନାହିଁ ତାହା ମୁଁ କହିପାରୁନି। ଏବେ ତ ବିଭିନ୍ନ ତୁଳନାତ୍ମକ ରିପୋର୍ଟ ଆସିଲାଣି ଯେ କାଶ୍ମୀରର ଶିକ୍ଷା, ଅପପୃଷ୍ଟି, ଶିଶୁ ମୃତ୍ୟୁହାର ଇତ୍ୟାଦି କ୍ଷେତ୍ରରେ ଜାତୀୟ ହାର ଏପରିକି ଗୁଜୁରାଟଠାରୁ ଜାମୁ ଓ କାଶ୍ମୀରର ସ୍ଥିତି ବେଶ୍‌ ଉନ୍ନତ। ତଥ୍ୟ ଜାଣିବାର ଅଧିକାର ୨୦୦୪ ମସିହାରୁ ସେଠାରେ ଲାଗୁ ହୋଇଥିଲା। ବର୍ତ୍ତମାନ ସରକାରଙ୍କ ଜିଏସ୍‌ଟିକୁ ଜାମ୍ମୁ କାଶ୍ମୀର ସରକାର ବିଧାନସଭାରେ ପାସ୍‌ କରିଥିଲେ। ଦ୍ବୈତ ନାଗରିକ ବ୍ୟବସ୍ଥା କେବଳ ମିଥ୍ୟା ପ୍ରଚାର। ଯେକୌଣସି ଭାରତୀୟ ଭିସା ଓ ପାସପୋର୍ଟ ସାହାଯ୍ୟରେ ଯେମିତି ଅନ୍ୟ ଦେଶକୁ ଯାଇପାରିବ ସେମିତି ପାକିସ୍ତାନୀ ଜଣେ ଆସିପାରିବ। କିନ୍ତୁ ସେ କାଶ୍ମୀରରେ ସ୍ଥାୟୀ ବାସିନ୍ଦା ହୋଇପାରିବ ନାହିଁ। କାଶ୍ମୀରର ସମ୍ବିଧାନରେ ଜଣେ ଭାରତୀୟ ‘ସ୍ଥାୟୀ ବାସିନ୍ଦା’ ଓ ସେ କାମ ଅନ୍ବେଷଣରେ କାଶ୍ମୀର ଯାଇପାରିବ। କେବଳ କାଶ୍ମୀରରେ କାହିଁକି ନାଗାଲାଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମାନ ନିକୋବରରେ ଅନ୍ୟ ପ୍ରଦେଶର ଲୋକେ ଜାଗା କିଣିପାରିବେ ନାହିଁ। ବିବାହିତା କାଶ୍ମୀର ଝିଅ ବିବାହ ପରେ ନିଜ ଜମିର ଅଧିକାର ନିଜ ରାଜ୍ୟରେ ହରାଇବା ଯେଉଁ ପ୍ରସ୍ତାବ ଥିଲା ତାହାକୁ ସେଠାର ହାଇକୋର୍ଟ ୨୦୦୧ ମସିହାରୁ ଉଚ୍ଛେଦ କରିସାରିଛି। ଏହାପରେ ବି କ’ଣ ଆମ୍ଭେମାନେ କାଶ୍ମୀରରେ ଚାଲିଥିବା ମାନବିକ ଅଧିକାର ଉଲ୍ଲଂଘନ ବିପକ୍ଷରେ କୌଣସି ସ୍ବର ଉଠାଇବା ନାହିଁ ? ଆଜି ସାଧାରଣ କାଶ୍ମୀର ନାଗରିକ କେତେବେଳେ ଭାରତୀୟ ଯବାନ ତ ପୁଣି କେତେବେଳେ ସ୍ଥାନୀୟ ଉଗ୍ରପନ୍ଥୀ ପୁଣି ସୀମାରେ ପାକିସ୍ତାନୀ ସୈନ୍ୟର ଗୁଳିରେ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ ବିଜେପିର ରାଜ୍ୟ ମୁଖ୍ୟମାନେ ଯେଉଁ ଭଳି ବୟାନ ଦେଉଛନ୍ତି ସେଥିରୁ ଜଣାପଡୁଛି ଯେ ଆମେ କେଉଁ ଅଷ୍ଟାଦଶ ଶତାବ୍ଦୀର ରାଜାଙ୍କ ଯୁଦ୍ଧ ଜୟର କାହାଣୀ ଲେଖୁଛୁ। ସେତେବେଳେ ରାଜାମାନେ ଯୁଦ୍ଧ ଲଢୁଥିଲେ ଭୂଖଣ୍ଡକୁ ଅକ୍ତିଆର କରିବା ଲାଗି ଓ ଅକ୍ତିଆର କରିବା ପରେ ଶତ୍ରୁ ରାଜ୍ୟର ଯୁବକମାନଙ୍କୁ ହତ୍ୟା କରୁଥିଲେ, ନାରୀକୁ ଉପଭୋଗ କରୁଥିଲେ ଓ ଜମିକୁ ନିଜ କବ୍‌ଜାକୁ ଆଣୁଥିଲେ। ହୁଏତ କେହି ସାଧାରଣ ମଣିଷ ଜମି କିଣୁ କି ନକିଣୁ ଏବେ ରିଲାଏନ୍ସ କମ୍ପାନୀ ଘୋଷଣା କରିଛି ସ୍ବତନ୍ତ୍ର ପ୍ୟାକେଜ୍‌ ଦେଇ ସେ କାଶ୍ମୀରରେ ଜମି ଅଧିଗ୍ରହଣ କରିବ ଓ ସେଠାରେ ବିକାଶ କରିବ। ଗଣତନ୍ତ୍ର ଓ  ଗଣ – କର୍ପୋରେଟତନ୍ତ୍ର ମଧ୍ୟରେ ଥିବା ପାର୍ଥକ୍ୟ ଆଉ କିଛି ନାହିଁ। କଂଗ୍ରେସ ପାର୍ଟି ଯେଉଁ ଆର୍ଥିକ କ୍ଷେତ୍ରରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଥିଲା ସେହି ସମାନ ପ୍ରକ୍ରିୟାକୁ ବିଜେପି ଦ୍ରୁତଗତିରେ ଆପଣାଇ ଚାଲିଛି।

ଗଣତନ୍ତ୍ରକୁ ମୁଁ ମୋର ସ୍କୁଲ ବହିରେ ଯାହା ପଢିଛି ଆଜି ତାହା ଗଣତନ୍ତ୍ର ନୁହେଁ ଓ ଆଜି ଗଣତନ୍ତ୍ର କହିଲେ ଯାହା ବୁଝାପଡେ ତାହା କିନ୍ତୁ ସ୍କୁଲ ବହିରେ କେବେ ଲେଖାହୋଇନଥିଲା। ମୁଁ ସ୍ବପ୍ନ ଦେଖୁଥିଲି ୭୦ ବର୍ଷର ସ୍ବାଧୀନତା ଭିତରେ ମୋର ଦେଶ ଏତେ ଉପରକୁ ଉଠିଯାଇଥିବ ଯେ ସାରା ବିଶ୍ବକୁ ସେ କହୁଥିବ ଗଣତନ୍ତ୍ର ମଧ୍ୟରେ ନା ରଙ୍ଗ ନା ଜାତି ନା ଅର୍ଥ (ଆର୍ଥିକ) ନା ଧର୍ମର କୌଣସି ପ୍ରଭେଦ ରହିଛି। ସମସ୍ତେ ଶାନ୍ତି ଓ ସୁଖରେ ଅବସ୍ଥାନ କରିବାର ପଦ୍ଧତି ହେଲା ଏହି ଗଣତନ୍ତ୍ର। କିନ୍ତୁ ବାସ୍ତବତା ହେଲା ଦେଶ ସତରେ ବହୁତ ଉଚ୍ଚକୁ ଚାଲିଯାଇଥିବା ଲାଗୁଛି କାରଣ ଏଥିରେ ଅନେକ ଆଜି ଆଣ୍ଠେଇ ପଡିଛନ୍ତି। ଦେଶ ଯଦି କିଛି ଦେଉଛି ତେବେ ତାହା ଖଜୁରୀ ଗଛର କୋଳି, ନିଶୁଣି ଥିବା ଲୋକ ହିଁ ନେଇପାରୁଛି। ଏବେ ଗାନ୍ଧିଙ୍କ ୧୫୦ତମ ଜନ୍ମତିଥି ପାଳନ କରୁଛେ। କିନ୍ତୁ ଗଣତନ୍ତ୍ରକୁ ସୁଧାରିବାର ପ୍ରୟାସ ଆମେ କରୁନାହୁଁ କାରଣ ଏଭଳି ଗଣତନ୍ତ୍ରକୁ ନେଇ ଭାବପ୍ରବଣ ସାଜିବାର ଅନେକ କାରଣ ରହୁଛି।

Categories
ଆଜିର ଖବର

ଜମ୍ମୁ କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ପ୍ରସଙ୍ଗ : ଧାରା ୩୫ ଏ ଏବଂ ୩୭୦ ଉଠିବା ଦରକାର : ରାଜନାଥ

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଉପସଭାପତି ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦାବି କରିବା ଉପରେ ନିଜର ମତାମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଅଲଗା ପ୍ରଧାନମନ୍ତ୍ରୀ ଦାବି କରିବା ଫଳରେ ସରକାର ଧାରା ୩୫ ଏ ଏବଂ ୩୭୦ ଉଚ୍ଛେଦ କରିବା ପାଇଁ ବାଧ୍ୟ ହେବେ। ଏହି ଦୁଇ ଧାରା ଯୋଗୁଁ ଜମ୍ମୁ ଏବଂ କାଶ୍ମୀରକୁ ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ମାନ୍ୟତା ମିଳିଛି। ଏହା ଯୋଗୁଁ ଏପରି ମତାମତ ଦିଆଯାଉଛି ବୋଲି ଜମ୍ମୁରେ ଏକ ନିର୍ବାଚନୀ ରାଲିରେ କହିଥିଲେ ରାଜନାଥ। ଭବିଷ୍ୟତରେ ଯଦି ଏପରି ଦାବି ଉଠେ ତେବେ ସରକାର ସିଧାସଳଖ ଏହି ଦୁଇ ଧାରାର ଉଚ୍ଛେଦ କରିବେ। ଏହା ସହିତ ଭବିଷ୍ୟତରେ ଏହି ବିଷୟ ନେଇ କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ରାଜନାଥ କହିଛନ୍ତି। ଆତଙ୍କବାଦକୁ ନେଇ ସରକାର ସମ୍ପୂର୍ଣ୍ଣ ଭାବରେ କଡା ଆଭିମୁଖ୍ୟ ଗ୍ରହଣ କରିବେ ବୋଲି କହିଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ସେନା ଏନ୍‌କାଉଣ୍ଟରରେ ଲସ୍କର ଏ ତୋଏବାର ୪ ଆତଙ୍କୀ ନିହତ

ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଲସିପୋରାଠାରେ ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତମାନେ ଲଶ୍କର-ଏ-ତଇବା ସଂଗଠନର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ୨ଟି ଏକେ-୪୭, ଗୋଟିଏ ଏସଏଲଆର ଏବଂ ଏକ ପିସ୍ତଲ ରହିଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯିବା ସହ ସର୍ଚ୍ଚ ଅପରେଶନକୁ କଡ଼ାକଡ଼ି କରାଯାଇଛି। ଏହି ଆକ୍ରମଣରେ ଜଣେ ଲସ୍କର କମାଣ୍ଡର ନିହତ ହାେଇଥିବାର ସୂଚନା ମିଳିଛି। ଏନ୍‌କାଉଣ୍ଟର ସମାପ୍ତ ହୋଇଥିଲେ ମଧ୍ୟ ସୋମବାର ସକାଳୁ କିଛି ସ୍ଥାନରେ ଝଗଡା ଚାଲିଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଗୁଇନ୍ଦା ସୂଚନା ଅନୁଯାୟୀ ପୁଲଓ୍ବାମାର ଲସ୍ସିପାେରାରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା। ଏହାପରେ ସେନା ପକ୍ଷରୁ ରାଷ୍ଟ୍ରୀୟ ରାଇଫଲ୍‌ସ, ଏବଂ ଜମ୍ମୁ କାଶ୍ମୀର ପୁଲିସର ଏସ୍‌ଓଜି ଗ୍ରୁପ୍‌ ସହିତ ରାତି ପ୍ରାୟ ୨ଟାରେ ଆକ୍ରମଣ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଯବାନମାନେ କଡ଼ା ଜବାବ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଯବାନଙ୍କ ଗୁଳିରେ ୪ ଆତଙ୍କୀ ଟଳି ପଡିଥିଲେ। ଏହି ଆକ୍ରମଣରେ ସେନାର ତିନି ଯବାନ ଏବଂ ଜଣେ ଏସ୍‌ଓଜି କମାଣ୍ଡୋ ଆହତ ହୋଇଛନ୍ତି। ନିହତ ଆତଙ୍କୀ ମାନେ ହେଉଛନ୍ତି ଜାଫର ଅହମ୍ମଦ ପଲ୍‌, ଯିଏକି ଦକ୍ଷିଣ କାଶ୍ମୀରରେ କମାଣ୍ଡର ଭାବରେ କାର୍ଯ୍ୟ କରୁଥିଲା। ଅନ୍ୟ ମୃତ ଆତଙ୍କୀଙ୍କ ନାମ ତୌଫିକ୍‌, ଅସଫାକ୍‌ ଏବଂ ଅକ୍ବିବ୍‌ ଦର୍‌ ବୋଲି ଜଣାପଡିଛି।