ସେନା ଏନ୍‌କାଉଣ୍ଟରରେ ଲସ୍କର ଏ ତୋଏବାର ୪ ଆତଙ୍କୀ ନିହତ

Published: Apr 1, 2019, 11:38 am IST
4 let militans killed in encounter

ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଲସିପୋରାଠାରେ ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତମାନେ ଲଶ୍କର-ଏ-ତଇବା ସଂଗଠନର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ୨ଟି ଏକେ-୪୭, ଗୋଟିଏ ଏସଏଲଆର ଏବଂ ଏକ ପିସ୍ତଲ ରହିଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯିବା ସହ ସର୍ଚ୍ଚ ଅପରେଶନକୁ କଡ଼ାକଡ଼ି କରାଯାଇଛି। ଏହି ଆକ୍ରମଣରେ ଜଣେ ଲସ୍କର କମାଣ୍ଡର ନିହତ ହାେଇଥିବାର ସୂଚନା ମିଳିଛି। ଏନ୍‌କାଉଣ୍ଟର ସମାପ୍ତ ହୋଇଥିଲେ ମଧ୍ୟ ସୋମବାର ସକାଳୁ କିଛି ସ୍ଥାନରେ ଝଗଡା ଚାଲିଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଗୁଇନ୍ଦା ସୂଚନା ଅନୁଯାୟୀ ପୁଲଓ୍ବାମାର ଲସ୍ସିପାେରାରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା। ଏହାପରେ ସେନା ପକ୍ଷରୁ ରାଷ୍ଟ୍ରୀୟ ରାଇଫଲ୍‌ସ, ଏବଂ ଜମ୍ମୁ କାଶ୍ମୀର ପୁଲିସର ଏସ୍‌ଓଜି ଗ୍ରୁପ୍‌ ସହିତ ରାତି ପ୍ରାୟ ୨ଟାରେ ଆକ୍ରମଣ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଯବାନମାନେ କଡ଼ା ଜବାବ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଯବାନଙ୍କ ଗୁଳିରେ ୪ ଆତଙ୍କୀ ଟଳି ପଡିଥିଲେ। ଏହି ଆକ୍ରମଣରେ ସେନାର ତିନି ଯବାନ ଏବଂ ଜଣେ ଏସ୍‌ଓଜି କମାଣ୍ଡୋ ଆହତ ହୋଇଛନ୍ତି। ନିହତ ଆତଙ୍କୀ ମାନେ ହେଉଛନ୍ତି ଜାଫର ଅହମ୍ମଦ ପଲ୍‌, ଯିଏକି ଦକ୍ଷିଣ କାଶ୍ମୀରରେ କମାଣ୍ଡର ଭାବରେ କାର୍ଯ୍ୟ କରୁଥିଲା। ଅନ୍ୟ ମୃତ ଆତଙ୍କୀଙ୍କ ନାମ ତୌଫିକ୍‌, ଅସଫାକ୍‌ ଏବଂ ଅକ୍ବିବ୍‌ ଦର୍‌ ବୋଲି ଜଣାପଡିଛି।

Related posts