ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ବଡ଼ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଭାବିତ ପରିବାରଙ୍କୁ ତୁରନ୍ତ ରିଲିଫ୍ ଯୋଗାଇବା ସହ ଚାଷୀ, ମତ୍ସ୍ୟଜୀବୀ, ପଶୁପାଳକ, ବ୍ୟବସାୟୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ କାରିଗରଙ୍କ କ୍ଷତି ଭରଣା ପାଇଁ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି।
ପ୍ରାଥମିକ ରିଲିଫ୍ ଭାବେ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହ ୨୫୦୦ ଟଙ୍କା ଦିଆଯିବ। ତେବେ ବାତ୍ୟା ଓ ବର୍ଷା ଯୋଗୁଁ ହୋଇଥିବା ସମସ୍ତ କ୍ଷୟକ୍ଷତିର ଆକଳନ ଏଯାଏଁ ଶେଷ ହୋଇନାହିଁ। ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ଆବଶ୍ୟକତା ଅନୁଯାୟୀ ପରବର୍ତ୍ତୀ ସହାୟତା ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଏହି ଘୋଷଣା ପୂର୍ବରୁ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି, ରିଲିଫ୍ ବଣ୍ଟନ, ପୁନର୍ନିର୍ମାଣ ଓ କ୍ଷୟକ୍ଷତି ଆକଳନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିସନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ।
ବାତ୍ୟାର ପ୍ରଭାବ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ ନିୟମିତ ଯୋଗାଯୋଗ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏନେଇ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଆସନ୍ତା ନଭେମ୍ବର ୨ ତାରିଖରେ ଏକ କେନ୍ଦ୍ରୀୟ ଆନ୍ତଃମନ୍ତ୍ରାଳୟ ଟିମ୍ ଓଡ଼ିଶା ଗସ୍ତ କରିବ। ବିଶେଷ କରି ଅଧିକ ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବ ଏହି ଟିମ୍।
କୃଷି କ୍ଷେତ୍ର ପାଇଁ ଘୋଷିତ ପ୍ୟାକେଜ୍ରେ ୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିବା ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ଜମି ପର୍ଯ୍ୟନ୍ତ ଇନ୍ପୁଟ୍ ସବସିଡି ମିଳିବ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୧୭ ହଜାର ଟଙ୍କା ଏବଂ ବାରମାସୀ ଫସଲ ପାଇଁ ୨୨,୫୦୦ ଟଙ୍କା ସହାୟତା ଦିଆଯିବ। ଜମିରୁ ବାଲି ଓ ପଟୁ ମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ମିଳିବ। ଏଥିସହ ପ୍ରଭାବିତ ଚାଷୀଙ୍କୁ ଡାଲି, ତୈଳବୀଜ ଓ ପନିପରିବାର ମୋଟ ୧ ଲକ୍ଷ ୭୫ ହଜାର ସ୍ୱତନ୍ତ୍ର ମିନିକିଟ୍ ଯୋଗାଇ ଦିଆଯିବ।
ଆଖୁ ଚାଷୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସହାୟତା ରହିଛି। ପ୍ରଭାବିତ ୨ ହଜାର ହେକ୍ଟର ଅଞ୍ଚଳରେ ଆଖୁ ଚାଷର ପୁନରୁଦ୍ଧାର ପାଇଁ ଆବଶ୍ୟକତା ଅନୁଯାୟୀ ହେକ୍ଟର ପିଛା ୨୭,୫୦୦ ଟଙ୍କା କିମ୍ବା ରେଟୁନ୍ ଫସଲ ପରିଚାଳନା ପାଇଁ ୧୨,୫୦୦ ଟଙ୍କା ଦିଆଯିବ। ରବି ଋତୁରେ କୀଟନାଶକ ଓ ଜୈବ କୀଟନାଶକ କିଣା ଉପରେ ୭୫ ପ୍ରତିଶତ ସବସିଡି ମଧ୍ୟ ମିଳିବ। ଅନ୍ୟପଟେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିବା ଅଞ୍ଚଳର ଇଚ୍ଛୁକ ଚାଷୀଙ୍କ ଖରିଫ୍ ଋଣକୁ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ। ଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଇବା ପାଇଁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ ଗଠନ କରାଯିବ।
ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ମଧ୍ୟ ଘୋଷିତ ପ୍ୟାକେଜ୍ରେ ସାମିଲ କରାଯାଇଛି। ସମ୍ପୂର୍ଣ୍ଣ କିମ୍ବା ଗୁରୁତର ଭାବେ ନଷ୍ଟ ହୋଇଥିବା ଘର ପାଇଁ ସମତଳ ଅଞ୍ଚଳରେ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳରେ ୧ ଲକ୍ଷ ୩୦ ହଜାର ଟଙ୍କା ମିଳିବ। ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା ଓ କଚ୍ଚା ଘର ପାଇଁ ୪ ହଜାର ଟଙ୍କା ଦିଆଯିବ। କ୍ଷତିଗ୍ରସ୍ତ କୁଡ଼ିଆ ପାଇଁ ୮ ହଜାର ଏବଂ ଗୁହାଳ ପାଇଁ ୩ ହଜାର ଟଙ୍କା ସହାୟତା ରହିଛି। ଘର ଭାସିଯାଇଥିବା, ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କିମ୍ବା ଦୁଇ ଦିନରୁ ଅଧିକ ସମୟ ଜଳମଗ୍ନ ରହିଥିବା ପରିବାରଙ୍କୁ ପୋଷାକ ଓ ବାସନକୁସନ ପାଇଁ ଅଲଗା ଅଲଗା ୨,୫୦୦ ଟଙ୍କା ଲେଖାଏଁ ମିଳିବ।
ପଶୁସମ୍ପଦ ହରାଇଥିବା ଚାଷୀଙ୍କ ପାଇଁ ମଧ୍ୟ କ୍ଷତିପୂରଣ ବ୍ୟବସ୍ଥା ହୋଇଛି। ଦୁଧିଆଳି ଗାଈ ଓ ମଇଁଷିର ମୃତ୍ୟୁ ପାଇଁ ୩୭,୫୦୦ ଟଙ୍କା, ମେଣ୍ଢା, ଛେଳି ଓ ଘୁଷୁରି ପାଇଁ ୪ ହଜାର ଟଙ୍କା ଦିଆଯିବ। ବଡ଼ ଭାରବାହୀ ପଶୁ ପାଇଁ ୩୨ ହଜାର ଏବଂ ଛୋଟ ଭାରବାହୀ ପଶୁ ପାଇଁ ୨୦ ହଜାର ଟଙ୍କା ସହାୟତା ରହିଛି। କୁକୁଡ଼ା ମୃତ୍ୟୁ ପାଇଁ ପିଛା ୧୦୦ ଟଙ୍କା ହିସାବରେ ସର୍ବାଧିକ ୧୦ ହଜାର ଟଙ୍କା ମିଳିବ। ଏହାବ୍ୟତୀତ ୫ ହଜାର ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ ଏବଂ ୭୦ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ୨୦୦ କୁକୁଡ଼ା ଫାର୍ମକୁ ପୁନରୁଦ୍ଧାର ସହାୟତା ଦିଆଯିବ।
ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ଅର୍ଥ ସହାୟତା ଘୋଷଣା ହୋଇଛି। କ୍ଷତିଗ୍ରସ୍ତ ମାଛ ଚାଷୀଙ୍କୁ ହେକ୍ଟର ପିଛା ୧ ଲକ୍ଷ ୧୨ ହଜାର ୫୦୦ ଟଙ୍କା ହାରରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ସହାୟତା ମିଳିବ। ମାଛ ଧରା ଡଙ୍ଗା ଓ ଜାଲ ନଷ୍ଟ ହୋଇଥିଲେ ମଧ୍ୟ ସହାୟତା ଦିଆଯିବ। ସାମୁଦ୍ରିକ ଓ ଚିଲିକା ମତ୍ସ୍ୟଜୀବୀଙ୍କ ପାଇଁ ଡଙ୍ଗା କ୍ଷତି ବାବଦରେ ୬୦ ହଜାର ଟଙ୍କା ଏବଂ ଜାଲ ପାଇଁ ୧୫ ହଜାର ଟଙ୍କା ରହିଛି। ପୋଖରୀ ବନ୍ଧ ଭାଙ୍ଗିଯିବା କିମ୍ବା ମାଟି କ୍ଷୟ ହେବା କ୍ଷେତ୍ରରେ ମଧ୍ୟ ସହାୟତା ମିଳିବ। ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଲିଜ୍ରେ ନେଇଥିବା ସାମୂହିକ ପୋଖରୀ ପାଇଁ ହେକ୍ଟର ପିଛା ସର୍ବାଧିକ ୧ ଲକ୍ଷ ୭୫ ହଜାର ଟଙ୍କା ଦିଆଯିବ।
ବାତ୍ୟାରେ କ୍ଷତିଗ୍ରସ୍ତ ଛୋଟ ବ୍ୟବସାୟୀ, ଦୋକାନୀ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କୁ ମଧ୍ୟ ସରକାର ସହାୟତା ଯୋଗାଇବେ। କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ସର୍ବାଧିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଏହି ଋଣରେ ସର୍ବାଧିକ ୩ ଲକ୍ଷ ଟଙ୍କା ଉପରେ ୨୫ ପ୍ରତିଶତ ସବସିଡି ଦେବେ ରାଜ୍ୟ ସରକାର। ଉଠାଦୋକାନୀ ଓ ଅସ୍ଥାୟୀ ଷ୍ଟଲ୍ ପାଇଁ ୧୦ ହଜାର ଟଙ୍କା ଏବଂ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ୨୫ ହଜାର ଟଙ୍କା ସହାୟତା ମିଳିବ। ପ୍ରଭାବିତ ଯୋଗ୍ୟ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଅତିରିକ୍ତ ୫ ହଜାର ଟଙ୍କା ସିଡ୍ ମନି ଦିଆଯିବ।
ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ କାମ କରୁଥିବା ବୁଣାକାର ଓ କାରିଗରଙ୍କୁ ଯନ୍ତ୍ରପାତି ଓ ଉପକରଣ ବଦଳାଇବା ପାଇଁ ୫ ହଜାର ଟଙ୍କା ଏବଂ ନଷ୍ଟ ହୋଇଥିବା ସାମଗ୍ରୀ ପାଇଁ ଆଉ ୫ ହଜାର ଟଙ୍କା ସହାୟତା ମିଳିବ। ରେଶମ ଚାଷୀଙ୍କୁ ମଧ୍ୟ ହେକ୍ଟର ପିଛା ୬ ହଜାରରୁ ୭,୫୦୦ ଟଙ୍କା ପର୍ଯ୍ୟନ୍ତ ଇନ୍ପୁଟ୍ ସହାୟତା ଦିଆଯିବ। ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ରେଶମ ପାଳନ ଗୃହ ପାଇଁ ୧ ଲକ୍ଷ ୭୫ ହଜାର ଟଙ୍କା ମିଳିବ।
ବାତ୍ୟା ପରବର୍ତ୍ତୀ ସମୟରେ କୃଷି କାର୍ଯ୍ୟକୁ ପୁଣି ସ୍ୱାଭାବିକ କରିବା ପାଇଁ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ମରାମତିକୁ ମଧ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ରବି ଋତୁ ଆରମ୍ଭ ପୂର୍ବରୁ ପ୍ରଭାବିତ ସମସ୍ତ ଗ୍ରାମର ଉଠା ଜଳସେଚନ ପଏଣ୍ଟକୁ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପ୍ୟାକେଜ୍ ଜରିଆରେ ତୁରନ୍ତ ରିଲିଫ୍ ସହ କୃଷି, ମତ୍ସ୍ୟଚାଷ, ପଶୁପାଳନ ଓ କ୍ଷୁଦ୍ର ବ୍ୟବସାୟର ପୁନରୁଦ୍ଧାର ଉପରେ ଜୋର୍ ଦିଆଯାଇଛି। ତେବେ ପ୍ରକୃତ କ୍ଷୟକ୍ଷତି ଆକଳନ ଶେଷ ହେବା ପରେ ଆଉ କେତେ ସହାୟତା ଘୋଷଣା ହେବ, ଏବେ ତାହା ଉପରେ ପ୍ରଭାବିତ ଲୋକଙ୍କ ନଜର ରହିଛି।


