ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରୁ କେନ୍ଦ୍ରର ବିଜେପି ସରକାର ବିରୋଧରେ ଏକଜୁଟ ହୋଇ ଗର୍ଜିଛନ୍ତି ବିରୋଧୀ ଦଳ। ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଭୂମିକାକୁ ନେଇ ଇଣ୍ଡିଆ ମେଣ୍ଟର ଏହି ରାଲିରେ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି। ରାଲିରେ ଯୋଗଦେଇ କଂଗ୍ରେସ ରାଜ୍ୟସଭା ସାଂସଦ କପିଲ ସିବଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଏହି ଆନ୍ଦୋଳନକୁ ବିଜେପି ସରକାରର ‘ଶେଷର ଆରମ୍ଭ’ ବୋଲି କହିଛନ୍ତି।
କପିଲ ସିବଲ କହିଛନ୍ତି, ଦେଶରେ ଦୁର୍ନୀତି ଓ ସାମ୍ବିଧାନିକ ବ୍ୟବସ୍ଥାର ଅବମାନନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ସରକାର ନିଜେ ଅରାଜକତା ସୃଷ୍ଟି କରିଛନ୍ତି। ଯଦି ସମ୍ବିଧାନ ଅନୁଯାୟୀ ସରକାର କାର୍ଯ୍ୟ କରିଥାନ୍ତେ, ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହ ସେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ମଧ୍ୟ କଟାକ୍ଷ କରିଥିଲେ।
କେବଳ କପିଲ ସିବଲ ନୁହନ୍ତି, ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ନିର୍ବାଚନ କମିଶନ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସିଧାସଳଖ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ। ଅନ୍ୟପଟେ କଂଗ୍ରେସ ସାଂସଦ ସୟଦ ନାସିର ହୁସେନ ରାଲିରେ ଯୋଗଦେଇଥିବା ବିପୁଳ ଜନସମାଗମକୁ ବିରୋଧୀଙ୍କ ପ୍ରତି ସମର୍ଥନର ପ୍ରତୀକ ବୋଲି କହିଥିଲେ। ଦେଶର ବିଭିନ୍ନ ସହରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।
ଇଣ୍ଡିଆ ମେଣ୍ଟର ‘ଚଲୋ ଦିଲ୍ଲୀ’ ଆହ୍ୱାନରେ ଦେଶର ବିଭିନ୍ନ ରାଜ୍ୟରୁ ବିରୋଧୀ ଦଳର ନେତା ଓ ହଜାର ହଜାର ସମର୍ଥକ ରାମଲୀଳା ମୈଦାନରେ ଏକାଠି ହୋଇଥିଲେ। SIR ପ୍ରକ୍ରିୟା ଏବଂ ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ସେମାନେ ଉଦ୍ବେଗ ପ୍ରକାଶ କରିଥିଲେ। ବିରୋଧୀଙ୍କ ଅଭିଯୋଗ, ନିର୍ବାଚନୀ ବ୍ୟବସ୍ଥାର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ଏହି ପ୍ରସଙ୍ଗ ପ୍ରଶ୍ନ ଉଠାଇଛି।
ଏହି ରାଲିରେ ବିରୋଧୀ ଏକତାର ବଡ଼ ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଆରଜେଡି ନେତା ତେଜସ୍ୱୀ ଯାଦବ, ଫାରୁକ ଅବଦୁଲ୍ଲା, ଡି. ରାଜା, ମେହବୁବା ମୁଫତି ଓ ଅଖିଳେଶ ଯାଦବଙ୍କ ସମେତ ବହୁ ପ୍ରମୁଖ ନେତା ଯୋଗ ଦେଇଥିଲେ।
ମିଣ୍ଟୋ ରୋଡ୍-କନଟ୍ ପ୍ଲେସ୍ ଛକରୁ ଆରମ୍ଭ ହୋଇଥିବା ପ୍ରତିବାଦ ଶୋଭାଯାତ୍ରା ରାମଲୀଳା ମୈଦାନ ଅଭିମୁଖେ ଯାଇଥିଲା। ଏହା ପୂର୍ବରୁ ଅକ୍ଟୋବର ୩୧ରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ରାଜଧାନୀରେ ଏକ ସାର୍ବଜନୀନ ‘ମହାଭିଯୋଗ’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
ଗୋଟିଏ ପଟେ ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ବିରୋଧୀଙ୍କ ଆକ୍ରମଣ, ଅନ୍ୟପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ଏକଜୁଟ ପ୍ରଦର୍ଶନ—ଦିଲ୍ଲୀର ଏହି ରାଲି ଜାତୀୟ ରାଜନୀତିକୁ ପୁଣି ଉଷ୍ମ କରିଛି। ଏହି ଆନ୍ଦୋଳନ କେବଳ ଗୋଟିଏ ଦିନର ପ୍ରତିବାଦରେ ସୀମିତ ରହିବ ନା ଦେଶବ୍ୟାପୀ ରାଜନୈତିକ ଅଭିଯାନର ରୂପ ନେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।


