ଭୁବନେଶ୍ବର: ପୂର୍ବରୁ ଭୋଟର ଭାବେ ପଞ୍ଜିକୃତ ହୋଇଥିବା ବ୍ୟକ୍ତିଙ୍କ ନାମ ଯଦି ଖସଡ଼ା ଭୋଟର ତାଲିକାରୁ ବାଦ୍ ପଡ଼ିଯାଇଛି, ତେବେ ସେମାନଙ୍କ ପାଇଁ ଏକ ଆଶ୍ୱାସନାଜନକ ଖବର ଆସିଛି। ଏପରି ଭୋଟରମାନେ ନିଜ ନାମକୁ ଚୂଡ଼ାନ୍ତ ଭୋଟର ତାଲିକାରେ ପୁନଃସାମିଲ କରିବା ପାଇଁ ଆଉ ସଙ୍କୋଚ ନକରି ଫର୍ମ-୬ ଦାଖଲ କରିପାରିବେ। ଏନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ସ୍ପଷ୍ଟ ସୂଚନା ଦିଆଯାଇଛି।
ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ସମୟରେ ଅନେକ ପୁରୁଣା ଭୋଟରଙ୍କ ନାମ ଚିଠା ତାଲିକାରୁ କଟିଯାଇଥିଲା। ଏହି ନାମଗୁଡ଼ିକୁ ପୁନଃସାମିଲ କରିବା ପାଇଁ ଫର୍ମ-୬ ଆବଶ୍ୟକ ହେଉଥିବା ବେଳେ, ସେଥିରେ ଏକ ବିଶେଷ ଘୋଷଣାନାମା ଦେବାକୁ ପଡ଼ିଥାଏ। ଉକ୍ତ ଫର୍ମ ଅନୁସାରେ ଆବେଦନକାରୀ ପ୍ରଥମ ଥର ପାଇଁ ନିଜ ନାମ ଭୋଟର ତାଲିକାରେ ସାମିଲ କରୁଛନ୍ତି ବୋଲି ଉଲ୍ଲେଖ କରିବାକୁ ହୋଇଥାଏ। ପୂର୍ବରୁ ଭୋଟର ଥିବା ବ୍ୟକ୍ତିମାନେ ଭାବୁଥିଲେ ଯେ ଏହି ଘୋଷଣାନାମା ପୂରଣ କଲେ ତାହା ମିଥ୍ୟା ଘୋଷଣା ଭାବେ ଗ୍ରହଣ କରାଯିବ ଏବଂ ଜନପ୍ରତିନିଧିତ୍ୱ ଆଇନ ୧୯୫୦ର ଧାରା ୩୧ ଅନୁଯାୟୀ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏହି ଆଶଙ୍କା ଯୋଗୁଁ ଅନେକ ଯୋଗ୍ୟ ଭୋଟର ଆବେଦନ କରିବାକୁ ପଛଘୁଞ୍ଚା ଦେଉଥିଲେ।
ଏହି ଦ୍ୱନ୍ଦ୍ୱ ଏବଂ ଭୟକୁ ଦୂର କରି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି ଯେ, କେବଳ ଚିଠା ତାଲିକାରୁ ନାଁ କଟିଯାଇଥିବା କାରଣରୁ ଫର୍ମ-୬ ଦାଖଲ କଲେ ତାହାକୁ ମିଥ୍ୟା ଘୋଷଣା ଭାବେ ଗ୍ରହଣ କରାଯିବ ନାହିଁ। କେବଳ ପୂର୍ବରୁ ନାମ ପଞ୍ଜିକୃତ ଥିବା କାରଣରୁ କାହା ବିରୋଧରେ ମାମଲା ରୁଜୁ ହେବ ନାହିଁ। ତେବେ ଯଦି କେହି ଜାଣିଶୁଣି ମିଥ୍ୟା ତଥ୍ୟ ଦିଅନ୍ତି କିମ୍ବା ଏକାଧିକ ସ୍ଥାନରେ ପଞ୍ଜିକରଣ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ କ୍ଷେତ୍ରରେ ଏହି ସୁରକ୍ଷା ଲାଗୁ ହେବ ନାହିଁ।
ନିର୍ବାଚନ କମିସନଙ୍କ ଏହି ସ୍ପଷ୍ଟୀକରଣ ପୂର୍ବରୁ ସର୍ବୋଚ୍ଚ ଅଦାଲତ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସମାନ କଥା ଦୋହରାଇଥିଲେ। ମହାରାଷ୍ଟ୍ରର ଚିଠା ଭୋଟର ତାଲିକାରୁ ବହୁ ସଂଖ୍ୟକ ନାମ ବାଦ୍ ପଡ଼ିବା ନେଇ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଥିଲେ ଯେ, ଭୋଟର ତାଲିକାରେ ପୁନଃନାମ ସାମିଲ ପାଇଁ ଫର୍ମ-୬ ଆବେଦନ କରୁଥିବା କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏପରିକି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ବି ଯଦି କୌଣସି ପ୍ରକୃତ ଭୋଟର ବାଦ୍ ପଡ଼ିଥାନ୍ତି, ତେବେ ସେମାନଙ୍କୁ ନିଜ ନାମ ଯୋଡ଼ିବା ପାଇଁ ଆବଶ୍ୟକ ସମୟ ଦିଆଯିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
ସାଧାରଣତଃ ନିଜର ଆବେଦନପତ୍ରକୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ହୋଇଥାଏ। ଏଥିରେ ଆବେଦନକାରୀଙ୍କ ନାମ, ସମ୍ପର୍କୀୟଙ୍କ ବିବରଣୀ, ଲିଙ୍ଗ, ଜନ୍ମ ତାରିଖ ଏବଂ ବର୍ତ୍ତମାନର ବାସସ୍ଥାନ ଭଳି ମୌଳିକ ସୂଚନା ସହ ପରିଚୟ ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିଥାଏ। ବର୍ତ୍ତମାନ କମିସନ ଏବଂ ଅଦାଲତଙ୍କ ଏହି ନିଷ୍ପତ୍ତି ଫଳରେ ସାଧାରଣ ନାଗରିକଙ୍କ ମନରୁ ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟ ଦୂର ହୋଇଛି ଏବଂ ସେମାନେ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ନିଶ୍ଚିନ୍ତ ଭାବେ ଆବେଦନ କରିପାରିବେ।


