ନୂଆଦିଲ୍ଲୀ: ଦେଶର ସରକାରୀ ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ଆଧୁନିକ, ଡିଜିଟାଲ୍ ଓ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୪,୩୭୧.୧୦ କୋଟି ଟଙ୍କାର ବ୍ୟୟବରାଦ ସହ ‘ଭିସ୍ତାର୍’ (VISTAR) ଯୋଜନାକୁ ଅନୁମୋଦନ ମିଳିଛି। ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ମାଧ୍ୟମରେ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ହାସଲ ପାଇଁ ତଥ୍ୟ-ଆଧାରିତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।
ମୋଟ ୪,୩୭୧.୧୦ କୋଟି ଟଙ୍କାର ବ୍ୟୟବରାଦ ବିଶିଷ୍ଟ ଏହି କେନ୍ଦ୍ରୀୟ କ୍ଷେତ୍ର ଯୋଜନାର ଉଦ୍ଦେଶ୍ୟ ହେଉଛି ଏକ ରିଅଲ୍-ଟାଇମ୍, ଗତିଶୀଳ ଏବଂ ଭବିଷ୍ୟତ-ଉପଯୋଗୀ ସରକାରୀ ପରିସଂଖ୍ୟାନ ବ୍ୟବସ୍ଥା ପ୍ରତିଷ୍ଠା କରିବା। ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ସହିତ ସିଧାସଳଖ ଜଡ଼ିତ ଏହି ‘ଭିସ୍ତାର’ ଯୋଜନାଟି ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ୍, ସମନ୍ୱିତ ତଥ୍ୟ ସଂରଚନା ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ସାଧାରଣ କାର୍ଯ୍ୟପ୍ରଣାଳୀରେ ସାମିଲ କରି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟକୁ ଆଧୁନିକୀକରଣ କରିବ।
ଏହି ଯୋଜନା ମନ୍ତ୍ରଣାଳୟର ସମସ୍ତ ପରିସଂଖ୍ୟାନ ଓ ତଥ୍ୟ ପରିଚାଳନା କାର୍ଯ୍ୟକୁ ତିନୋଟି ରଣନୈତିକ ଭାଗରେ ଯେପରିକି ବ୍ୟାପକ ପରିସଂଖ୍ୟାନ କାର୍ଯ୍ୟ ଏବଂ ପରିବେଶକୁ ସୁଦୃଢ଼ୀକରଣ, ପରିସଂଖ୍ୟାନ ସୁଦୃଢ଼ୀକରଣ ପାଇଁ ସହାୟତା ଏବଂ ଅଷ୍ଟମ ଅର୍ଥନୈତିକ ଗଣନା ଆଦିରେ ବିଭକ୍ତ କରିଛି। ବ୍ୟବସ୍ଥାଗତ ସମନ୍ୱୟ ଏବଂ ତଥ୍ୟ ପରିଚାଳନା ବ୍ୟତୀତ, ‘ଭିସ୍ତାର’ ଯୋଜନା କ୍ଷମତା ବିକାଶ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଛି। ଛାତ୍ରଛାତ୍ରୀଙ୍କ ପାଇଁ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଆରମ୍ଭ କରିବ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଗବେଷଣା ପ୍ରସ୍ତାବଗୁଡ଼ିକୁ ଆର୍ôଥକ ଅନୁଦାନ ଯୋଗାଇବ। ଏହାଦ୍ୱାରା ଗବେଷକ ଓ ଯୁବପିଢ଼ିମାନେ ଦେଶର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସିଧାସଳଖ ଯୋଗଦାନ କରିବାର ନୂତନ ସୁଯୋଗ ପାଇପାରିବେ। ଯାହାଦ୍ୱାରା ନୂତନ ଉଦ୍ଭାବନ ଏବଂ ଯୁବପିଢ଼ିଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହନ ମିଳିପାରିବ। ବିଭିନ୍ନ ବିଭାଗ ମଧ୍ୟରେ ତଥ୍ୟର ସୀମିତତାକୁ ଦୂର କରି, ଗୋପନୀୟତାର ସୁରକ୍ଷା ବଢ଼ାଇ ଏବଂ କମ୍ପ୍ୟୁଟର ଦ୍ୱାରା ପଢ଼ାଯାଇପାରୁଥିବା ପାରସ୍ପରିକ କାର୍ଯ୍ୟକ୍ଷମ ଡାଟାସେଟ୍ ପ୍ରସ୍ତୁତ କରି, ‘ଭିସ୍ତାର’ ଯୋଜନା ଭାରତୀୟ ପ୍ରଶାସନର ସମସ୍ତ ସ୍ତରରେ ତଥ୍ୟ-ଆଧାରିତ ଶାସନ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରୁଛି।


