ନୂଆଦିଲ୍ଲୀ: କଂଗ୍ରେସ ପାର୍ଟି ସମ୍ବିଧାନ ଦିବସରେ ପଦଯାତ୍ରା କରିବ। ୨୬ ନଭେମ୍ବରରେ ବାହାରିବାକୁ ଥିବା ଏହି ପଦଯାତ୍ରାର ନାଁ ସମ୍ବିଧାନ ବଞ୍ଚାଅ ମାର୍ଚ୍ଚ ହେବ। ମାର୍ଚ୍ଚରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସର ସମସ୍ତ ସାଂସଦ ଉପସ୍ଥିତ ରହିବେ। ବିରୋଧୀ ସାଂସଦଙ୍କ ସହ ଆଲୋଚନା ଚାଲିଛି। ସମ୍ବିଧାନ ବଞ୍ଚାଅ ମାର୍ଚ୍ଚରେ ବିରୋଧୀ ସାଂସଦ ମଧ୍ୟ ସାମିଲ ହୋଇପାରନ୍ତି।
ଏପଟେ SIR କୁ ନେଇ କଂଗ୍ରେସର ବିରୋଧ ପ୍ରଦର୍ଶନ ଉପରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଟାର୍ଗେଟ କରି କହିଛନ୍ତି ଯେ, ସେମାନେ ବାହାର ଲୋକଙ୍କୁ ସାଧାରଣ, ମାନ୍ୟତା ପ୍ରାପ୍ତ ଏବଂ ବୈଧ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଲୋକଙ୍କ ସମର୍ଥନରେ ସେ ବହୁ ଦିନ ଧରି କ୍ଷମତାରେ ରହିଛି। ଶ୍ରୀଯୁକ୍ତ ନଡ୍ଡା କହିଛନ୍ତି ଯେ, ବିଜେପି ବାହାର ଲୋକଙ୍କୁ ଚିହ୍ନଟ କରିବା, ସେମାନଙ୍କ ନାଁ ଭୋଟର ଲିଷ୍ଟରୁ ହଟାଇବା ଏବଂ ଦେଶରୁ ବାହାରକୁ ପଠାଇବା ସପକ୍ଷରେ ଅଛି। ସେ କଂଗ୍ରେସ ଉପରେ ନିର୍ବାଚନ ଆୟୋଗଙ୍କୁ ଦୁର୍ବଳ କରିବାର ଅଭିଯୋଗ ମଧ୍ୟ ଲଗାଇଛନ୍ତି।
ସେ କହିଛନ୍ତି ଯେ, ବିଜେପିର ଅମିତ ଶାହା ‘ଚିହ୍ନଟ କର, ନାଁ ହଟାଅ ଏବଂ ନିର୍ବାସିତ କର’ କଥା କହୁଛନ୍ତି। କଂଗ୍ରେସ ଏବଂ ‘ଇଣ୍ଡିଆ’ ମେଣ୍ଟ କ’ଣ କହୁଛି? ସେମାନେ କହୁଛନ୍ତି ଯେ, ବାହାର ଲୋକଙ୍କୁ ସାଧାରଣ କର, ସେମାନଙ୍କୁ ମାନ୍ୟତା ଦିଅ ଏବଂ ବୈଧ କର। ସେମାନଙ୍କ ଆଧାର କାର୍ଡ ଏବଂ ରାସନ କାର୍ଡ ତିଆରି କର ଏବଂ ସେମାନଙ୍କୁ ଏଠାରେ ରହିବାକୁ ଦିଅ। ସେମାନେ ଆପଣଙ୍କ ଭୋଟର, ସେମାନଙ୍କୁ ମାନ୍ୟତା ଦିଅ ଏବଂ ଭାରତୀୟ ରାଜନୀତିର ଅଂଶ କର। ଆପଣ କୁହନ୍ତୁ, କ’ଣ ଏଭଳି ଲୋକଙ୍କୁ ଚିହ୍ନଟ କରାଯିବା ଉଚିତ୍ ନୁହେଁ? କ’ଣ ସେମାନଙ୍କୁ ଦେଶରୁ ବାହାରକୁ ପଠାଯିବା ଉଚିତ୍ ନୁହେଁ?
ଅମିତ ଶାହାଙ୍କ ଇସ୍ତଫା ମାଗିଲା କଂଗ୍ରେସ
ଗୋଟିଏ ପଟେ ବିଜେପି କଂଗ୍ରେସ ଉପରେ ଅରାଜକତା ଖେଳାଇବାର ଅଭିଯୋଗ ଲଗାଉଛି। ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ପାର୍ଟିର ଅନେକ ନେତା ତାଙ୍କ ବିରୋଧରେ ମୋର୍ଚ୍ଚାବନ୍ଦୀ କରିଛନ୍ତି। ଏପଟେ ପବନ ଖେଡ଼ା ମଧ୍ୟ ଅମିତ ଶାହାଙ୍କ ଉପରେ ପଲଟା ଆକ୍ରମଣ କରି ତାଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି ଯେ, ଯଦି ଗୃହ ମନ୍ତ୍ରାଳୟ ଆପଣଙ୍କ ଦ୍ଵାରା ଚଲାଯାଇପାରୁନାହିଁ ତେବେ ଆସନ ଜାବୁଡ଼ି ଧରି କାହିଁକି ବସିଛନ୍ତି? କଂଗ୍ରେସ ଏହି ସମୟରେ ତିନି କୋଟି ଅନୁପ୍ରବେଶକାରୀ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶ ସହ ଜଡ଼ିତ ମୁଦ୍ଦା ଉଠାଇଛି।
କଂଗ୍ରେସ କ୍ରମାଗତ ଭାବେ ନିର୍ବାଚନ ଆୟୋଗ, ଜ୍ଞାନେଶ କୁମାର ଏବଂ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତାର ଅଭିଯୋଗ ଲଗାଉଛି ଏବଂ କ୍ରମାଗତ ଭାବେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିବାରେ ଲାଗିଛି। ଏଭଳି ସ୍ଥିତିରେ ଏବେ ପରବର୍ତ୍ତୀ ପଦଯାତ୍ରା୨୬ ନଭେମ୍ବର ଅର୍ଥାତ୍ ସମ୍ବିଧାନ ଦିବସ ଦିନ କରିବା ପାଇଁ ପାର୍ଟି ଦିନ ବାଛିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପିଏମ୍ ମୋଦୀଙ୍କୁ ଖୋଲା ବିତର୍କର ଚ୍ୟାଲେଞ୍ଜ ମଧ୍ୟ କରି ସାରିଛନ୍ତି।


