ପଞ୍ଜାବ: ପଞ୍ଜାବର ପଟିଆଲା ଜିଲ୍ଲା ଅନ୍ତର୍ଗତ ରାଜପୁରା ନିକଟବର୍ତ୍ତୀ ଅଞ୍ଚଳରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଯାଇଛି। ଦ୍ରୁତ ଗତିରେ ଯାତ୍ରା କରୁଥିବା କର୍ମଭୂମି ଏକ୍ସପ୍ରେସର ଚଳନ୍ତା ଅବସ୍ଥାରେ ହଠାତ୍ ନିଆଁ ଲାଗିଯିବାରୁ ସାରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଟ୍ରେନର ଗୋଟିଏ ପରେ ଗୋଟିଏ ପ୍ରାୟ ଚାରୋଟି ବଗି ସମ୍ପୂର୍ଣ୍ଣ ଭାବରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ସମୟୋଚିତ ପଦକ୍ଷେପ ଏବଂ ଯାତ୍ରୀମାନଙ୍କ ସଚେତନତା ଯୋଗୁଁ କୌଣସି ପ୍ରକାରର ପ୍ରାଣହାନୀ ଘଟିନଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ମୁତାବକ, ଟ୍ରେନ୍ଟି ନିଜର ନିର୍ଦ୍ଧାରିତ ପଥରେ ଯାତ୍ରା କରୁଥିବା ସମୟରେ ହଠାତ୍ ଏହାର ଗୋଟିଏ ବଗି ଭିତରେ ଥିବା ଏକ ବିଦ୍ୟୁତ ପଙ୍ଖାରେ ଅତ୍ୟଧିକ ସର୍ଟ ସର୍କିଟ୍ ଘଟିଥିଲା। ଏହି ସର୍ଟ ସର୍କିଟରୁ ବାହାରିଥିବା ନିଆଁର ସ୍ଫୁଲିଙ୍ଗ ଅତି କମ ସମୟ ଭିତରେ ବଗି ମଧ୍ୟରେ ଥିବା ଜିନିଷପତ୍ର ଓ ଜ୍ୱଳନଶୀଳ ସାମଗ୍ରୀକୁ ବ୍ୟାପି ଯାଇଥିଲା। ଚଳନ୍ତା ଟ୍ରେନରେ ହଠାତ୍ ଧୂଆଁ ବାହାରିବା ଏବଂ ନିଆଁର ପ୍ରକୋପ ବୃଢ଼ି ପାଇବା ଦେଖି ଯାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଚହଳ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଜୀବନ ବିକଳରେ ଯାତ୍ରୀମାନେ ଚିତ୍କାର କରିବା ସହ ଭୟଭୀତ ହୋଇପଡ଼ିଥିଲେ। ଟ୍ରେନ୍ର ଲୋକୋ ପାଇଲଟ୍ ତଥା ଡ୍ରାଇଭର ସଙ୍ଗେ ସଙ୍ଗେ ଗାଡ଼ିର ଗତି ନିୟନ୍ତ୍ରଣ କରି ଟ୍ରେନ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକାଇ ଦେଇଥିଲେ। ଟ୍ରେନ୍ଟି ଅଟକିବା ମାତ୍ରେ ଭୟଭୀତ ଯାତ୍ରୀମାନେ ନିଜର ଜୀବନ ବଞ୍ଚାଇବା ପାଇଁ ଦୌଡ଼ାଦୌଡ଼ି କରି ବଗିରୁ ଓହ୍ଲାଇ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। କିନ୍ତୁ ଦେଖୁ ଦେଖୁ ନିଆଁ ଏତେ ଭୟଙ୍କର ରୂପ ନେଇଥିଲା ଯେ, ପ୍ରଥମ ବଗିରୁ ନିଆଁ ବ୍ୟାପି ଆଖପାଖର ଅନ୍ୟ ତିନୋଟି ବଗିକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଗ୍ରାସ କରିନେଇଥିଲା। ୪ଟି ବଗିରୁ ଉଚ୍ଚା ଧୂଆଁ ଏବଂ ନିଆଁର ପ୍ରଖର ଶିଖା ବାହାରୁଥିବା ଦେଖିବାକୁ ମିଳିଥିଲା।
ଏହି ଅଘଟଣ ସମ୍ପର୍କରେ ଖବର ପାଇବା କ୍ଷଣି ସ୍ଥାନୀୟ ସରକାରୀ ରେଳବାଇ ପୁଲିସ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଏସ୍ଏଚ୍ଓ ଗୁରପ୍ରୀତ ସିଂହ ଏବଂ ଅନ୍ୟାନ୍ୟ ସୁରକ୍ଷା କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଅଗ୍ନିକାଣ୍ଡର ଭୟାବହତାକୁ ଦୃଷ୍ଟିରେ ରଖି ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। କିଛି ସମୟ ଭିତରେ ଦମକଳ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ କର୍ମଚାରୀମାନଙ୍କ ପ୍ରଚେଷ୍ଟା ଫଳରେ ନିଆଁକୁ ଅନ୍ୟ ବଗିଗୁଡ଼ିକୁ ବ୍ୟାପିବାରୁ ରୋକାଯିବା ସହ ପୋଡ଼ି ଯାଉଥିବା ବଗିଗୁଡ଼ିକର ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିଲା। ରେଳବାଇ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରି ନିଆଁ ଲାଗିଥିବା କ୍ଷତିଗ୍ରସ୍ତ ବଗିଗୁଡ଼ିକୁ ମୂଳ ଟ୍ରେନ୍ରୁ ଅଲଗା କରିଦେଇଥିଲେ, ଯାହାଫଳରେ ଅନ୍ୟାନ୍ୟ ବଗିଗୁଡ଼ିକ ସୁରକ୍ଷିତ ରହିପାରିଥିଲା। ଏହି ଭୟାବହ ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ସେହି ମାର୍ଗରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା।
ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ରେଳବାଇ ପକ୍ଷରୁ ଏକ ସ୍ୱତନ୍ତ୍ର ବିକଳ୍ପ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଯାତ୍ରୀମାନଙ୍କୁ ଅନ୍ୟ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏତେ ବଡ଼ ଦୁର୍ଘଟଣା ଘଟିଥିଲେ ମଧ୍ୟ ସମୟୋଚିତ ସତର୍କତା ଓ ସହାୟତା ଯୋଗୁଁ କୌଣସି ଯାତ୍ରୀଙ୍କର ଜୀବନହାନି ନହେବା ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ରେଳବାଇ ବିଭାଗ ପକ୍ଷରୁ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଏକ ଯାଞ୍ଚ କମିଟି ଗଠନ କରାଯାଇ ଅଧିକ ତଦନ୍ତ ଜାରି ରହିଛି।


