ଖୋର୍ଦ୍ଧା: ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା – ଓଡ଼ିଆ ଅସ୍ମିତାର ପରିଚୟକୁ ନେଇ ଖୋର୍ଦ୍ଧାରେ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ସୁରଭି-୨୦୨୬। ଚପଳମତି ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ଏହା ଥିଲା ଏକ ସୁନ୍ଦର ମଞ୍ଚ।
ସ୍ଥାନୀୟ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଖୋର୍ଦ୍ଧା ଅମ୍ରିତ ଋତୁରାଜ ଯୋଗ ଦେଇ କହିଥିଲେ ଯେ, ବାହ୍ୟ ଜ୍ଞାନ ଉପରେ ନିର୍ଭର ନ କରି ନିଜସ୍ୱ ଜ୍ଞାନରେ ନୂଆ ପିଢ଼ି ଆଗକୁ ବଢ଼ିବା ଦରକାର। ସେ ବାସ୍ତବ ଚିନ୍ତନ ଶକ୍ତି ଓ ସୃଜନଶୀଳତା ହ୍ରାସ ପାଉଥିବା ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ।
ମୁଖ୍ୟ ବକ୍ତା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ ଶିକ୍ଷାର୍ଥୀମାନଙ୍କୁ ସ୍ୱ-ଶିକ୍ଷଣ ଏବଂ ଶିକ୍ଷକଙ୍କ ଆଦର୍ଶକୁ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ।
ସମ୍ମାନୀତ ଅତିଥି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଡ଼. ତାପସ କୁମାର ନାୟକ କହିଥିଲେ ଯେ, ମାତୃଭାଷା ଉପରେ ଦକ୍ଷତା ହିଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ।
ଏହି ଅବସରରେ ସୁନାମଧନ୍ୟ ଅଭିନେତା ଉଦିତ ଗୁରୁ ଓ କଣ୍ଠଶିଳ୍ପୀ ଅନୁରାଗ ଦାସ ନିଜ କଳା ପ୍ରଦର୍ଶନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ପ୍ରଜ୍ଞାପାରମିତା ଜେନା, ରଶ୍ମୀବାଳା ପରିଡ଼ା ଓ ବିଜୟ ବେହେରା ପିଲାମାନଙ୍କ ଅନ୍ତର୍ନିହିତ ଗୁଣ ପ୍ରଦର୍ଶନ ଦ୍ୱାରା ବ୍ୟକ୍ତିତ୍ୱ ବିକାଶ ହୁଏ ବୋଲି ମତ ରଖିଥିଲେ।
ଚତୁର୍ଥ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିଯୋଗୀମାନଙ୍କ ମଧ୍ୟରେ ବକ୍ତୃତା, ରଚନା, କୁଇଜ୍, ଚିତ୍ରାଙ୍କନ, ବିତର୍କ, ସୃଜନଶୀଳ ଲିଖନ, ହସ୍ତାକ୍ଷର, ପୋଷଣ କଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ସହ ଟ୍ରଫି ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟ ସ୍ତର ପାଇଁ ମନୋନୀତ ହୋଇଛନ୍ତି।
ଶିଶୁସଭାର ଦ୍ୱିତୀୟାର୍ଦ୍ଧରେ ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କର ଯୋଡ଼ିଙ୍କ ଅଭିନୟ ଓ କମେଡି ପିଲାମାନଙ୍କ ମଧ୍ୟରେ ଖୁସି ବାଣ୍ଟି ଦେଇଥିଲା। କୁନି କୁନି ଛାତ୍ରୀମାନେ ସଙ୍ଗୀତ ମାଧ୍ୟମରେ ଓଡ଼ିଶାର ବୀରତ୍ୱ ଗାଥା ପରିବେଷଣ କରିଥିଲେ।
ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ମୃଗ କସ୍ତୁରୀ ସହ ସୁରଭିକୁ ତୁଳନା କରି କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଅନ୍ୱେଷଣ କରିବା ହିଁ ଏହାର ମୁଖ୍ୟ ଲକ୍ଷ୍ୟ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀରାଣୀ ଗୁମାନସିଂହ ପିଲାମାନଙ୍କୁ କଠିନ ପରିଶ୍ରମ କରିବାକୁ ପ୍ରବର୍ତ୍ତାଇଥିଲେ। ଉପାଧ୍ୟକ୍ଷ ଗୋପୀନାଥ ମହାରଣା ନିଜ ସ୍ୱପ୍ନ ସହ ପିତାମାତାଙ୍କ ସ୍ୱପ୍ନକୁ ସାକାର କରିବାକୁ ବାର୍ତ୍ତା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ କୁମାର ବେଉରା ସୁରଭିକୁ ଆମ ଭାଷା ଓ ଓଡ଼ିଶାର କମଳ ରୂପକ ପୁଷ୍ପ ବୋଲି ବର୍ଣ୍ଣନା କରିଥିଲେ।
ଉପସ୍ଥାପିକା ରେବତୀ ପଣ୍ଡା, ଗୀତାଞ୍ଜଳି ସାହୁ ଏବଂ ଶ୍ରୀକାନ୍ତ ନାୟକ ସଭାକାର୍ଯ୍ୟକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାର ସମସ୍ତ ବିଇଓ, ଖୋର୍ଦ୍ଧା ବ୍ଲକର ଏବିଓ ଓ ବିଆରସିସି, ଡିଇଓ ଅଫିସ୍ ଷ୍ଟାଫ୍, ଡିପିସି ଅଫିସ୍ ଷ୍ଟାଫ୍, ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସିଆରସିସି ସହଯୋଗ କରିଥିଲେ।
ପରିଶେଷରେ ଏସ୍.ସି ଓ ଏସ୍.ଟି କୋଅର୍ଡିନେଟର ଶ୍ରୀମତୀ ସୁନିତା ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।


