Diwali Celebration: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ବସ୍ତର ଠାରେ ବୀର ସୁରକ୍ଷା କର୍ମୀମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସୁରକ୍ଷା କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଲେ ଯେ, ଏହି ଦୀପାବଳି ଆପଣମାନଙ୍କ ପାଇଁ ବେଶ ମହତ୍ବପୂର୍ଣ୍ଣ। କାରଣ ଦେଶ ନକ୍ସଲବାଦ ଏବଂ ମାଓବାଦୀ ଆତଙ୍କ ବିରୋଧରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଲଢ଼େଇରେ ବିଜୟୀ ହୋଇଛି। ସେ କହିଲେ ଯେ, ଦେଶର ପ୍ରତ୍ୟେକ ଜିଲ୍ଲା ପ୍ରଥମ ଥର ପାଇଁ ନକ୍ସଲବାଦ ମୁକ୍ତ ହୋଇଛି ଏବଂ କୋଟି କୋଟି ନାଗରିକ ବର୍ତ୍ତମାନ ବାମପନ୍ଥୀ ଉଗ୍ରବାଦର ଭୟରୁ ମୁକ୍ତ ହୋଇଛନ୍ତି। ଶ୍ରୀ ମୋଦୀ ଏହାକୁ ଏକ ଅସାଧାରଣ ସଫଳତା ବୋଲି ବର୍ଣ୍ଣନା କରିବା ସହ ଏଥିପାଇଁ ଲକ୍ଷ ଲକ୍ଷ ବୀର ସୁରକ୍ଷା କର୍ମୀଙ୍କ ଅବଦାନକୁ ଶ୍ରେୟ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଲେ ଯେ, ଏକ ସମୟରେ ପ୍ରାୟ ୨୦ଟି ରାଜ୍ୟର ୨୩୦ରୁ ଅଧିକ ଜିଲ୍ଲା ନକ୍ସଲବାଦ ଦ୍ୱାରା ପ୍ରଭାବିତ ଥିଲା। ସେ କହିଲେ ଯେ ବିହାର, ମହାରାଷ୍ଟ୍ର, ଓଡ଼ିଶା, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ ସମେତ ଦେଶର ବହୁ ଅଞ୍ଚଳ ଏହି ସମସ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା। ଶ୍ରୀ ମୋଦୀ ଉଲ୍ଲେଖ କଲେ ଯେ ୨୦୦୪ ରୁ ୨୦୧୩ ମଧ୍ୟରେ, ପ୍ରତିବର୍ଷ ନିହତ ହେଉଥିବା ନକ୍ସଲଙ୍କ ସଂଖ୍ୟା ତୁଳନାରେ ସହିଦ ହେଉଥିବା ସୁରକ୍ଷା କର୍ମୀଙ୍କ ସଂଖ୍ୟା ଅଧିକ ଥିଲା।
ସେ କହିଲେ ଯେ ସେହି ସମୟର ସରକାରଗୁଡ଼ିକ ନକ୍ସଲବାଦକୁ ଏକ ଅସାଧ୍ୟ ରୋଗ ଭାବରେ ବିବେଚନା କରୁଥିଲେ ଏବଂ ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଲେ ଯେ, ଗତ ୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଗତ ଏକ ବର୍ଷ ମଧ୍ୟରେ କର୍ତ୍ତବ୍ୟରତ କୌଣସି ସିଆରପିଏଫ୍ (CRPF) ଯବାନଙ୍କର ଜୀବନ ହାନି ହୋଇନାହିଁ। ପ୍ରଧାନମନ୍ତ୍ରୀ କହିଲେ ଯେ, ଏହା ଦେଶର ସଠିକ୍ ନୀତି ଏବଂ ଦୃଢ଼ ସଂକଳ୍ପର ବିଜୟ ଅଟେ।
ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସୁରକ୍ଷା କର୍ମୀମାନେ ଅଗଣିତ ବଳିଦାନ ଦେଇଛନ୍ତି। ସେ ସିଆରପିଏଫ୍ (CRPF), କୋବ୍ରା (CoBRA), ବିଏସଏଫ୍ (BSF), ଆଇଟିବିପି (ITBP), ଏସଏସବି (SSB), ଆଇଆରବି (IRB), ରାଜ୍ୟ ପୋଲିସ ବାହିନୀ, ‘ବସ୍ତର ଫାଇଟର୍ସ’ ଏବଂ ମହିଳା କମାଣ୍ଡୋଙ୍କ ସମେତ ବିଶ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଦେଶ ‘ରାଷ୍ଟ୍ର ପ୍ରଥମ’ (Nation First) ଭାବନା ନେଇ କାର୍ଯ୍ୟ କରେ, ସେତେବେଳେ ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ ହୁଏ ଏବଂ ଦେଶ ବିକାଶର ନୂତନ ଶିଖରରେ ପହଞ୍ଚିଥାଏ।
ଶ୍ରୀ ମୋଦୀ କହିଛନ୍ତି ଯେ ଗତ ବାର ବର୍ଷ ମଧ୍ୟରେ ଦେଶ କେବଳ ନକ୍ସଲବାଦ ଓ ବିଚ୍ଛିନ୍ନତାବାଦ ବିରୋଧୀ ଲଢ଼େଇରେ ବିଜୟୀ ହୋଇନାହିଁ, ବରଂ ଦାରିଦ୍ର୍ୟ ବିରୋଧୀ ଲଢ଼େଇରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ, ଗୋଟିଏ ପଟେ ୫୦ କୋଟି ଲୋକଙ୍କୁ ଚରମ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି, ଅନ୍ୟ ପଟେ ଦେଶରୁ ନକ୍ସଲ ହିଂସାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ବସ୍ତରର କରଣପୁର ଠାରେ ଥିବା ଏକ ସୁରକ୍ଷା ଶିବିର (କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ – CRPF) ପରିଦର୍ଶନ କରିଥିଲେ।


