କଟକ: କଟକ ସହରର ତାଳଦଣ୍ଡା କେନାଲରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କେନାଲ ପାଣିରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଖବର ପାଇ ମଧୁପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।
ସୂଚନା ଅନୁସାରେ, ଗତକାଲି ରାତିଠାରୁ ତାଳଦଣ୍ଡା କେନାଲର ପାଣିରେ ମୃତଦେହଟି ଭାସୁଥିବା କୁହାଯାଉଛି। ତେବେ ମୃତ ଯୁବକଙ୍କ ବୟସ, ପରିଚୟ ଏବଂ ସେ କେଉଁଠାରୁ ଆସିଥିଲେ, ସେ ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ମଧୁପାଟଣା ପୋଲିସ ମୃତଦେହକୁ ଉଦ୍ଧାର କରିବା ପରେ ଅଧିକ ଯାଞ୍ଚ ଓ ଆବଶ୍ୟକ ପ୍ରକ୍ରିୟା ପାଇଁ କଟକ ଏସସିବି ମେଡିକାଲକୁ ପଠାଇଛି। ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା? ସେ କେନାଲରେ କିପରି ପଡ଼ିଲେ? ଏହା ଦୁର୍ଘଟଣା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି? ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି। ପୋଲିସର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।


