ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ସାମୁଦ୍ରିକ ଝଡ଼ ବା ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ମନରେ ପୁଣିଥରେ ଛନକା ପଶିଛି। ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ଏହି ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପୂର୍ବାନୁମାନ କରିଛନ୍ତି। ତାଙ୍କ ଆକଳନ ଅନୁଯାୟୀ, ଆସନ୍ତା ନଭେମ୍ବର ୧୩ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ପାଣିପାଗ ସ୍ଥିତି ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ସମୁଦ୍ର ମଧ୍ୟରେ ଅନୁକୂଳ ପରିବେଶ ଯୋଗୁଁ ଏହା ଚଳିତ ସପ୍ତାହ ଶେଷ ସୁଦ୍ଧା ଅଧିକ ଶକ୍ତିଶାଳୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆସନ୍ତା ୧୪ ତାରିଖ ସୁଦ୍ଧା ଏହା ଘନୀଭୂତ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଆକଳନ କରାଯାଇଛି।
ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ୍ ନଭେମ୍ବର ୧୫ ତାରିଖ ବେଳକୁ ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ଆହୁରି ଶକ୍ତି ଗୋଟାଇ ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ପ୍ରବଳ ସମ୍ଭାବନା ରହିଥିବା ଜାସନ ନିକୋଲସ ସ୍ପଷ୍ଟ କରିଛନ୍ତି। ଏହି ସମ୍ଭାବ୍ୟ ପ୍ରଣାଳୀର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଶେଷଜ୍ଞମାନେ ତୀକ୍ଷ୍ଣ ନଜର ରଖିଛନ୍ତି।
ଆସନ୍ତା ସପ୍ତାହରେ ଏହି ସମ୍ଭାବ୍ୟ ବାତ୍ୟା ଯୋଗୁଁ ସ୍ଥଳଭାଗରେ ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ଥିବାରୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ପଡ଼ୋଶୀ ବାଂଲାଦେଶକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଏହି ସବୁ ଅଞ୍ଚଳର ପ୍ରଶାସନକୁ ପରିସ୍ଥିତି ଉପରେ କଡ଼ା ନଜର ରଖିବା ସହ ଆଗୁଆ ପ୍ରସ୍ତୁତି କରିବାକୁ ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ପରାମର୍ଶ ଦେଇଛନ୍ତି।


