Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୮୦୭ ସ୍କୁଲରେ ରୋବୋଟିକ୍ସ ଲ୍ୟାବ୍: ୭୩୫୦ ପିଲାଙ୍କୁ ଓଡ଼ିଆ ଭାଷା ବୃତ୍ତି
ବିଶେଷ ଖବର

୮୦୭ ସ୍କୁଲରେ ରୋବୋଟିକ୍ସ ଲ୍ୟାବ୍: ୭୩୫୦ ପିଲାଙ୍କୁ ଓଡ଼ିଆ ଭାଷା ବୃତ୍ତି

November 12, 2026No Comments6 Mins Read
Share Facebook Twitter LinkedIn Email WhatsApp Copy Link
୮୦୭ ସ୍କୁଲରେ ରୋବୋଟିକ୍ସ ଲ୍ୟାବ୍: ୭୩୫୦ ପିଲାଙ୍କୁ ଓଡ଼ିଆ ଭାଷା ବୃତ୍ତି
୮୦୭ ସ୍କୁଲରେ ରୋବୋଟିକ୍ସ ଲ୍ୟାବ୍: ୭୩୫୦ ପିଲାଙ୍କୁ ଓଡ଼ିଆ ଭାଷା ବୃତ୍ତି

ଭୁବନେଶ୍ୱର: ଓଡ଼ିଶାର କୋଣଅନୁକୋଣରୁ ଆସିଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା, ସ୍ୱପ୍ନ, ସୃଜନଶୀଳତା ଏବଂ ଅସୀମ ସମ୍ଭାବନାର ଏକ ମହାମିଳନ ଭାବେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୬” ଆଜି ଭୁବନେଶ୍ୱରସ୍ଥିତ ୟୁନିଟ୍-୩ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ ରାଜ୍ୟସ୍ତରୀୟ ସମାରୋହକୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି।

ଏହି ଗୌରବମୟ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କୃତୀ ଶିକ୍ଷକ, ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ସମେତ ନବରଙ୍ଗପୁର, କଟକ, କଳାହାଣ୍ଡି ଜିଲ୍ଲାକୁ ସମ୍ମାନଜନକ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରିବା ସହିତ ମାତୃଭାଷା ଓଡ଼ିଆର ପ୍ରଚାର ଓ ପ୍ରସାର ପାଇଁ ‘ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି’ ବିତରଣ କରିଛନ୍ତି। ଏଥିସହିତ ପ୍ରାଥମିକ ଶିକ୍ଷାର ମୂଳଦୁଆକୁ ସୁଦୃଢ଼ କରିବା ନିମନ୍ତେ ‘ନିପୁଣ ଆପ୍’ର ଲୋକାର୍ପଣ ଏବଂ ଗ୍ରାମାଞ୍ଚଳର ପିଲାମାନଙ୍କୁ ଅତ୍ୟାଧୁନିକ ବିଜ୍ଞାନ ସହ ଯୋଡ଼ିବା ପାଇଁ ରାଜ୍ୟର ୮୦୭ଟି ବିଦ୍ୟାଳୟରେ ରୋବୋଟିକ୍ସ ଲ୍ୟାବ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏଥିପାଇଁ ୧୬୪.୩୩ କୋଟି ଟଙ୍କା ବିନିଯୋଗ କରାଯାଇଛି।

ଚଳିତ ବର୍ଷର ରାଜ୍ୟସ୍ତରୀୟ ‘ସୁରଭି-୨୦୨୬’ ମହୋତ୍ସବରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଏକାଧିକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅନ୍ତର୍ଗତ ୨୦୨୪ ଏବଂ ୨୦୨୫ ବର୍ଷର ତାଲିକାକୁ ମିଶାଇ ମୋଟ୍ ୩୭୫ ଜଣ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କୁ ସମ୍ମାନିତ କରାଯାଇଛି।

ସମଗ୍ର ରାଜ୍ୟରେ ବ୍ଲକ୍ ସ୍ତରଠାରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଏହି ପୁରସ୍କାର ଯୋଜନାରେ ମୋଟ୍ ୧୩୮ କୋଟି ୯୭ ଲକ୍ଷ ୭୮ ହଜାର ୯୫୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି।

ସେହିପରି ମାତୃଭାଷା ଓଡ଼ିଆ ଅଧ୍ୟୟନରେ ଉତ୍କର୍ଷ ପ୍ରଦର୍ଶନ କରୁଥିବା ସମଗ୍ର ରାଜ୍ୟର ୭,୩୫୦ ଜଣ ମେଧାବୀ ଛାତ୍ରଛାତ୍ରୀ ପ୍ରତ୍ୟେକଙ୍କୁ ବାର୍ଷିକ ୭,୫୦୦ ଟଙ୍କା ‘ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି’ ପ୍ରଦାନ କରାଯାଉଥିବା ବେଳେ ଆଜି ମଞ୍ଚରେ ୧୦ ଜଣ କୃତୀ ଛାତ୍ରଛାତ୍ରୀ ଏବଂ ୪ ଜଣ ସିଏଚ୍‌ଏସ୍‌ଇ (CHSE) ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ପୁସ୍ତକଗତ ଜ୍ଞାନରୁ ଊର୍ଦ୍ଧ୍ୱକୁ ନେଇ ପ୍ରୟୋଗାତ୍ମକ ବିଜ୍ଞାନ ସହ ଯୋଡ଼ିବା ଉଦ୍ଦେଶ୍ୟରେ ୮୦୭ଟି ବିଦ୍ୟାଳୟରେ ଅତ୍ୟାଧୁନିକ ରୋବୋଟିକ୍ସ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି, ଯେଉଁଠାରେ ଷଷ୍ଠରୁ ଦଶମ ଶ୍ରେଣୀର ପିଲାମାନେ ରୋବୋଟିକ୍ସ, କୋଡିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ମେସିନ୍ ଲର୍ଣ୍ଣିଂ ଏବଂ ଥ୍ରୀ-ଡି ପ୍ରିଣ୍ଟିଂ ଭଳି ବୈଷୟିକ ଶିକ୍ଷା ଲାଭ କରିପାରିବେ।

ଏହି ଅବସରରେ ସମବେତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ ଆଜି ତାଙ୍କ ସାମ୍ନାରେ ଦେଶର ଉଜ୍ଜ୍ୱଳ ଭବିଷ୍ୟତକୁ ଦେଖି ସେ ଅତ୍ୟନ୍ତ ଆତ୍ମସନ୍ତୋଷ ଅନୁଭବ କରୁଛନ୍ତି। ସେ କହିଛନ୍ତି ଯେ ଆଜିର ଏହି ଉତ୍ସବ କେବଳ ଏକ ସାଧାରଣ ଶିଶୁ ମହୋତ୍ସବ ନୁହେଁ, ବରଂ ଏହା ହେଉଛି ପିଲାମାନଙ୍କ ସ୍ୱପ୍ନ, ସୃଜନଶୀଳତା, ପ୍ରତିଭା ଓ ଅସୀମ ସମ୍ଭାବନାର ଏକ ମହାମିଳନ।

ରାଜନୀତିକୁ ଆସିବା ପୂର୍ବରୁ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରିଥିବାର ଅନୁଭୂତିକୁ ମନେପକାଇ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଭାବବିହ୍ୱଳ ଭାବେ କହିଥିଲେ ଯେ ସେ ଏଠାକୁ କେବଳ ଜଣେ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବରଂ ଜଣେ ଶିକ୍ଷକ ଭାବେ ଆସିଛନ୍ତି, କାରଣ ଯେତେବେଳେ ବି ସେ କୌଣସି ବିଦ୍ୟାଳୟ କିମ୍ବା ଛାତ୍ରଭିତ୍ତିକ କାର୍ଯ୍ୟକ୍ରମକୁ ଯାଆନ୍ତି, ତାଙ୍କ ଭିତରେ ଥିବା ଶିକ୍ଷକଟି ଆପେଆପେ ବାହାରକୁ ଆସିଥାଏ। ଶୈଶବ ଅବସ୍ଥାର ଗୁରୁତ୍ୱ ବର୍ଣ୍ଣନା କରି ସେ କହିଛନ୍ତି ଯେ ମଣିଷ ଜୀବନର ବିଭିନ୍ନ ପର୍ଯ୍ୟାୟ ମଧ୍ୟରୁ ଶୈଶବ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ, କାରଣ ଏହି ସମୟରେ ଶିଶୁ ଏକ କଞ୍ଚା ମାଟି ପିଣ୍ଡୁଳା ପରି ରହିଥାଏ।କୁମ୍ଭାର ଯେପରି କଞ୍ଚା ମାଟିକୁ ନିଜ ମନ ମୁତାବକ ସୁନ୍ଦର ଆକାର ଦେଇଥାଏ, ସେହିପରି ଶିକ୍ଷା, ଦୀକ୍ଷା, ପ୍ରଶିକ୍ଷଣ ଓ ସଂସ୍କାର ମାଧ୍ୟମରେ ନିଷ୍ପାପ ଶିଶୁମାନଙ୍କୁ ଜଣେ ଜଣେ ଦାୟିତ୍ୱସମ୍ପନ୍ନ ନାଗରିକ ଭାବେ ଗଢ଼ିତୋଳିବା ପିତାମାତା ଓ ଶିକ୍ଷକମାନଙ୍କର ପବିତ୍ର କର୍ତ୍ତବ୍ୟ।

ଛାତ୍ରଛାତ୍ରୀମାନଙ୍କୁ ଜଣେ ଶିକ୍ଷକଙ୍କ ଉପଦେଶ ଭଳି କେତୋଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ପରିବର୍ତ୍ତିତ ସମୟରେ ଯୁଗୋପଯୋଗୀ ହେବା ନିହାତି ଆବଶ୍ୟକ। ଇଣ୍ଟରନେଟ୍ ଯୁଗରେ ସମସ୍ତ ତଥ୍ୟ ହାତପାଆନ୍ତାରେ ଉପଲବ୍ଧ ଥିବାରୁ କେଉଁଟି ସଠିକ୍ ଏବଂ କେଉଁଟି ବିଭ୍ରାନ୍ତକାରୀ, ସେ ନେଇ ପିଲାମାନେ ସଚେତନ ହେବା ଉଚିତ ଏବଂ ମୋବାଇଲ୍ ଫୋନ୍ କେବଳ ଶିକ୍ଷା ଆହରଣର ମାଧ୍ୟମ ହେଉ, ମନୋରଞ୍ଜନର ମାର୍ଗ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏକ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ରର ଉକ୍ତି “କାବିଲ ବନୋ, କାମୟାବି ତୁମ୍ହାରୀ ପିଛେ ଦୌଡେଗୀ” କୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୁଣା ସମୟ ଭଳି କେବଳ ସରକାରୀ ଚାକିରି କିମ୍ବା ଅଧିକ ମାର୍କ ଆଣିବାର ମୂଷା-ଦୌଡ଼ରେ ସାମିଲ ନ ହୋଇ ନିଜକୁ ସକ୍ଷମ, ସମର୍ଥ ଓ ଯୋଗ୍ୟ କରିବା ଉଚିତ, କାରଣ ଡିଗ୍ରୀ ନୁହେଁ ବରଂ ଦକ୍ଷତା ହିଁ ରୋଜଗାରର ପ୍ରକୃତ ଗ୍ୟାରେଣ୍ଟି।

ଓଡ଼ିଶାରେ ବର୍ତ୍ତମାନ ଦ୍ରୁତ ଗତିରେ ଚାଲିଥିବା ଶିଳ୍ପାୟନ ଆଗାମୀ ଦିନରେ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଥିବାରୁ ଛାତ୍ରଛାତ୍ରୀମାନେ ପାଠରେ ମନ ଦେଇ ନିଜକୁ ସେଥିପାଇଁ ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ପରିଶେଷରେ ମହାତ୍ମା ଗାନ୍ଧୀଙ୍କ ବାଣୀକୁ ସ୍ମରଣ କରି ସେ କହିଛନ୍ତି ଯେ ଦେଶର ଭବିଷ୍ୟତ ଆମ ପିଲାମାନଙ୍କ ଉପରେ ନିର୍ଭର କରେ, ତେଣୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ସମସ୍ତେ ସମ୍ମିଳିତ ଉଦ୍ୟମ କରିବା ଆବଶ୍ୟକ।

ମାତୃଭାଷାର ସମ୍ମାନ ଓ ଶିକ୍ଷା କ୍ଷେତ୍ରରେ ନୂତନ ପଦକ୍ଷେପ

ଚଳିତ ବର୍ଷ ‘ସୁରଭି-୨୦୨୬’ର ମୁଖ୍ୟ ବିଷୟବସ୍ତୁ ରହିଛି ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’। ଭାଷା ହେଉଛି ଏକ ଜାତିର ପରିଚୟ, ସଂସ୍କୃତି ଓ ଐତିହ୍ୟର ବାହକ। ଏହି ବିଷୟବସ୍ତୁ ମାଧ୍ୟମରେ କୋମଳମତି ପିଲାମାନଙ୍କ ମଧ୍ୟରେ ମାତୃଭାଷା ଓଡ଼ିଆ ପ୍ରତି ଆଗ୍ରହ, ଭାଷାଗତ ଗର୍ବ, ସାହିତ୍ୟିକ ରୁଚି ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଓଡ଼ିଶାର ଭାଷାଗତ ଓ ସାଂସ୍କୃତିକ ବିବିଧତା ପ୍ରତି ସମ୍ମାନ ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ମୂଳ ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଓଡ଼ିଆ ଭାଷାରେ ସର୍ବାଧିକ ନମ୍ବର ରଖୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି’ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ଅଧୀନରେ ରାଜ୍ୟର ପ୍ରତ୍ୟେକ ବ୍ଲକ୍‌ରୁ ୨୦ ଜଣ, ପ୍ରତ୍ୟେକ ମହାନଗର ନିଗମରୁ ୨୦ ଜଣ, ପୌରପାଳିକାରୁ ୧୦ ଜଣ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC)ରୁ ୫ ଜଣ ଲେଖାଏଁ କୃତୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ନୂତନ ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି। ଛୋଟ ପିଲାମାନଙ୍କ ଶିକ୍ଷା ଆରମ୍ଭ ପାଇଁ ‘ଶିଶୁ ବାଟିକା’ ଖୋଲାଯିବା ସହ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ପ୍ରତିଷ୍ଠା କରାଯାଉଛି। ଏଥିସହିତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସାମିଲ କରାଯିବା ସହ କେଜି (KG) ରୁ ପିଜି (PG) ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯାଇଛି। ତୃତୀୟ ଶ୍ରେଣୀ ଶେଷ ସୁଦ୍ଧା ପ୍ରତ୍ୟେକ ଶିଶୁ ଯେପରି ପଢ଼ିବା, ଲେଖିବା ଓ ମୌଳିକ ଗଣିତ ଦକ୍ଷତା ହାସଲ କରିପାରିବେ, ସେଥିପାଇଁ ‘ନିପୁଣ ଓଡ଼ିଶା’ ମିଶନ ଏବଂ ଆଜି ଲୋକାର୍ପିତ ହୋଇଥିବା ‘ନିପୁଣ ଆପ୍’ ଶ୍ରେଣୀଗୃହ ପର୍ଯ୍ୟବେକ୍ଷଣ ଓ ଶିକ୍ଷାର୍ଥୀମାନଙ୍କ ବ୍ୟକ୍ତିଗତ ଦକ୍ଷତା ଆକଳନ କ୍ଷେତ୍ରରେ ଏକ ବଳିଷ୍ଠ ମାଧ୍ୟମ ସାଜିବ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଥିବା ଡିଜିଟାଲ୍ ତାରତମ୍ୟକୁ ଦୂର କରିବା ପାଇଁ ୮୦୭ଟି ବିଦ୍ୟାଳୟରେ ଖୋଲାଯାଇଥିବା ରୋବୋଟିକ୍ସ ଲ୍ୟାବ୍‌ଗୁଡ଼ିକରେ ଚାରୋଟି ଲେଖାଏଁ ରୋବୋଟ୍, ରୋବୋଟିକ୍ସ କିଟ୍, କମ୍ପ୍ୟୁଟର ଓ ଥ୍ରୀ-ଡି ପ୍ରିଣ୍ଟିଂ ସୁବିଧା ଉପଲବ୍ଧ କରାଯାଇଛି, ଯାହାଦ୍ୱାରା ପିଲାମାନେ ୧୦୦ରୁ ଅଧିକ ଅଭିନବ ପ୍ରକଳ୍ପ ଉପରେ କାର୍ଯ୍ୟ କରି ନିଜକୁ ଭବିଷ୍ୟତର ଉଦ୍ଭାବକ ଭାବେ ଗଢ଼ିତୋଳିପାରିବେ।

ଏହି ସମାରୋହରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ‘ସୁରଭି’ କାର୍ଯ୍ୟକ୍ରମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ପିଲାମାନଙ୍କୁ କେବଳ ପାଠ୍ୟପୁସ୍ତକରେ ସୀମିତ ନ ରଖି ସେମାନଙ୍କର ସାହିତ୍ୟ, ସଂସ୍କୃତି, କଳା, ସଙ୍ଗୀତ, ନୃତ୍ୟ, ତର୍କ, କୁଇଜ୍ ଓ ସୃଜନଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଥାଏ। ଏହା ପିଲାମାନଙ୍କୁ ନିଜ ପ୍ରତିଭା ଚିହ୍ନିବା ସହିତ ନିଜ ମତାମତକୁ ଆତ୍ମବିଶ୍ୱାସର ସହ ପ୍ରକାଶ କରିବାର ସୁଯୋଗ ଦେଇଥାଏ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ମତବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏପରି ଏକ ଓଡ଼ିଶା ଗଠନ କରିବାକୁ ଚାହୁଁଛୁ, ଯେଉଁଠି ପ୍ରତ୍ୟେକ ଶିଶୁ ନିଜ ମାତୃଭାଷାରେ ଶିଖିବାର ସୁଯୋଗ ପାଇବ, ପ୍ରତ୍ୟେକ ଭାଷାକୁ ଯଥୋଚିତ ସମ୍ମାନ ମିଳିବ ଏବଂ ଆମର ସାଂସ୍କୃତିକ ଐତିହ୍ୟ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରହିବ। ଆମର ଲକ୍ଷ୍ୟ କେବଳ ଏକ ସମୃଦ୍ଧ ରାଜ୍ୟ ଗଠନ ନୁହେଁ, ବରଂ ଏକ ଜ୍ଞାନଭିତ୍ତିକ, ସୃଜନଶୀଳ ଓ ସାଂସ୍କୃତିକ ଭାବେ ସମୃଦ୍ଧ ଓଡ଼ିଶା ଗଠନ କରିବା। ୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଥିବାବେଳେ ଆମେ ଏକ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖୁଛୁ ଏବଂ ଏହି ଯାତ୍ରାରେ ଆମର ଭାଷା, ସଂସ୍କୃତି, ଶିକ୍ଷା ଓ ଯୁବପିଢ଼ିର ସୃଜନଶୀଳତା ପ୍ରମୁଖ ଶକ୍ତି ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆଜିର ଏହି ଉଦ୍‌ଘାଟନୀ ସମାରୋହରେ ଭୁବନେଶ୍ୱର (ଏକାମ୍ର) ବିଧାୟକ ଶ୍ରୀ ବାବୁ ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ଥିରୁମାଲା ନାଏକ ଏବଂ ଓସେପା (OSEPA)ର ଭାରପ୍ରାପ୍ତ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ବେହେରା ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ସୂଚନା ଥାଉକି, ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ ରାଜ୍ୟସ୍ତରୀୟ ସମାରୋହରେ ସମଗ୍ର ରାଜ୍ୟରୁ ୨,୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ୧,୦୦୦ରୁ ଅଧିକ ସରକାରୀ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଛନ୍ତି। ଏହି ଅବଧି ମଧ୍ୟରେ ପିଲାମାନଙ୍କ ବୌଦ୍ଧିକ ଓ ସୃଜନାତ୍ମକ ବିକାଶ ପାଇଁ ବିତର୍କ, ପ୍ରବନ୍ଧ ଲିଖନ, ବକ୍ତୃତା, ସୃଜନଶୀଳ ଲିଖନ, କୁଇଜ୍, ଚିତ୍ରାଙ୍କନ, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ପିଏମ୍-ପୋଷଣର ଚିତ୍ରକଳା ଓ ଶିଳ୍ପକଳା ଏବଂ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜିତ ହେଉଛି।

#SchoolEducation bhubaneswar MohanMajhi NipunOdisha OdiaBhasa odianews OdishaEducation RoboticsLab SishuMahotsav Surabhi2026
Share. Facebook Twitter LinkedIn Email WhatsApp Copy Link

Related Posts

କନ୍ଧମାଳରେ ବିକାଶମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କଲେ ଏସ୍‌ପି ରମେନ୍ଦ୍ର ପ୍ରସାଦ

November 12, 2026

ଭୁବନେଶ୍ୱରର ପୂର୍ବାଂଚଳରେ ଭୂକମ୍ପ ବିପଦ ଅଧିକ: ଏନ୍‌ସିଏସ୍ ଅଧ୍ୟୟନ

November 12, 2026

ବୈତରଣୀ ନଦୀରେ ବୁଡ଼ି ଆନ୍ଧ୍ର ଦମ୍ପତିଙ୍କ ମୃତ୍ୟୁ

November 12, 2026

AI ଦୁନିଆରେ ହଲଚଲ୍: Nvidia CEO ଜେନସେନ୍ ହୁଆଙ୍ଗଙ୍କ ଇସ୍ତଫା ନେଇ ବଡ଼ ଦାବି!:

November 12, 2026
Latest News

କନ୍ଧମାଳରେ ବିକାଶମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କଲେ ଏସ୍‌ପି ରମେନ୍ଦ୍ର ପ୍ରସାଦ

November 12, 2026

୮୦୭ ସ୍କୁଲରେ ରୋବୋଟିକ୍ସ ଲ୍ୟାବ୍: ୭୩୫୦ ପିଲାଙ୍କୁ ଓଡ଼ିଆ ଭାଷା ବୃତ୍ତି

November 12, 2026

ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ-୨୦୨୫

November 12, 2026

ଭୁବନେଶ୍ୱରର ପୂର୍ବାଂଚଳରେ ଭୂକମ୍ପ ବିପଦ ଅଧିକ: ଏନ୍‌ସିଏସ୍ ଅଧ୍ୟୟନ

November 12, 2026

ବୈତରଣୀ ନଦୀରେ ବୁଡ଼ି ଆନ୍ଧ୍ର ଦମ୍ପତିଙ୍କ ମୃତ୍ୟୁ

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.