ରାୟଗଡ଼ା: ରାସ୍ତା ଦୁର୍ଘଟଣା ଛଡ଼ାଇ ନେଲା ଆଉ ଏକ ଜୀବନ। ଦୁଇଟି ବାଇକ୍ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଧକ୍କା ଯୋଗୁଁ ଜଣେ ARIଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସୋରିଷପଦର ଛକରେ ଏହି ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା ଘଟିଛି।
ମୃତକ ହେଲେ ARI ମହେନ୍ଦ୍ର ମାଝି। ସୂଚନା ଅନୁସାରେ, ମହେନ୍ଦ୍ର ନିଜ ଶଶୁର ଘରୁ ଫେରୁଥିବା ସମୟରେ ସୋରିଷପଦର ଛକ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ ମହେନ୍ଦ୍ରଙ୍କ ଜୀବନ ଚାଲିଯାଇଥିଲା।
ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମହେନ୍ଦ୍ରଙ୍କ ଶାଳି ଓ ଭାଣିଜୀ ଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଓ ଅନ୍ୟ ଆହତଙ୍କ ପରିଚୟ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିବା ବାକି ରହିଛି।


