ବାଲେଶ୍ବର: ଚାଷୀଙ୍କ କଲ୍ୟାଣ ପାଇଁ ଆସିଥିବା ସରକାରୀ ଅର୍ଥ କିପରି ମିଥ୍ୟା ବିଲ୍ ଓ ଜାଲିଆତି ଜରିଆରେ ବାଟମାରଣା ହେଉଥିଲା, ତାହାର ଏକ ବଡ଼ ପର୍ଦ୍ଦାଫାଶ କରିଛି ଓଡ଼ିଶା ଭିଜିଲାନ୍ସ। ବାଲେଶ୍ୱର ଜିଲ୍ଲାରେ CRFM (କମ୍ପ୍ରିହେନ୍ସିଭ୍ ରାଇସ୍ ଫାଲୋ ମ୍ୟାନେଜମେଣ୍ଟ) ଯୋଜନାରେ ୨୫ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ ଅଭିଯୋଗରେ ବାଲେଶ୍ୱର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO) ବିଶ୍ୱଜିତ ପଣ୍ଡା, ପୂର୍ବତନ କୃଷି ଜିଲ୍ଲା ଅଧିକାରୀ (ADO) ସରୋଜ କୁମାର ଗିରି ଏବଂ ମୟୂରଭଞ୍ଜ ବାରିପଦାସ୍ଥିତ ‘ଶକ୍ତି ଶିକ୍ଷା’ ଡେଭଲପମେଣ୍ଟ ସୋସାଇଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଏହି ଯୋଜନା ଅଧୀନରେ ବାଲେଶ୍ୱର ଜିଲ୍ଲାର ୧୨ ହଜାର ହେକ୍ଟର ଜମିରେ ମୁଗ ଏବଂ ୩,୫୦୦ ହେକ୍ଟର ଜମିରେ ବିରି ଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟାନ୍ୱୟନରେ ସହଯୋଗ କରିବା ନିମନ୍ତେ ବାରିପଦାର ‘ଶକ୍ତି ଶିକ୍ଷା’ ସଂସ୍ଥାକୁ ପ୍ରଫେସନାଲ୍ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଥିଲା। ଯୋଜନାର ନିୟମ ଅନୁସାରେ ସଂସ୍ଥା ପକ୍ଷରୁ ଚାଷୀ ଚୟନ, କ୍ଲଷ୍ଟର ଗଠନ ଏବଂ ସଚେତନତା ଶିବିର ଆୟୋଜନ କରିବାର କଥା ଥିଲା। କିନ୍ତୁ ଭିଜିଲାନ୍ସର କ୍ଷେତ୍ରସ୍ତରୀୟ ତଦନ୍ତରୁ ଜଣାପଡିଛି ଯେ, ବାଲେଶ୍ୱର ଜିଲ୍ଲାର ସମସ୍ତ ୧୨ଟି ବ୍ଲକରେ ଏହି ସଂସ୍ଥା ଦ୍ୱାରା ମାଟିରେ କୌଣସି ପ୍ରକାର କାର୍ଯ୍ୟ କରାଯାଇ ନଥିଲା ଏବଂ ସ୍ଥାନୀୟ କୃଷି ଅଧିକାରୀମାନେ ମଧ୍ୟ ଏହାକୁ ସ୍ପଷ୍ଟ କରିଛନ୍ତି।
ତଦନ୍ତରୁ ଆହୁରି ମଧ୍ୟ ଜଣାପଡିଛି ଯେ, ଉଭୟ କୃଷି ଅଧିକାରୀ ଏବଂ ଏନ୍ଜିଓ ନିର୍ଦ୍ଦେଶକ ମିଳିତ ଭାବେ ଷଡ଼ଯନ୍ତ୍ର କରି କୌଣସି ପ୍ରକାର କ୍ଷେତ୍ରସ୍ତରୀୟ ଯାଞ୍ଚ କିମ୍ବା ପ୍ରମାଣପତ୍ର ବିନା ମିଥ୍ୟା ବିଲ୍ ପ୍ରସ୍ତୁତ କରିଥିଲେ। ଅଧିକାରୀମାନେ ସେହି ଜାଲ୍ ବିଲ୍ଗୁଡ଼ିକୁ ମଞ୍ଜୁର କରି ମୋଟ ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କା ହଡ଼ପ କରିଥିଲେ। ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୭/୨୦୨୬ ରୁଜୁ ହୋଇଥିବାବେଳେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଉଛି।


