ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଲୋୱି ଇନଷ୍ଟିଚ୍ୟୁଟ୍ ପକ୍ଷରୁ କରାଯାଇଥିବା କ୍ଷମତା ଆକଳନ ସୂଚକାଙ୍କରେ ଭାରତକୁ ବିଶ୍ୱର ଏକ ପ୍ରମୁଖ ମହାଶକ୍ତି ରୂପେ ଉଲ୍ଲେଖ କରାଯାଇଛି। ଲୋୱି ସୂଚକାଙ୍କ ୨୦୨୬ରେ ଏକ ମହାଶକ୍ତି ରୂପେ ଭାରତର ସ୍କୋର୍ ୪୦.୫କୁ ବୃଦ୍ଧି ପାଇଛି। ଏହି ସୂଚକାଙ୍କର ‘ପ୍ରମୁଖ ଶକ୍ତି’ ବା ମେଜର୍ ପାୱାର ବର୍ଗରେ ଭାରତ ଏକମାତ୍ର ଦେଶ ଭାବେ ସବୁଠୁ ଅଧିକ ଅଭିବୃଦ୍ଧି ହାସଲ କରିଛି। ଏହା ଜାପାନ, ରୁଷ ଏବଂ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେଇଥିବା ବେଳେ କେବଳ ଆମେରିକା ଓ ଚୀନ ଠାରୁ ପଛରେ ରହିଛି।
ଅଷ୍ଟ୍ରେଲିଆର ଲୋୱି ଇନଷ୍ଟିଚ୍ୟୁଟ୍ ପକ୍ଷରୁ ୨୦୧୮ରେ ଏସିଆ ପାୱାର୍ ଇଣ୍ଡେକ୍ସ ଆରମ୍ଭ କରାଯାଇଥିଲା । ଏସିଆରେ କ୍ଷମତା ବିତରଣ ଏବଂ ସମୟ ସହିତ ସନ୍ତୁଳନରେ ହେଉଥିବା ପରିବର୍ତ୍ତନକୁ ଅନୁଧ୍ୟାନ କରିବା ଏହାର ଉଦ୍ଦେଶ୍ୟ ଥିଲା। ଭାରତର କୂଟନୈତିକ ପ୍ରଭାବ, ଦୀର୍ଘକାଳୀନ ଆର୍ଥିକ ସମ୍ଭାବନା ଏବଂ କ୍ଷେତ୍ରୀୟ ସୁରକ୍ଷା ସହଭାଗିତା ଏହାକୁ ଏକ ପ୍ରମୁଖ ଶକ୍ତି ରୂପେ ପ୍ରତିଷ୍ଠା କରିବାରେ ସହାୟକ ହେଉଛି । ଶୀର୍ଷ ୧୦ଟି ଦେଶ ମଧ୍ୟରେ ଭାରତ ସବୁଠାରୁ ଅଧିକ ସ୍କୋର୍ ହାସଲ କରିଛି । ଏହି ବର୍ଗରେ ଏକମାତ୍ର ଦେଶ ରୂପେ ଭାରତ ଊର୍ଦ୍ଧ୍ୱଗାମୀ ଧାରା ବା ସକାରାତ୍ମକ ଅଗ୍ରଗତି ହାସଲ କରୁଥିବା ଲୋୱି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୬ ସଂସ୍କରଣରେ ୧୩୧ଟି ସଂକେତକ ଆଧାରରେ ୨୭ଟି ଦେଶ ଏବଂ ଅଞ୍ଚଳର ଆକଳନ କରାଯାଇଛି। ଏଥିରେ ଆର୍ଥିକ ଓ ସୈନ୍ୟ ଶକ୍ତି, କୂଟନୀତି, ପ୍ରତିରକ୍ଷା ଭାଗୀଦାରୀ ଏବଂ ସାଂସ୍କୃତିକ ପ୍ରଭାବ ସାମିଲ ରହିଛି । ୨୦୧୮ରେ ଏହି ସୂଚକାଙ୍କ ଆରମ୍ଭ ହେବା ସମୟରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା ଏବଂ ୨୦୨୩ ପର୍ଯ୍ୟନ୍ତ ଏହି ସ୍ଥାନ ବଜାୟ ରଖିଥିଲା। ୨୦୨୪ରେ ଭାରତ ପ୍ରଥମ ଥର ପାଇଁ ଜାପାନକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲା। ୨୦୨୫ରେ ଭାରତ ୪୦ ପଏଣ୍ଟ ସୀମା ଅତିକ୍ରମ କରିବା ସହିତ ପ୍ରମୁଖ ମହାଶକ୍ତି ମାନ୍ୟତା ହାସଲ କରିଥିଲା। ବର୍ତ୍ତମାନ ଭାରତ କ୍ରମାଗତ ତୃତୀୟ ସଂସ୍କରଣରେ ମଧ୍ୟ ତୃତୀୟ ସ୍ଥାନ ବଜାୟ ରଖିଛି ଏବଂ ଜାପାନ ଠାରୁ ଅଗ୍ରଣୀ ବ୍ୟବଧାନକୁ ବଢ଼ାଇ ପାରିଛି।
କ୍ଷେତ୍ରୀୟ ନେତୃତ୍ୱ ମାନ୍ୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ସ୍ଥାନ ଉପରକୁ ଉଠିଛନ୍ତି। ସେ ୨୦୨୫ରେ ପଞ୍ଚମ ସ୍ଥାନରେ ଥିବା ବେଳେ ୨୦୨୬ରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ତାଙ୍କ ଆଗରେ କେବଳ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ରହିଛନ୍ତି। ଏସିଆରେ ଭାରତର କୂଟନୈତିକ ହିତକୁ ଆଗକୁ ବଢ଼ାଇବାରେ ତାଙ୍କର ପ୍ରଭାବୀ ନେତୃତ୍ୱକୁ ଲୋୱି ବିଶେଷଜ୍ଞ ସର୍ବେକ୍ଷଣରେ ସବୁଠୁ ଅଧିକ ମାନ୍ୟତା ଦିଆଯାଇଛି। ଲୋୱି ସୂଚକାଙ୍କ ଆରମ୍ଭ ହେବା ପରଠାରୁ ଭାରତ ଓ ଚୀନ ମଧ୍ୟରେ ପ୍ରଭାବ ବ୍ୟବଧାନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଚୀନ୍ ୦.୧ ପଏଣ୍ଟ କ୍ଷତି ସହ ୭୩.୬ ସ୍କୋରରେ ପହଞ୍ଚିଥିବା ବେଳେ ଭାରତ ୦.୫ ପଏଣ୍ଟ ଲାଭ ସହିତ ୪୦.୫ ସ୍କୋର୍ ହାସଲ କରିବାରେ ସଫଳ ହୋଇଛି।
ଭାରତ ବିଶ୍ୱର ଏକ ପ୍ରମୁଖ ପୁଞ୍ଜି ନିବେଶ ସ୍ଥଳୀ ରୂପେ ଉଭା ହୋଇଛି। ବିଶ୍ୱ ନିବେଶ ପ୍ରବାହ କ୍ଷେତ୍ରରେ ଏହା ଚୀନକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ପ୍ରମୁଖ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ କିପରି ବିଶ୍ୱର ଏକ ନିବେଶ କେନ୍ଦ୍ରସ୍ଥଳୀ ଭାବରେ ଉଭା ହୋଇଛି, ଏଥିରୁ ତାହା ପ୍ରମାଣିତ ହୋଇଛି। ଭାରତ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଚୀନ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ଭିଏତନାମ ଭଳି ଦେଶକୁ ପଛରେ ପକାଇ ଦେଇଛି। ଗତ ଏକ ଦଶନ୍ଧି ଧରି ହୋଇଥିବା ବିଦେଶୀ ପୁଞ୍ଜି ନିବେଶକୁ ଆଧାର କରି ଲୋୱି ଏହି ସୂଚକାଙ୍କ ପ୍ରକାଶ କରିଛି। ନିବେଶକମାନେ ଦୀର୍ଘକାଳୀନ ଭିତ୍ତିରେ କେଉଁଠି ପୁଞ୍ଜି ନିବେଶ କରୁଛନ୍ତି ସେହି ଆଧାରରେ ଏହି ତଥ୍ୟ ପ୍ରକାଶ ପାଇଛି।
ସେନାବାହିନୀ ଏବଂ ଅର୍ଦ୍ଧସାମରିକ ବାହିନୀର ଆକାର ଦୃଷ୍ଟିରୁ ଭାରତ ୧୦୦ରୁ ୧୦୦ ସ୍କୋର୍ ହାସଲ କରିଛି। ଏହି ବର୍ଗରେ ଚୀନ୍ (୮୫.୩) ଏବଂ ଆମେରିକା (୬୪.୮)କୁ ମଧ୍ୟ ଭାରତ ପଛରେ ପକାଇ ଦେଇଛି। ସକ୍ରିୟ ସାମରିକ ଓ ଅର୍ଦ୍ଧ-ସାମରିକ ବାହିନୀର ଆକାର, ସେମାନଙ୍କର ପ୍ରଶିକ୍ଷଣ ଓ ପ୍ରସ୍ତୁତି ଏବଂ ସେମାନେ କେତେ ପ୍ରଭାବଶାଳୀ ଭାବରେ ସଂଗଠିତ ହୋଇଛନ୍ତି, ସେହି ଆଧାରରେ ଏହାକୁ ମାପ କରାଯାଇଥାଏ। ଭାରତ ୧୭ଟି ଶିଖର ସମ୍ମିଳନୀ, କୂଟନୈତିକ ଗୋଷ୍ଠୀ ଏବଂ ଆଞ୍ଚଳିକ ଆନ୍ତଃସରକାରୀ ସଂଗଠନ ପ୍ରତିନିଧିତ୍ୱ କରିଛି। କେବଳ ଚୀନ୍ ପଛକୁ ରହି ଭାରତ ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡ ସହ ସମାନ ମାନ୍ୟତା ହାସଲ କରିଛି। ଏହି ମାନ୍ୟତା ବିଶ୍ୱ କୂଟନୀତିରେ ଭାରତର ବ୍ୟାପକ ଅଂଶଗ୍ରହଣକୁ ଦର୍ଶାଉଛି।
ଅନ୍ୟ ଦେଶଗୁଡ଼ିକରୁ ଆସୁଥିବା ଆର୍ଥିକ ଚାପକୁ ସହ୍ୟ କରିବାର କ୍ଷମତା କ୍ଷେତ୍ରରେ ଭାରତ ୬୮.୩ ସ୍କୋର ସହ ତୃତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ଚୀନ୍ (୭୫.୩) ଏବଂ ଆମେରିକା (୭୩.୩) ଭାରତଠାରୁ ଆଗରେ ଅଛନ୍ତି। କୌଣସି ଦେଶର ରପ୍ତାନି ବିବିଧତା ଏବଂ ନିଜର ସବୁଠାରୁ ବଡ଼ ବାଣିଜ୍ୟିକ ସହଯୋଗୀ ଉପରେ ସେହି ଦେଶର ନିର୍ଭରଶୀଳତା ଆଧାରରେ ଲୋୱି ପକ୍ଷରୁ ଏହି କ୍ଷେତ୍ରର ପ୍ରଦର୍ଶନ ଆକଳନ କରାଯାଇଥାଏ।
ଅନ୍ୟପଟେ, ୨୦୫୦ ମସିହା ସୁଦ୍ଧା ଜନସାଂଖ୍ୟିକ ସମ୍ବଳ ଦୃଷ୍ଟିରୁ ଭାରତ ୧୦୦ ରୁ ୧୦୦ ସ୍କୋର କରି ପ୍ରଥମ ସ୍ଥାନରେ ରହିଛି । ଭାରତ ଏକମାତ୍ର ଦେଶ ଭାବେ ଶତପ୍ରତିଶତ ସ୍କୋର ହାସଲ କରିଛି ଏବଂ ଏହା ଚୀନ୍ (୩୯.୬) ଓ ଆମେରିକା (୩୩.୨) ତୁଳନାରେ ବହୁତ ଅଧିକ। ୨୦୩୦ ପରବର୍ତ୍ତୀ ସମୟରେ ଦେଶରେ କାମ କରୁଥିବା ବୟସର ଜନସଂଖ୍ୟା ବା ୱାର୍କିଂ ଏଜ୍ ପପୁଲେସନରର ଆକାର ଏବଂ ଅଭିବୃଦ୍ଧି କିପରି ଆର୍ଥିକ ବିକାଶରେ ସହାୟକ ହୋଇପାରିବ ତାହା ‘ଲୋୱି’ ଆକଳନ କରିଛି। ଭାରତର ଏହି ଅଗ୍ରଣୀ ସ୍ଥିତି ଏହାର ‘ଜନସାଂଖ୍ୟିକ ଲାଭାଂଶ’ର ବିଶାଳତାକୁ ଦର୍ଶାଉଛି।


