ଦେଶରେ କୌଣସି ଜିଲ୍ଲା ଆଉ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ହୋଇ ରହିନାହିଁ। ସଂକ୍ଷେପରେ କହିଲେ, ଭାରତ ବାମପନ୍ଥୀ ଉଗ୍ରବାଦରୁ ପ୍ରଭାବଶାଳୀ ଭାବରେ ମୁକ୍ତ ହେବାର ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ସୁରକ୍ଷା ଅଭିଯାନ, ଭିତ୍ତିଭୂମିର ସମ୍ପ୍ରସାରଣ, ଆତ୍ମସମର୍ପଣ କରିଥିବା କ୍ୟାଡରଙ୍କ ଥଇଥାନ, ଆଦିବାସୀ କଲ୍ୟାଣ ଏବଂ ଉନ୍ନତ ଶାସନ ବ୍ୟବସ୍ଥାକୁ ମିଶାଇ ଏକ ସମନ୍ୱିତ ରଣନୀତି ଦ୍ୱାରା ଏହି ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଏହି ସମନ୍ୱିତ ଆଭିମୁଖ୍ୟ ହିଂସାକୁ ମାତ ଦେଇଛି। ଦୁର୍ଗମ ଅଞ୍ଚଳରେ ସରକାରୀ ଉପସ୍ଥିତିକୁ ପୁନଃସ୍ଥାପିତ କରିଛି ଏବଂ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି, ଯାହା ଶାନ୍ତି ଓ ସମୃଦ୍ଧି ପାଇଁ ଏକ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରିଛି।
ଶାନ୍ତି ଏବଂ ସୁରକ୍ଷାର ନୂତନ ଯୁଗ
ପ୍ରାୟ ଛଅ ଦଶନ୍ଧି ଧରି ଭାରତ ବାମପନ୍ଥୀ ଉଗ୍ରବାଦ ସହ ସଂଘର୍ଷ କରିଆସୁଥିଲା। ଏହା କୌଣସି ଦୂରବର୍ତ୍ତୀ କିମ୍ବା ଅମୂର୍ତ୍ତ ଆହ୍ୱାନ ନଥିଲା, ବରଂ ସଡ଼କ, ବିଦ୍ୟାଳୟ ଏବଂ ସାମଗ୍ରିକ ବିକାଶର ବୃହତ୍ତର ପ୍ରତିଶ୍ରୁତିରୁ ବିଚ୍ଛିନ୍ନ ହୋଇ ରହିଥିବା ଲକ୍ଷ ଲକ୍ଷ ଆଦିବାସୀ ପରିବାର ଓ ଗ୍ରାମବାସୀଙ୍କ ପାଇଁ ଏହା ଏକ ଜୀବନ୍ତ ବାସ୍ତବତା ଥିଲା। ହିଂସା ନିରନ୍ତର ଲାଗି ରହିଥିଲା ଏବଂ ଅନିଶ୍ଚିତତା ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିଲା।
୩୧ ମାର୍ଚ୍ଚ ୨୦୨୬ରେ ଏଥିରେ ପରିବର୍ତ୍ତନ ଆସିଥିଲା ଏବଂ ଦେଶ ନକ୍ସଲବାଦରୁ ପ୍ରଭାବଶାଳୀ ଭାବରେ ମୁକ୍ତ ହେବା ସହିତ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପିତ ହୋଇଥିଲା। ମେ ୨୦୧୪ରେ ଯେତେବେଳେ ବର୍ତ୍ତମାନର ସରକାର ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ‘ଲାଲ୍ କରିଡର’ ସବୁଠାରୁ ଗମ୍ଭୀର ଆଭ୍ୟନ୍ତରୀଣ ସୁରକ୍ଷା ଆହ୍ୱାନ ମଧ୍ୟରୁ ଅନ୍ୟତମ ହୋଇ ରହିଥିଲା। ପୂର୍ବର ଆଭିମୁଖ୍ୟଗୁଡ଼ିକ ମୁଖ୍ୟତଃ ବିଖଣ୍ଡିତ ଏବଂ ଘଟଣା-କୈନ୍ଦ୍ରିକ ଥିଲା, ଯାହା ସମସ୍ୟାର ମୂଳ କାରଣକୁ ସମାଧାନ କରିବା ପରିବର୍ତ୍ତେ କେବଳ ଲକ୍ଷଣଗୁଡ଼ିକୁ ନିୟନ୍ତ୍ରଣ କରୁଥିଲା। ପରବର୍ତ୍ତୀ ସମୟରେ ଏହାର ସମାଧାନ ପାଇଁ ଏକ ଅଧିକ ବ୍ୟାପକ ଏବଂ ସମନ୍ୱିତ ରଣନୀତି ଗ୍ରହଣ କରାଯାଇଥିଲା।
ବିଗତ ବାର ବର୍ଷ ମଧ୍ୟରେ, ପରସ୍ପରକୁ ସୁଦୃଢ଼ କରୁଥିବା ତିନୋଟି କାର୍ଯ୍ୟଧାରା ଦ୍ୱାରା ଏହି ପରିବର୍ତ୍ତନ ପରିଚାଳିତ ହୋଇଥିଲା। ରାଷ୍ଟ୍ର ପ୍ରତି ବିଶ୍ୱାସ ଏବଂ ଆସ୍ଥା ପୁନଃସ୍ଥାପନ କରିବାରେ ସୁଦୃଢ଼ ସୁରକ୍ଷା ଅଭିଯାନ, ଉନ୍ନତ ଆନ୍ତଃ-ସଂସ୍ଥା ସମନ୍ୱୟ, ସୁବ୍ୟବସ୍ଥିତ ଆତ୍ମସମର୍ପଣ ଓ ଥଇଥାନ ଢାଞ୍ଚା ଏବଂ ନିରନ୍ତର ଗୋଷ୍ଠୀଗତ ସମ୍ପର୍କ ସାମିଲ ଥିଲା। ଭିତ୍ତିଭୂମି ସମ୍ପ୍ରସାରଣର ଅର୍ଥ ଥିଲା ଭୌତିକ ଏବଂ ଡିଜିଟାଲ୍ ସଂଯୋଗୀକରଣରେ ଉନ୍ନତି ଆଣିବା, ଦୁର୍ଗମ ଅଞ୍ଚଳରେ ପ୍ରଶାସନିକ ଉପସ୍ଥିତି ବୃଦ୍ଧି କରିବା ଏବଂ ସ୍ଥାୟୀ ଆର୍ଥିକ ସୁଯୋଗ ସୃଷ୍ଟି କରିବା। କଲ୍ୟାଣମୂଳକ କାର୍ଯ୍ୟକ୍ରମ ପ୍ରଦାନ କରିବାରେ ସମ୍ମାନ, ଅନ୍ତର୍ଭୁକ୍ତୀକରଣ ସେବା ପ୍ରଦାନ, ସାଂସ୍କୃତିକ ସମନ୍ୱୟ ଏବଂ ପ୍ରଭାବିତ ସମ୍ପ୍ରଦାୟଗୁଡ଼ିକୁ ଜାତୀୟ ବିକାଶ ପ୍ରକ୍ରିୟାର ମୁଖ୍ୟସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପ୍ରତ୍ୟେକଟି କାର୍ଯ୍ୟଧାରା ପରସ୍ପରକୁ ସୁଦୃଢ଼ କରିଥିଲା। ସୁରକ୍ଷା ବିକାଶ ପାଇଁ ସୁଯୋଗ ସୃଷ୍ଟି କଲା। ବିକାଶ ବିଶ୍ୱାସକୁ ଗଭୀର କଲା। ବିଶ୍ୱାସ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କଲା। ଏହା କେବଳ ଏକ କ୍ରମ ନଥିଲା; ଏହା ପ୍ରଗତିର ଏକ ଅବିଚ୍ଛେଦ୍ୟ ଶୃଙ୍ଖଳ ଥିଲା।
ରାଷ୍ଟ୍ର ପ୍ରତି ଆସ୍ଥା ପୁନଃସ୍ଥାପନ
ଏହି ପ୍ରୟାସ ସମ୍ବେଦନଶୀଳ ଏବଂ ଦୁର୍ଗମ ଅଞ୍ଚଳରେ ନିରନ୍ତର ସରକାରୀ ଉପସ୍ଥିତି ମାଧ୍ୟମରେ ବିଶ୍ୱାସ ଓ ଆସ୍ଥା ପୁନଃନିର୍ମାଣ କରିବା ଉପରେ ଧ୍ୟାନ ଦେଇଥିଲା। ପ୍ରଭାବଶାଳୀ ପ୍ରତିକ୍ରିୟାଶୀଳତା ସୁନିଶ୍ଚିତ କରିବା ପାଇଁ ଏହା ସୁରକ୍ଷା ସଂସ୍ଥା ଏବଂ ପ୍ରଶାସନିକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିଥିଲା। ଏହି ଆଭିମୁଖ୍ୟ ସମ୍ପ୍ରଦାୟ ଏବଂ ସରକାରୀ ବ୍ୟବସ୍ଥା ମଧ୍ୟରେ ଦୀର୍ଘ ଦିନରୁ ରହିଆସିଥିବା ଦୂରତାକୁ ଦୂର କରିଥିଲା।
୨୦୧୪ ପୂର୍ବରୁ ହିଂସାର ଚରମ ସୀମା
ମାଓବାଦୀ ଆଦର୍ଶ ଏବଂ ସଶସ୍ତ୍ର ବିପ୍ଳବର ସିଦ୍ଧାନ୍ତ ଦ୍ୱାରା ଅନୁପ୍ରାଣିତ ହୋଇ ୧୯୬୭ ମସିହାରେ ପଶ୍ଚିମବଙ୍ଗର ନକ୍ସଲବାଡ଼ି ବିଦ୍ରୋହରୁ ବାମପନ୍ଥୀ ଉଗ୍ରବାଦର ଉତ୍ପତ୍ତି ହୋଇଥିଲା। ଏହାର ମାର୍ଗଦର୍ଶକ ନୀତି ସରଳ ଏବଂ ହିଂସାତ୍ମକ ଥିଲା, ତାହା ହେଲା ‘ବନ୍ଧୁକ ନଳୀରୁ କ୍ଷମତା ଆସେ’। ନକ୍ସଲମାନଙ୍କ ପ୍ରାୟ ୯୨ ପ୍ରତିଶତ ଅସ୍ତ୍ରଶସ୍ତ୍ର ସିଧାସଳଖ ପୋଲିସ ଅସ୍ତ୍ରାଗାରରୁ ଲୁଟ୍ କରାଯାଇଥିଲା। ସମୟକ୍ରମେ, ୨୦୦୪ ମସିହାରେ ଅନେକ ଉଗ୍ରବାଦୀ ସଂଗଠନ ସିପିଆଇ (ମାଓବାଦୀ) ଅଧୀନରେ ମିଶିଯାଇଥିଲେ, ଯାହା ଏହାକୁ ଭାରତର ସବୁଠାରୁ ବଡ଼ ଆଭ୍ୟନ୍ତରୀଣ ସୁରକ୍ଷା ଆହ୍ୱାନରେ ପରିଣତ କରିଥିଲା।
୨୦୦୪ ରୁ ୨୦୧୪ ମଧ୍ୟରେ ଥିବା ଦଶନ୍ଧି ବାମପନ୍ଥୀ ଉଗ୍ରବାଦ ଇତିହାସରେ ସବୁଠାରୁ ଅଧିକ ହିଂସାତ୍ମକ ସମୟ ମଧ୍ୟରୁ ଅନ୍ୟତମ ଥିଲା। ୨୦୧୦ ମସିହାରେ ହିଂସା ଚରମ ସୀମାରେ ପହଞ୍ଚିଥିଲା, ଯେଉଁଥିରେ ଗୋଟିଏ ବର୍ଷରେ ୧,୯୩୬ଟି ହିଂସାତ୍ମକ ଘଟଣା ଘଟିଥିଲା ଏବଂ ୭୨୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ସମ୍ପୂର୍ଣ୍ଣ ଦଶନ୍ଧିରେ ୧୭,୫୪୨ଟି ହିଂସାତ୍ମକ ଘଟଣା, ୧,୯୧୩ ଜଣ ସୁରକ୍ଷା ବାହିନୀ ଯବାନଙ୍କ ମୃତ୍ୟୁ ଏବଂ ୫,୦୧୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା।
ସେତେବେଳେ କୌଣସି ସ୍ଥିର ଜାତୀୟ ନୀତି ନଥିଲା। ରାଜ୍ୟ ସରକାରଗୁଡ଼ିକ ଅଲଗା ଅଲଗା ଭାବରେ କାର୍ଯ୍ୟ କରୁଥିଲେ। ଏପରିକି ତତ୍କାଳୀନ ସରକାର ୨୦୦୯ ମସିହାରେ ସାର୍ବଜନୀନ ଭାବରେ ସ୍ୱୀକାର କରିଥିଲେ ଯେ ନକ୍ସଲବାଦ ହେଉଛି ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ଆଭ୍ୟନ୍ତରୀଣ ସୁରକ୍ଷା ଆହ୍ୱାନ, ଯାହା ଭୌଗୋଳିକ ବିସ୍ତାର ଦୃଷ୍ଟିରୁ କାଶ୍ମୀର ଏବଂ ଉତ୍ତର-ପୂର୍ବାଞ୍ଚଳକୁ ମଧ୍ୟ ଅତିକ୍ରମ କରିଯାଇଥିଲା।
ନୀତିଗତ ପରିବର୍ତ୍ତନ: ବିଖଣ୍ଡିତ ପ୍ରତିକ୍ରିୟାରୁ ଏକୀକୃତ ରଣନୀତି ପର୍ଯ୍ୟନ୍ତ
୨୦୧୫ ମସିହାରେ ବାମପନ୍ଥୀ ଉଗ୍ରବାଦର ମୁକାବିଲା ପାଇଁ ଜାତୀୟ ନୀତି ଏବଂ କାର୍ଯ୍ୟ ଯୋଜନାର ଅନୁମୋଦନ ସହିତ ପ୍ରଥମ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଥିଲା। ଏହା ପୂର୍ବର ଅସ୍ଥାୟୀ ଆଭିମୁଖ୍ୟକୁ ହଟାଇ ଏକ ସୁବ୍ୟବସ୍ଥିତ, ‘ସାମଗ୍ରିକ-ସରକାର’ ଢାଞ୍ଚା ଲାଗୁ କରିଥିଲା। ସୁରକ୍ଷା ପଦକ୍ଷେପଗୁଡ଼ିକ ରାଜ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଦୁର୍ଗମ ଅଞ୍ଚଳରେ ସୁରକ୍ଷା ଶୂନ୍ୟସ୍ଥାନ ପୂରଣ କରିବା ଏବଂ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଉପରେ ଧ୍ୟାନ ଦେଇଥିଲା। ଏହା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରିଥିଲା, ସ୍ୱତନ୍ତ୍ର ତାଲିମ ପ୍ରଦାନ କରିଥିଲା ଏବଂ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ, ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନା ଏବଂ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନା ମାଧ୍ୟମରେ ପାଣ୍ଠି ଆବଣ୍ଟନ କରିଥିଲା, ଏହା ସହିତ ସୁରକ୍ଷା ବ୍ୟତୀତ ସାମାଜିକ-ଆର୍ଥିକ ମୂଳ କାରଣଗୁଡ଼ିକର ମଧ୍ୟ ସମାଧାନ କରିଥିଲା। ୨୦୧୭ରେ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ₹୪,୩୧୮.୫୨ କୋଟି ଟଙ୍କା ଜାରି କରାଯାଇଛି।
ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନା ଅଧୀନରେ, ସ୍ୱତନ୍ତ୍ର ବାହିନୀ, ସ୍ୱତନ୍ତ୍ର ଗୁଇନ୍ଦା ଶାଖା, ଜିଲ୍ଲା ପୋଲିସକୁ ସୁଦୃଢ଼ କରିବା ଏବଂ ସୁରକ୍ଷିତ ପୋଲିସ ଷ୍ଟେସନ ନିର୍ମାଣ କରିବା ପାଇଁ ପୂର୍ବତନ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟଗୁଡ଼ିକ ନିମନ୍ତେ ₹୧,୭୬୧ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି।
୨୦୧୪-୧୫ ପରଠାରୁ, ଅଭିଯାନଗତ ଆବଶ୍ୟକତା, ସୁରକ୍ଷା ବାହିନୀର ଦକ୍ଷତା ବୃଦ୍ଧି ଓ ତାଲିମ, ଆତ୍ମସମର୍ପଣ କରିଥିବା ବାମପନ୍ଥୀ ଉଗ୍ରବାଦୀ କ୍ୟାଡରଙ୍କ ଥଇଥାନ ଏବଂ ସହିଦ ସୁରକ୍ଷା କର୍ମୀ ଓ ସାଧାରଣ ନାଗରିକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବା ପାଇଁ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ଯୋଜନା ଅଧୀନରେ ₹୩,୮୭୭.୯୮ କୋଟି ଟଙ୍କା ଜାରି କରାଯାଇଛି।
ପ୍ରଥମ ଥର ପାଇଁ, ଭାରତ ବାମପନ୍ଥୀ ଉଗ୍ରବାଦ ବିରୁଦ୍ଧରେ ଚାରି-ସୂତ୍ରୀ ରଣନୀତି ଉପରେ ଆଧାରିତ ଏକ ସୁବ୍ୟବସ୍ଥିତ ଏବଂ ବ୍ୟାପକ ଆଭିମୁଖ୍ୟ କାର୍ଯ୍ୟକାରୀ କରିଥିଲା – ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଦ୍ରୁତ ବିକାଶ, ଅଧିକାର ଓ ପ୍ରାପ୍ୟ ସୁନିଶ୍ଚିତ କରିବା ଏବଂ ଜନଧାରଣା ପରିଚାଳନା। ଗୃହ ମନ୍ତ୍ରଣାଳୟ ଅଧୀନରେ ଏକ ଅଧିକ କେନ୍ଦ୍ରୀୟ ସମନ୍ୱିତ ଢାଞ୍ଚା ମାଧ୍ୟମରେ ସରକାରଙ୍କ ପ୍ରତିକ୍ରିୟା ପରିଚାଳିତ ହୋଇଥିଲା, ଯାହା ନୀତି କାର୍ଯ୍ୟକାରିତାରେ ଅଧିକ ସାମଞ୍ଜସ୍ୟ ଆଣିଥିଲା।
ଧ୍ୟାନ କେନ୍ଦ୍ରିତ ଯୋଜନା ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଭାରତକୁ ନକ୍ସଲବାଦର ଭୟ ଏବଂ ହିଂସାରୁ ମୁକ୍ତ କରିବାର ଲକ୍ଷ୍ୟ ହାସଲ କରାଯାଇଥିଲା। ୨୪ ଅଗଷ୍ଟ ୨୦୨୪ରେ, ଭାରତ ସରକାର ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ନକ୍ସଲ-ମୁକ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ତୀବ୍ର ସୁରକ୍ଷା ଅଭିଯାନ, ସୁଦୃଢ଼ ସମନ୍ୱୟ, ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ତ୍ୱରାନ୍ୱିତ ବିକାଶମୂଳକ ପଦକ୍ଷେପ ମାଧ୍ୟମରେ ନିର୍ଦ୍ଧାରିତ ସମୟରେ ଏହି ଲକ୍ଷ୍ୟ ହାସଲ କରାଯାଇଥିଲା।
ସୁରକ୍ଷା ଜାଲ ନିର୍ମାଣ
ଭିତ୍ତିଭୂମିର ସମ୍ପ୍ରସାରଣ, ସ୍ୱତନ୍ତ୍ର ବାହିନୀ ଏବଂ ଉନ୍ନତ ଅଭିଯାନଗତ ସମନ୍ୱୟ ମାଧ୍ୟମରେ ସରକାର ବ୍ୟବସ୍ଥିତ ଭାବରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଥିବା ସୁରକ୍ଷା ଶୂନ୍ୟସ୍ଥାନକୁ ପୂରଣ କରିଥିଲେ। ଏହି ସମନ୍ୱିତ ଆଭିମୁଖ୍ୟ ସମଗ୍ର ରେଡ୍ କରିଡରରେ ସରକାରୀ ଉପସ୍ଥିତି, ଗତିଶୀଳତା, ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଏବଂ ବିଦ୍ରୋହ-ଦମନ କ୍ଷମତାକୁ ବୃଦ୍ଧି କରିଥିଲା।
୨୦୧୪ ପୂର୍ବରୁ ମାତ୍ର ୧୬୯ଟି ସୁରକ୍ଷା ଶିବିର ଥିବାବେଳେ, ୬୬୮ଟି ନୂତନ ସୁରକ୍ଷା ଶିବିର ନିର୍ମାଣ କରାଯାଇଥିଲା। ଏହା ବ୍ୟତୀତ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା, ଅଞ୍ଚଳ ଉପରେ ଆଧିପତ୍ୟ ବୃଦ୍ଧି କରିବା ଏବଂ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ନିରନ୍ତର ଅଭିଯାନ ଜାରି ରଖିବା ପାଇଁ ୬୧୫ଟି ସୁରକ୍ଷିତ ପୋଲିସ ଷ୍ଟେସନ ପ୍ରତିଷ୍ଠା କରାଯାଇଛି। ଦୁର୍ଗମ ଅଞ୍ଚଳରେ ଦ୍ରୁତ ମୁତୟନ ପାଇଁ ୬୮ଟି ରାତ୍ରିକାଳୀନ ଅବତରଣ ହେଲିପ୍ୟାଡ୍ ନିର୍ମାଣ କରାଯାଇଥିଲା, ଯାହା ସୈନ୍ୟ ଚଳାଚଳ, ଆହତମାନଙ୍କୁ ସ୍ଥାନାନ୍ତର ଏବଂ ନିରୀକ୍ଷଣକୁ ସମ୍ଭବ କରିଥିଲା। ସୁରକ୍ଷା ବାହିନୀକୁ ୪୦୦ଟି ବୁଲେଟ୍-ପ୍ରୁଫ୍ ଏବଂ ବ୍ଲାଷ୍ଟ-ପ୍ରୁଫ୍ ଯାନ ଯୋଗାଇ ଦିଆଯାଇଥିଲା ଏବଂ ସେମାନଙ୍କ କଲ୍ୟାଣ ଓ ଚିକିତ୍ସା ସହାୟତା ପାଇଁ ୫ଟି ଡାକ୍ତରଖାନା ନିର୍ମାଣ କରାଯାଇଥିଲା।
ଶୀର୍ଷ ବାହିନୀର ସମନ୍ୱୟ:
କୋବ୍ରା (CoBRA), ଡିଆରଜି (DRG), ଏସଟିଏଫ (STF) ଏବଂ ଗ୍ରେହାଉଣ୍ଡସ୍ (Greyhounds) କୋବ୍ରା (କମାଣ୍ଡୋ ବାଟାଲିୟନ ଫର୍ ରିଜୋଲ୍ୟୁଟ୍ ଆକ୍ସନ), ସିଆରପିଏଫ୍ (CRPF), ଜିଲ୍ଲା ରିଜର୍ଭ ଗାର୍ଡ (DRG) ଏବଂ ଝାଡ଼ଖଣ୍ଡ ଜାଗୁଆର, ଛତିଶଗଡ଼ ପୋଲିସ ୟୁନିଟ୍ ଓ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡସ୍ ଭଳି ଅଭିଜାତ ରାଜ୍ୟ ୟୁନିଟ୍ଗୁଡ଼ିକୁ ଏକାଠି କରି ଏକ ସ୍ତରୀୟ, ସ୍ୱତନ୍ତ୍ର ସୁରକ୍ଷା ଢାଞ୍ଚା ବିକଶିତ କରାଯାଇଥିଲା। ଡିଆରଜି, ଏସଟିଏଫ, ସିଆରପିଏଫ୍ ଏବଂ କୋବ୍ରା ମଧ୍ୟରେ ମିଳିତ ତାଲିମ ଏକ ସ୍ପଷ୍ଟ କମାଣ୍ଡ ଢାଞ୍ଚା ସହିତ ଏକ ସମନ୍ୱିତ, ପରସ୍ପର ସହ ମିଶି କାର୍ଯ୍ୟ କରିପାରୁଥିବା ବାହିନୀ ସୃଷ୍ଟି କରିଥିଲା।
ପ୍ରଯୁକ୍ତିବିଦ୍ୟା: ଏକ ପରିବର୍ତ୍ତନକାରୀ ମାଧ୍ୟମ
୨୦୧୪ ପରେ, କେନ୍ଦ୍ର ସରକାର ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ନକ୍ସଲ-ବିରୋଧୀ ଅଭିଯାନରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ମାନବହୀନ ଆକାଶଯାନ, ଡ୍ରୋନ୍, ସାଟେଲାଇଟ୍ ଚିତ୍ର ଏବଂ ଏଆଇ-ଆଧାରିତ ତଥ୍ୟ ବିଶ୍ଳେଷଣ ବାସ୍ତବ-ସମୟ ନିରୀକ୍ଷଣ ଏବଂ ସଠିକ୍ ନଜର ରଖିବାକୁ ସମ୍ଭବ କରିଥିଲା। ଉନ୍ନତ ଲୋକେସନ୍-ଟ୍ରାକିଂ ସିଷ୍ଟମ୍, ବୈଜ୍ଞାନିକ କଲ୍-ଲଗ୍ ବିଶ୍ଳେଷଣ, ମୋବାଇଲ୍ ଡାଟା ଆନାଲିଟିକ୍ସ ଏବଂ ସୋସିଆଲ ମିଡିଆ ମନିଟରିଂ କାର୍ଯ୍ୟକାରୀ କରାଯାଇଥିଲା। ଗତିବିଧି ଉପରେ ନଜର ରଖିବା, ଯୋଗାଯୋଗ ଶୈଳୀକୁ ବିଶ୍ଳେଷଣ କରିବା ଏବଂ ଅଭିଯାନଗତ ଦକ୍ଷତାକୁ ତୀକ୍ଷ୍ଣ କରିବା ପାଇଁ ଗୃହ ମନ୍ତ୍ରଣାଳୟ ପ୍ରଯୁକ୍ତିବିଦ୍ୟା-ଆଧାରିତ ତଥ୍ୟ ବ୍ୟବହାର କରିଥିଲା।
ଚିହ୍ନଟ, ଲକ୍ଷ୍ୟଭେଦ ଏବଂ ନିଷ୍କ୍ରିୟତା ପାଇଁ ଉଲ୍ଲେଖନୀୟ ଅଭିଯାନ
ସରକାରଙ୍କ “ଚିହ୍ନଟ କର, ଲକ୍ଷ୍ୟଭେଦ କର, ନିଷ୍କ୍ରିୟ କର” (Trace, Target, Neutralise) ନୀତି ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିଥିଲା। ନିରନ୍ତର ସୁରକ୍ଷା ଅଭିଯାନ ଏବଂ କେନ୍ଦ୍ରିତ ଗୁଇନ୍ଦା-ଆଧାରିତ ରଣନୀତି ମାଧ୍ୟମରେ, ସରକାର ତିନି ଦଶନ୍ଧିରୁ ଅଧିକ ସମୟ ଧରି ବାମପନ୍ଥୀ ଉଗ୍ରବାଦର ପ୍ରଭାବରେ ଥିବା ଅଞ୍ଚଳଗୁଡ଼ିକୁ ପୁନରୁଦ୍ଧାର କରିଥିଲେ।
ଅପରେସନ୍ ବ୍ଲାକ୍ ଫରେଷ୍ଟ, ଅପରେସନ୍ ଅକ୍ଟୋପସ୍, ଅପରେସନ୍ ଡବଲ୍ ବୁଲ୍, ଅପରେସନ୍ ଥଣ୍ଡରଷ୍ଟର୍ମ, ଅପରେସନ୍ ଭୀମବନ୍ଧ ଏବଂ ଅପରେସନ୍ ଚକ୍ରବନ୍ଧ ସମେତ ଏକାଧିକ ସମନ୍ୱିତ ଅଭିଯାନ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମାଓବାଦୀ ନେଟୱର୍କକୁ ଯଥେଷ୍ଟ ଦୁର୍ବଳ କରିଦେଇଥିଲା। ଏଗୁଡ଼ିକ ମଧ୍ୟରେ, ଅପରେସନ୍ ବ୍ଲାକ୍ ଫରେଷ୍ଟ ଏକ ପ୍ରମୁଖ ସଫଳତା ଭାବେ ଉଭା ହୋଇଥିଲା, ଯାହା ଏକ ପ୍ରମୁଖ ମାଓବାଦୀ ଗଡ଼କୁ ଭାଙ୍ଗି ଦେଇଥିଲା, ୩୦ରୁ ଅଧିକ ମାଓବାଦୀଙ୍କ ନିପାତ ଘଟାଇଥିଲା ଏବଂ ଗିରଫଦାରୀ ଓ ଆତ୍ମସମର୍ପଣରେ ତୀବ୍ର ବୃଦ୍ଧି ଘଟାଇଥିଲା। ଅପରେସନ୍ ଡବଲ୍ ବୁଲ୍ ଫଳରେ ଗୁମଲା, ଲୋହରଦାଗା ଏବଂ ଲାତେହାର ଜିଲ୍ଲା ନକ୍ସଲ-ମୁକ୍ତ ହୋଇଥିଲା। ସାମୂହିକ ଭାବରେ, ଏହି ଅଭିଯାନଗୁଡ଼ିକ ଦୀର୍ଘ ଦିନ ଧରି ପ୍ରଭାବିତ ଅଞ୍ଚଳରେ ସରକାରୀ ଉପସ୍ଥିତିକୁ ପୁନଃସ୍ଥାପିତ କରିଥିଲା, ଉଗ୍ରବାଦୀ ପ୍ରଭାବକୁ ହ୍ରାସ କରିଥିଲା ଏବଂ ଉନ୍ନତ ସୁରକ୍ଷା, ଶାସନ ଓ ବିକାଶମୂଳକ ପଦକ୍ଷେପ ପାଇଁ ପରିସ୍ଥିତି ସୃଷ୍ଟି କରିଥିଲା।
ସିପିଆଇ (ମାଓବାଦୀ) ର ସମସ୍ତ ପଲିଟ୍ ବ୍ୟୁରୋ ସଦସ୍ୟ କେନ୍ଦ୍ରୀୟ କମିଟି ସଦସ୍ୟ ନିଷ୍କ୍ରିୟ ହୋଇସାରିଛନ୍ତି। ୨୦୧୪ ପରଠାରୁ ମୋଟ ୪୧ ଜଣ ସଦସ୍ୟ ନିଷ୍କ୍ରିୟ ହୋଇଛନ୍ତି।
ସମର୍ଥନ ବ୍ୟବସ୍ଥାକୁ ଅବରୋଧ କରିବା
କେନ୍ଦ୍ର ସରକାର ଏକ ବ୍ୟାପକ ସର୍ବ-ସଂସ୍ଥା ଆଭିମୁଖ୍ୟ ଗ୍ରହଣ କରିଥିଲେ, ଯେଉଁଥିରେ କେବଳ ସଶସ୍ତ୍ର କ୍ୟାଡରମାନଙ୍କୁ ନୁହେଁ, ବରଂ ସେମାନଙ୍କୁ ସମର୍ଥନ କରୁଥିବା ସମଗ୍ର ଇକୋସିଷ୍ଟମକୁ ଟାର୍ଗେଟ କରାଯାଇଥିଲା। ବିକାଶ ପାଇଁ, ଏହାର ଅର୍ଥ ଥିଲା ଏକ ‘ସମଗ୍ର-ସରକାର’ ଆଭିମୁଖ୍ୟ। ସୁରକ୍ଷା ଅଭିଯାନ ପାଇଁ, ଏହାର ଅର୍ଥ ଥିଲା ଏକ ‘ସମଗ୍ର-ସଂସ୍ଥା’ ରଣନୀତି। ନକ୍ସଲ ଅର୍ଥନୈତିକ ନେଟୱର୍କକୁ ଭଙ୍ଗିବା ପାଇଁ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ମଧ୍ୟରେ ଏକ ସ୍ୱତନ୍ତ୍ର ଭର୍ଟିକାଲ୍ ପ୍ରତିଷ୍ଠା କରାଯାଇଥିଲା। ଡିସେମ୍ବର ୨୦୨୫ ସୁଦ୍ଧା, ଏନଆଇଏ ₹୪୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ₹୧୨ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଥିଲା, ଯେତେବେଳେ କି ରାଜ୍ୟ ସଂସ୍ଥାଗୁଡ଼ିକ ଅତିରିକ୍ତ ₹୪୦ କୋଟି ମୂଲ୍ୟର ସମ୍ପତ୍ତି ବ୍ୟାଜ୍ୟାପ୍ତ କରିଥିଲେ। ଜୁନ୍ ୨୦୨୬ ସୁଦ୍ଧା, ଏନଆଇଏ ଦ୍ୱାରା ବାମପନ୍ଥୀ ଉଗ୍ରବାଦ ମାମଲାର ମୋଟ ସଂଖ୍ୟା ୧୧୨ରେ ପହଞ୍ଚିଥିଲା, ଯେଉଁଥିରେ ୧୦୦ଟି ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ଆତ୍ମସମର୍ପଣ ପାଇଁ ରେଡ୍ କାର୍ପେଟ୍
ସରକାରଙ୍କ ଦୃଢ଼ ସୁରକ୍ଷା ପଦକ୍ଷେପକୁ ଏକ ଥଇଥାନ-କୈନ୍ଦ୍ରିକ ଆଭିମୁଖ୍ୟ ଦ୍ୱାରା ପରିପୂରକ କରାଯାଇଛି, ଯାହାର ସ୍ପଷ୍ଟ ବାର୍ତ୍ତା ହେଉଛି: “ଯେଉଁମାନେ ଅସ୍ତ୍ର ତ୍ୟାଗ କରନ୍ତି, ସେମାନଙ୍କ ପାଇଁ ଭବ୍ୟ ସ୍ୱାଗତ ବ୍ୟବସ୍ଥା ବା ରେଡ୍ କାର୍ପେଟ୍ ରହିଛି।” ଆତ୍ମସମର୍ପଣ କରୁଥିବା କ୍ୟାଡରମାନେ ଉଚ୍ଚ-ପଦସ୍ଥ କ୍ୟାଡରଙ୍କ ପାଇଁ ₹୫ ଲକ୍ଷ ଏବଂ ଅନ୍ୟମାନଙ୍କ ପାଇଁ ₹୨.୫ ଲକ୍ଷର ତତ୍କାଳ ଅନୁଦାନ ପାଆନ୍ତି, ଏହା ସହିତ ୩୬ ମାସ ପାଇଁ ମାସିକ ₹୧୦,୦୦୦ ଷ୍ଟାଇପେଣ୍ଡ ପାଆନ୍ତି। ଆତ୍ମସମର୍ପଣ ପାଇଁ ₹୫୦,୦୦୦ର ଅତିରିକ୍ତ ପ୍ରୋତ୍ସାହନ ପ୍ରଦାନ କରାଯାଏ, ଯାହା ଗୋଷ୍ଠୀଗତ ଆତ୍ମସମର୍ପଣ କ୍ଷେତ୍ରରେ ଦ୍ୱିଗୁଣିତ ହୁଏ, ଏହା ସହିତ ଅସ୍ତ୍ରଶସ୍ତ୍ର ଜମା କରିବା ପାଇଁ ଅତିରିକ୍ତ କ୍ଷତିପୂରଣ ଦିଆଯାଏ।
ଥଇଥାନ ନୀତି ଆତ୍ମସମର୍ପଣ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟାଇବାରେ ସହାୟକ ହୋଇଛି। ନଭେମ୍ବର ୨୦୨୬ ସୁଦ୍ଧା, ପ୍ରାୟ ୮,୫୨୬ ଜଣ ନକ୍ସଲ ଅସ୍ତ୍ର ତ୍ୟାଗ କରିଛନ୍ତି। ନାଗରିକ ସମାଜର ସଦସ୍ୟ, ସାମ୍ବାଦିକ, ସମ୍ପ୍ରଦାୟର ନେତା ଏବଂ ଜନପ୍ରତିନିଧିମାନଙ୍କ ଦ୍ୱାରା ଏହି ପ୍ରୟାସଗୁଡ଼ିକ ଆହୁରି ସୁଦୃଢ଼ ହୋଇଛି, ଯେଉଁମାନେ ଥଇଥାନ ପଦକ୍ଷେପ ପ୍ରତି ବିଶ୍ୱାସ ସୃଷ୍ଟି କରିବାରେ ସାହାଯ୍ୟ କରିଛନ୍ତି ଏବଂ ପ୍ରଭାବିତ ବ୍ୟକ୍ତିମାନଙ୍କୁ ମୁଖ୍ୟସ୍ରୋତକୁ ଫେରିବା ପାଇଁ ଉତ୍ସାହିତ କରିଛନ୍ତି।
ନିରନ୍ତର ସୁରକ୍ଷା ଅଭିଯାନ ଏବଂ ଥଇଥାନର ଏହି ମିଳିତ ରଣନୀତିର ପ୍ରଭାବଶାଳୀତାକୁ ସାମ୍ପ୍ରତିକ ଘଟଣାକ୍ରମ ଆହୁରି ପ୍ରମାଣିତ କରିଛି। ୨୮ ଜୁଲାଇ ୨୦୨୬ରେ, ‘ନୟୀ ଦିଶା, ନୟୀ ପହଲ’ ନକ୍ସଲ-ବିରୋଧୀ ଅଭିଯାନ ଅଧୀନରେ, କୋଲହାନ ଏବଂ ଲାତେହାର ଅଞ୍ଚଳର ୧୬ ଜଣ ସକ୍ରିୟ ମାଓବାଦୀ ରାଞ୍ଚିରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିଥିବା କ୍ୟାଡରମାନଙ୍କ ମଧ୍ୟରେ ଜଣେ ଆଞ୍ଚଳିକ କମାଣ୍ଡର, ତିନି ଜଣ ଜୋନାଲ୍ କମାଣ୍ଡର, ତିନି ଜଣ ସବ୍-ଜୋନାଲ୍ କମାଣ୍ଡର, ଛଅ ଜଣ ଏରିଆ କମାଣ୍ଡର ଏବଂ ତିନି ଜଣ କ୍ୟାଡର-ସ୍ତରୀୟ ସଦସ୍ୟ ସାମିଲ ଥିଲେ। ସେମାନେ ୧୧ଟି ଅତ୍ୟାଧୁନିକ ଆଗ୍ନେୟାସ୍ତ୍ର, ୩୮ଟି ମାଗାଜିନ୍ ଏବଂ ୧,୫୬୨ ରାଉଣ୍ଡ ଗୁଳି ସହିତ ଆତ୍ମସମର୍ପଣ କରିଥିଲେ।
ଏହା ବ୍ୟତୀତ, ୨୯ ଜୁଲାଇ ୨୦୨୬ରେ, ମୋଟ ₹୪୯ ଲକ୍ଷ ପୁରସ୍କାର ରାଶି ଥିବା ଆଉ ଆଠ ଜଣ ମାଓବାଦୀ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ, ଯାହା ବାମପନ୍ଥୀ ଉଗ୍ରବାଦ ବିରୋଧୀ ଅଭିଯାନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରିଥିଲା। ସେହି ଦିନ, ସୁରକ୍ଷା ବାହିନୀ ଧନବାଦ-ଗିରିଡିହ ସୀମାରୁ ₹୧ କୋଟି ପୁରସ୍କାର ରାଶି ଥିବା ଶୀର୍ଷ ମାଓବାଦୀ ନେତା ତଥା ପଲିଟବ୍ୟୁରୋ ସଦସ୍ୟଙ୍କୁ ମଧ୍ୟ ଗିରଫ କରିଥିଲେ। ଗୁଇନ୍ଦା ସୂଚନା-ଆଧାରିତ ମିଳିତ ଅଭିଯାନ ସମୟରେ, ₹୧୫ ଲକ୍ଷ ପୁରସ୍କାର ରାଶି ଥିବା ଜଣେ ଆଞ୍ଚଳିକ କମିଟି ସଦସ୍ୟ, ଜଣେ ମାଓବାଦୀ କ୍ୟାଡର ଏବଂ ଦୁଇ ଜଣ ଗ୍ରାମବାସୀଙ୍କୁ ମଧ୍ୟ ଧରାଯାଇଥିଲା।
ଏହି ସୁରକ୍ଷା ସଫଳତାଗୁଡ଼ିକ କେବଳ ଶୃଙ୍ଖଳା ଫେରାଇ ଆଣିବାଠାରୁ ବହୁ ଊର୍ଦ୍ଧ୍ୱରେ ଥିଲା। ଏଗୁଡ଼ିକ ଦୀର୍ଘକାଳୀନ ବିକାଶ ପାଇଁ ଭିତ୍ତି ସୃଷ୍ଟି କରିଥିଲା। ପ୍ରତ୍ୟେକ ସୁରକ୍ଷିତ ପୋଲିସ ଷ୍ଟେସନ, ପ୍ରତ୍ୟେକ CAPF ଶିବିର ଏବଂ ପ୍ରତ୍ୟେକ ଆତ୍ମସମର୍ପଣ କରିଥିବା କ୍ୟାଡର ପୂର୍ବରୁ ଅପହଞ୍ଚ ଥିବା ଅଞ୍ଚଳଗୁଡ଼ିକରେ ଶାସନର ପରିସରକୁ ବିସ୍ତାର କରିଥିଲେ। ସୁରକ୍ଷା ଆଦିବାସୀ ସମ୍ପ୍ରଦାୟ ନିକଟରେ ସଡ଼କ, ବିଦ୍ୟାଳୟ, ସ୍ୱାସ୍ଥ୍ୟସେବା ସୁବିଧା, ବ୍ୟାଙ୍କିଙ୍ଗ୍ ସେବା ଏବଂ ଡିଜିଟାଲ୍ ସଂଯୋଗୀକରଣ ପହଞ୍ଚାଇବା ପାଇଁ ବାଟ ଫିଟାଇଥିଲା। ସ୍ଥିରତା ଏବଂ ବିଶ୍ୱାସର ଏହି ପୁନଃସ୍ଥାପନ ହିଁ ପରବର୍ତ୍ତୀ ଭିତ୍ତିଭୂମି ପରିବର୍ତ୍ତନ ପାଇଁ ମୂଳଦୁଆ ସ୍ଥାପନ କରିଥିଲା।
ଏକ ନୂତନ ଭବିଷ୍ୟତ ଗଠନ: ଭିତ୍ତିଭୂମି ଏବଂ ସଂଯୋଗୀକରଣ
ନକ୍ସଲବାଦକୁ ସମାପ୍ତ କରିବାର ସଂକଳ୍ପ କେବଳ ନକ୍ସଲମାନଙ୍କୁ ନିପାତ କରିବା ବିଷୟରେ ନଥିଲା। ଏହା ଥିଲା ଏହି ଅଞ୍ଚଳର ଗରିବ ଆଦିବାସୀମାନଙ୍କ ନିକଟରେ ବଡ଼ ସହରରେ ଉପଲବ୍ଧ ପ୍ରତ୍ୟେକ ସୁବିଧା ପହଞ୍ଚାଇବା ସୁନିଶ୍ଚିତ କରିବା, ଯାହାଦ୍ୱାରା ସେମାନଙ୍କ ପିଲାମାନେ ମଧ୍ୟ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇପାରିବେ। ଏହି ପର୍ଯ୍ୟାୟ ଦୁର୍ଗମ ଅଞ୍ଚଳରେ ଭିତ୍ତିଭୂମି, ସଂଯୋଗୀକରଣ ଏବଂ ଶାସନ ପହଞ୍ଚକୁ ବିସ୍ତାର କରିବା ଉପରେ ଧ୍ୟାନ ଦେଇଥିଲା। ଏହା ଅତ୍ୟାବଶ୍ୟକ ସେବା, ସଡ଼କ ଏବଂ ଡିଜିଟାଲ୍ ନେଟୱର୍କଗୁଡ଼ିକରେ ପ୍ରବେଶକୁ ଉନ୍ନତ କରିଥିଲା। ଏହି ପ୍ରୟାସଗୁଡ଼ିକ ପୂର୍ବରୁ ଅବହେଳିତ ଅଞ୍ଚଳଗୁଡ଼ିକୁ ମୁଖ୍ୟସ୍ରୋତର ବିକାଶ ଏବଂ ଶାସନ ବ୍ୟବସ୍ଥା ସହିତ ସମନ୍ୱିତ କରିବାରେ ସାହାଯ୍ୟ କରିଥିଲା।
ସଡ଼କ ସଂଯୋଗୀକରଣ
ପ୍ରଭାବିତ ଅଞ୍ଚଳରେ ସଡ଼କ ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ ଦୁଇଟି ବାମପନ୍ଥୀ ଉଗ୍ରବାଦ-ନିର୍ଦ୍ଦିଷ୍ଟ ଯୋଜନା – ରୋଡ୍ ରିକ୍ୱାୟାରମେଣ୍ଟ ପ୍ଲାନ୍ (ଆରଆରପି) ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରୋଡ୍ କନେକ୍ଟିଭିଟି ପ୍ରୋଜେକ୍ଟ (RCPLWEA) ଅଧୀନରେ ମୋଟ ୧୫,୧୮୯ କିଲୋମିଟର ସଡ଼କ ନିର୍ମାଣ କରାଯାଇଛି।
ପୂର୍ବତନ ନକ୍ସଲ-ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଅନେକ ଭିତ୍ତିଭୂମି ପ୍ରକଳ୍ପ ମାଓବାଦୀ ଧମକ ଏବଂ ସୁରକ୍ଷା-ସମ୍ବନ୍ଧୀୟ ଆହ୍ୱାନ କାରଣରୁ ଅଟକି ରହିଥିଲା, ଯେଉଁଥିରେ ଠିକାଦାରମାନେ ପ୍ରାୟତଃ ଏଭଳି କାର୍ଯ୍ୟ ପାଇଁ ବିଡିଂ କରିବାରେ ଅନିଚ୍ଛୁକ ରହୁଥିଲେ। ଏହି ଅଞ୍ଚଳଗୁଡ଼ିକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ସଡ଼କ ଏବଂ ପୋଲ ନିର୍ମାଣ କାର୍ଯ୍ୟ ହାତକୁ ନେବା ପାଇଁ ସୀମା ସଡ଼କ ସଂଗଠନ (BRO) କୁ ଦାୟିତ୍ୱ ଦିଆଯାଇଛି।
ଡିଜିଟାଲ୍ ଏବଂ ମୋବାଇଲ୍ ସଂଯୋଗୀକରଣ
ଆଧୁନିକ ସମାଜରେ ପ୍ରଗତିର ମୌଳିକ ଆଧାର ଭାବେ ଟେଲିକମ୍ ସଂଯୋଗୀକରଣ ଉଭା ହୋଇଛି। ଗ୍ରାମାଞ୍ଚଳର ଆଦିବାସୀ ସମ୍ପ୍ରଦାୟ କ୍ଷେତ୍ରରେ ଏହା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ସାମାଜିକ-ଆର୍ଥିକ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ପ୍ରେରକ ଭାବେ କାର୍ଯ୍ୟ କରେ, ଡିଜିଟାଲ୍ ବିଭାଜନକୁ ଦୂର କରେ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରେ ଏବଂ ଆର୍ଥିକ ସୁଯୋଗକୁ ପ୍ରୋତ୍ସାହିତ କରେ। ଏହାକୁ ଦୃଷ୍ଟିରେ ରଖି ୯,୫୬୧ଟି ଟାୱାର କାର୍ଯ୍ୟକ୍ଷମ କରାଯାଇଛି। ସବୁଠାରୁ ଅଧିକ ନକ୍ସଲ ପ୍ରଭାବିତ ଥିବା ଅଞ୍ଚଳଗୁଡ଼ିକରେ, ୯୬% ଗ୍ରାମରେ (୪୬,୫୯୨ଟି ଗ୍ରାମ ମଧ୍ୟରୁ ୪୪,୭୨୮ଟି ଗ୍ରାମରେ) ଏବେ ମୋବାଇଲ୍ ସଂଯୋଗୀକରଣ ଉପଲବ୍ଧ, ଯାହା ଶିକ୍ଷା, ସେବାଗୁଡ଼ିକର ଅନଲାଇନ୍ ପ୍ରଦାନ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ବାଟ ଖୋଲିଛି।
ରେଳ ସଂଯୋଗୀକରଣ
ପୂର୍ବତନ ନକ୍ସଲ ଅଞ୍ଚଳଗୁଡ଼ିକରେ ରେଳ ସଂଯୋଗୀକରଣ ଅର୍ଥନୈତିକ ସମନ୍ୱୟର ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି। ଡଲ୍ଲି ରାଜହରା ଏବଂ ରାଓଘାଟ ମଧ୍ୟରେ ୯୫ କିଲୋମିଟର ଲମ୍ବା ରେଳ ଲାଇନ୍ ପୂର୍ବରୁ ସମ୍ପୂର୍ଣ୍ଣ ହୋଇସାରିଛି, ଯେତେବେଳେ କି ୧୪୦ କିଲୋମିଟର ଲମ୍ବା ରାଓଘାଟ–ଜଗଦଲପୁର ପର୍ଯ୍ୟାୟକୁ ଅନୁମୋଦନ ମିଳିଛି। ଏହା ବ୍ୟତୀତ, ଦାନ୍ତେୱାଡ଼ା ଏବଂ ମାନୁଗୁରୁ ମଧ୍ୟରେ ୧୫୩ କିଲୋମିଟର ଲମ୍ବା ରେଳ ଲାଇନ୍ ମଧ୍ୟ ମଞ୍ଜୁର ହୋଇଛି। ୧୫୦ କିଲୋମିଟର ଲମ୍ବା କିରାଣ୍ଡୁଲ୍–ଜଗଦଲପୁର ଦୋହରୀକରଣ (doubling) ପ୍ରକଳ୍ପରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି, ଯେଉଁଥିରେ ଜଗଦଲପୁର–କାମାଲୁର୍ ଏବଂ ବାଚେଲି–କିରାଣ୍ଡୁଲ୍ ସେକ୍ସନ୍ (ମୋଟ ୧୩୦ କିଲୋମିଟର) ପୂର୍ବରୁ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେବା ନିକଟତର ହୋଇଛି।
ଆର୍ଥିକ ଅନ୍ତର୍ଭୁକ୍ତୀକରଣ
ବିଗତ ବାର ବର୍ଷ ମଧ୍ୟରେ କେନ୍ଦ୍ର ସରକାର ନକ୍ସଲ-ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଯଥେଷ୍ଟ ବିସ୍ତାର କରିଛନ୍ତି। ଏପ୍ରିଲ ୨୦୧୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ, ୧,୮୦୪ଟି ବ୍ୟାଙ୍କ ଶାଖା ଖୋଲାଯାଇଛି, ୧,୩୨୧ଟି ଏଟିଏମସ୍ଥାପନ କରାଯାଇଛି, ୭୪,୭୨୦ ଜଣ ବ୍ୟାଙ୍କିଙ୍ଗ୍ ପ୍ରତିନିଧି ନିଯୁକ୍ତ କରାଯାଇଛି ଏବଂ ୬,୦୨୫ଟି ଡାକଘର ପ୍ରତିଷ୍ଠା କରାଯାଇଛି।
ପ୍ରତିକ୍ରିୟାଶୀଳ ଏବଂ ଅନ୍ତର୍ଭୁକ୍ତୀକରଣ ଶାସନ
ସରକାର ହୃଦୟଙ୍ଗମ କରିଥିଲେ ଯେ ଆଦିବାସୀ ଅଞ୍ଚଳଗୁଡ଼ିକରେ କାର୍ଯ୍ୟାନ୍ୱୟନ ଆହ୍ୱାନ ପାଇଁ ମାନକ ପ୍ରକ୍ରିୟାଗୁଡ଼ିକୁ କଠୋର ଭାବେ ପାଳନ କରିବା ପରିବର୍ତ୍ତେ ନମନୀୟତା ଏବଂ ସ୍ଥାନୀୟ ଅନୁକୂଳନର ଆବଶ୍ୟକତା ରହିଛି। ଦୁର୍ଗମ ଆଦିବାସୀ ଅଞ୍ଚଳରେ ଆଧାର କଭରେଜ୍ ସୁନିଶ୍ଚିତ କରିବା ପାଇଁ ୟୁଆଇଡିଏଆଇ ଏବଂ ଡାକ ବିଭାଗ ସହିତ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା। ଛତିଶଗଡ଼ର ବସ୍ତର ଡିଭିଜନରେ, ଏହି ଅଞ୍ଚଳର ଅନନ୍ୟ ଭୌଗୋଳିକ ଏବଂ ଭୂ-ପ୍ରକୃତି ସ୍ଥିତିକୁ ବିଚାର କରି କରାଯାଇଥିବା ଭୌତିକ ସର୍ଭେ ପରେ ୨୯୪ଟି ଡାକଘର ଖୋଲାଯାଇଥିଲା। ଦୁର୍ବଳ ଇଣ୍ଟରନେଟ୍ ସଂଯୋଗୀକରଣ ଏବଂ ବ୍ୟାଙ୍କିଙ୍ଗ୍ ଭିତ୍ତିଭୂମି କାରଣରୁ, ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) ଯୋଜନାର ପୂର୍ବ ସଂସ୍କରଣ ଅଧୀନରେ କେତେକ ନକ୍ସଲ ଅଞ୍ଚଳରେ ନଗଦ ମଜୁରୀ ପ୍ରଦାନ ଏବଂ ଅଫଲାଇନ୍ ଉପସ୍ଥାନ ବ୍ୟବସ୍ଥାକୁ ଅନୁମତି ଦିଆଯାଇଥିଲା। ସ୍ୱଚ୍ଛ ଭାରତ ମିଶନ ଅଧୀନରେ, ଅପର୍ଯ୍ୟାପ୍ତ ବ୍ୟାଙ୍କିଙ୍ଗ୍ ସୁବିଧା ଥିବା ଅଞ୍ଚଳଗୁଡ଼ିକରେ ଗ୍ରାମ ପରିମଳ କମିଟି ମାଧ୍ୟମରେ ପାଇଖାନା ନିର୍ମାଣ ପାଣ୍ଠି ପଠାଯାଇଥିଲା। ଦୁର୍ଗମ ଗ୍ରାମଗୁଡ଼ିକରେ ଅଧିକାରୀମାନଙ୍କୁ ଆୟୁଷ୍ମାନ ଭାରତ କାର୍ଡ ଜାରି କରିବାରେ ସକ୍ଷମ କରାଇବା ପାଇଁ ଏକ ଅଫଲାଇନ୍ ଆପ୍ଲିକେସନ୍ ମଧ୍ୟ ପ୍ରଚଳନ କରାଯାଇଥିଲା।
ଏହି ଉଦାହରଣଗୁଡ଼ିକ କଲ୍ୟାଣମୂଳକ ଯୋଜନାଗୁଡ଼ିକର ଶେଷ-ମାଇଲ୍ ପ୍ରଦାନ ସୁନିଶ୍ଚିତ କରିବାରେ ଅନୁକୂଳନଶୀଳ ଶାସନର ଗୁରୁତ୍ୱକୁ ଦର୍ଶାଏ।
ସ୍ୱାସ୍ଥ୍ୟ ସୁବିଧା
ଦୁର୍ଗମତା ଏବଂ ବାମପନ୍ଥୀ ଉଗ୍ରବାଦ ହିଂସା କାରଣରୁ ଛତିଶଗଡ଼ର ବସ୍ତର ଅଞ୍ଚଳ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟସେବା ପାଇବାରେ ଆହ୍ୱାନର ସମ୍ମୁଖୀନ ହୋଇଆସୁଛି। ଏହି ସମସ୍ୟାର ସମାଧାନ ପାଇଁ, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିମ୍ଏସ୍ଏସ୍ୱାଇ) ଅଧୀନରେ ସରକାରୀ ମେଡିକାଲ୍ କଲେଜ, ଜଗଦଲପୁର ଠାରେ ସରକାର ୨୪୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ୍ ମଞ୍ଜୁର କରିଥିଲେ। ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ୧୮ ମଇ ୨୦୨୬ରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଥିଲା। ଏହା ବ୍ୟତୀତ, ସୁରକ୍ଷା କର୍ମୀମାନଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା ୧୧ଟି ସିଏପିଏଫ୍ ଫିଲ୍ଡ ହସ୍ପିଟାଲ୍ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ପାଇଁ ମଧ୍ୟ ଖୋଲାଯାଇଛି, ଯାହାଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାର ପରିସର ବୃଦ୍ଧି ପାଇଛି।
ଶିକ୍ଷା ଏବଂ ଦକ୍ଷତା ବିକାଶ
ବିଗତ ବାର ବର୍ଷ ମଧ୍ୟରେ, ଭାରତ ସରକାରଙ୍କ ଦ୍ୱାରା ୨୫୯ଟି ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ ମଞ୍ଜୁର କରାଯାଇଛି। ଏହା ସହିତ, ୧୭୯ଟି ସ୍କୁଲ୍ କାର୍ଯ୍ୟକ୍ଷମ କରାଯାଇଛି। ଅତିରିକ୍ତ ଭାବରେ, ଏହି ଅଞ୍ଚଳଗୁଡ଼ିକରେ ୪୭ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ ଏବଂ ୪୯ଟି ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ ବିକଶିତ କରାଯାଇଥିଲା। ସବୁ ମିଶାଇ ପ୍ରାୟ ₹୮୦୦ କୋଟି ଟଙ୍କାର ନିବେଶ ସହିତ। ଏଗୁଡ଼ିକ ଆଦିବାସୀ ଯୁବପିଢ଼ିଙ୍କ ପାଇଁ ଶିକ୍ଷା, ବୃତ୍ତିଗତ ତାଲିମ ଏବଂ ନିଯୁକ୍ତି ସୁଯୋଗକୁ ବିସ୍ତାର କରିଥିଲା, ଯାହା ଦୁର୍ଗମ ସମ୍ପ୍ରଦାୟଗୁଡ଼ିକୁ ମୁଖ୍ୟସ୍ରୋତ ଅର୍ଥନୀତି ସହିତ ସମନ୍ୱିତ କରିବାରେ ସାହାଯ୍ୟ କରିଥିଲା। ୯୦,୦୦୦ରୁ ଅଧିକ ଯୁବକ-ଯୁବତୀ ଏବଂ ମହିଳାଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯାଇଥିଲା।
ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ) ଅଧୀନରେ, ଜାତୀୟ ସଂହତି, ସାଂସ୍କୃତିକ ସଚେତନତା ଏବଂ ବିକାଶମୂଳକ ଅନୁଭୂତିକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତନ ନକ୍ସଲ-ପ୍ରଭାବିତ ଅଞ୍ଚଳର ଆଦିବାସୀ ଯୁବକ-ଯୁବତୀମାନଙ୍କୁ ଦେଶବ୍ୟାପୀ ଏକ୍ସପୋଜର ଭିଜିଟରେ ନିଆଯାଏ। ୨୦୧୪ ପରଠାରୁ, ମୋଟ ୩୭,୬୫୫ ଜଣ ଆଦିବାସୀ ଯୁବକ-ଯୁବତୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।
ନାଗରିକ କାର୍ଯ୍ୟକ୍ରମ
ନାଗରିକ କାର୍ଯ୍ୟକ୍ରମ ଅଧୀନରେ, ଭାରତ ସରକାର ସିଏପିଏଫ୍ଗୁଡ଼ିକୁ ସେମାନଙ୍କ କାର୍ଯ୍ୟକ୍ଷେତ୍ର ଅଞ୍ଚଳରେ କଲ୍ୟାଣ-ଭିତ୍ତିକ କାର୍ଯ୍ୟକଳାପ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରନ୍ତି। ଏଗୁଡ଼ିକ ମଧ୍ୟରେ ମେଡିକାଲ୍ କ୍ୟାମ୍ପ ଆୟୋଜନ କରିବା, କ୍ରୀଡ଼ା ପ୍ରତିଯୋଗିତା ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିବା ସାମିଲ। ୨୦୧୪ ପରଠାରୁ, ଏହି କାର୍ଯ୍ୟକ୍ରମ ଅଧୀନରେ ₹୨୨୧.୮୮ କୋଟି ଟଙ୍କା ଜାରି କରାଯାଇଛି, ଯାହା ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସକୁ ସୁଦୃଢ଼ କରିବା ଏବଂ ଦୂରତାକୁ କମ କରିବାରେ ସାହାଯ୍ୟ କରୁଛି।
ଏହି ଭିତ୍ତିଭୂମି-ଗ୍ରାମଗୁଡ଼ିକୁ ସଂଯୋଗ କରୁଥିବା ସଡ଼କ, ଯୋଗାଯୋଗକୁ ସକ୍ଷମ କରୁଥିବା ମୋବାଇଲ୍ ଟାୱାର, ଅର୍ଥନୈତିକ ଅଂଶଗ୍ରହଣକୁ ସହଜ କରୁଥିବା ବ୍ୟାଙ୍କ ଏବଂ ଆଦିବାସୀ ଯୁବପିଢ଼ିଙ୍କ ପାଇଁ ଦ୍ୱାର ଖୋଲୁଥିବା ବିଦ୍ୟାଳୟ-ସିଧାସଳଖ ଜମିସ୍ତରରେ କଲ୍ୟାଣରେ ପରିଣତ ହୋଇଛି। ଏହା ସେହି ଭୌତିକ ଏବଂ ପ୍ରାତିଷ୍ଠାନିକ ମଞ୍ଚ ସୃଷ୍ଟି କରିଛି ଯାହା ଉପରେ ପ୍ରକୃତ କଲ୍ୟାଣ, ସମ୍ମାନ ଏବଂ ସାଂସ୍କୃତିକ ପୁନର୍ଜାଗରଣ ଶେଷରେ ପ୍ରଦାନ କରାଯାଇପାରିଲା। ପ୍ରଭାବିତ ଅଞ୍ଚଳରେ ସାମଗ୍ରିକ ଭିତ୍ତିଭୂମି ବିକାଶ ନିରନ୍ତର ଭିତ୍ତିଭୂମି ବିକାଶ ମାଧ୍ୟମରେ ଆଞ୍ଚଳିକ ସମନ୍ୱୟକୁ ସୁଦୃଢ଼ କରେ। ଉନ୍ନତ ସଂଯୋଗୀକରଣ ଅର୍ଥନୈତିକ ସୁଯୋଗ ଏବଂ ଗତିଶୀଳତାକୁ ଆଗେଇ ନିଏ। ଦୀର୍ଘକାଳୀନ ନିବେଶ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ପଥକୁ ସୁନିଶ୍ଚିତ କରେ।
ଆପଣ ଜାଣନ୍ତି କି?
ବର୍ତ୍ତମାନ, ଭାରତର ୩୮ଟି ଜିଲ୍ଲାକୁ ‘ଲିଗାସୀ ଏବଂ ଥ୍ରଷ୍ଟ ଜିଲ୍ଲା‘ ଭାବରେ ବର୍ଗୀକୃତ କରାଯାଇଛି, ଯେଉଁଠାରେ ନିରନ୍ତର ସୁରକ୍ଷା ଏବଂ ବିକାଶମୂଳକ ସହାୟତା ପ୍ରଦାନ କରାଯାଉଛି।
ଲୋକଙ୍କ କଲ୍ୟାଣ ଏବଂ ସମ୍ମାନ
ରଣନୀତିର ଏହି ଅନ୍ତିମ କାର୍ଯ୍ୟଧାରା ସମ୍ମାନ ଏବଂ ଅନ୍ତର୍ଭୁକ୍ତୀକରଣ ସହିତ କଲ୍ୟାଣ ପ୍ରଦାନ ଉପରେ ଗୁରୁତ୍ୱ ଦିଏ। ଏହା ଅବହେଳିତ ସମ୍ପ୍ରଦାୟ ପାଇଁ ଶେଷ-ମାଇଲ୍ ସେବା ପ୍ରଦାନକୁ ସୁଦୃଢ଼ କରେ। ଏହି ଆଭିମୁଖ୍ୟ ଅତ୍ୟାବଶ୍ୟକ ସାର୍ବଜନୀନ ସେବାଗୁଡ଼ିକରେ ସମାନ ପ୍ରବେଶକୁ ସୁନିଶ୍ଚିତ କରେ।
ଆଦିବାସୀ ଜୀବିକାକୁ ସୁଦୃଢ଼ କରିବା
ଆଦିବାସୀ କଲ୍ୟାଣ ଉପରେ ନିରନ୍ତର ଧ୍ୟାନ ବିକାଶକୁ ବିସ୍ତାର କରି, ସୁଯୋଗରେ ପ୍ରବେଶକୁ ଉନ୍ନତ କରି ଏବଂ ଆଦିବାସୀ ସମ୍ପ୍ରଦାୟ ଓ ଗଣତାନ୍ତ୍ରିକ ଅନୁଷ୍ଠାନ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରି ବାମପନ୍ଥୀ ଉଗ୍ରବାଦର ପ୍ରଭାବ ହ୍ରାସ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସୁରକ୍ଷା ପଦକ୍ଷେପ ସହିତ, ଉନ୍ନତ ଶିକ୍ଷା, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଆବାସ ଏବଂ ଜୀବିକା ସହାୟତା ମାଧ୍ୟମରେ ବିକାଶ ଦୁର୍ଗମ ଆଦିବାସୀ ଅଞ୍ଚଳରେ ପହଞ୍ଚିବା ସରକାର ସୁନିଶ୍ଚିତ କରିଛନ୍ତି। ଆତ୍ମସମର୍ପଣ କରିଥିବା କ୍ୟାଡରଙ୍କ ପାଇଁ ଥଇଥାନ ଢାଞ୍ଚା ଦକ୍ଷତା ବିକାଶ, ଜୀବିକା ସହାୟତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆବାସ ସହାୟତା ଏବଂ ସ୍ୱ-ନିଯୁକ୍ତି ପାଇଁ ଆର୍ଥିକ ସହାୟତା ମାଧ୍ୟମରେ ମୁଖ୍ୟସ୍ରୋତ ସମାଜରେ ସେମାନଙ୍କ ସମନ୍ୱୟକୁ ପ୍ରୋତ୍ସାହିତ କରିଛି। ଯେଉଁ ଗ୍ରାମଗୁଡ଼ିକ ନକ୍ସଲ ପ୍ରଭାବକୁ ଦୂର କରିଥିଲେ ଏବଂ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପଞ୍ଚାୟତ ଗଠନ କରିଥିଲେ, ସେମାନଙ୍କୁ ବିକାଶ ଅନୁଦାନ ପ୍ରଦାନ କରାଯାଇଥିଲା। ଆତ୍ମସମର୍ପଣ କରିଥିବା କ୍ୟାଡରଙ୍କ ପିଲାମାନେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇଥିଲେ, ଯାହା ପରିବାରଗୁଡ଼ିକୁ ଏକ ଅଧିକ ସୁରକ୍ଷିତ ଭବିଷ୍ୟତ ଗଠନ କରିବାରେ ସାହାଯ୍ୟ କରିଥିଲା।
ଅନେକ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଏହି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିଥିଲା।ଜାତୀୟ ନୀତି ଏବଂ କାର୍ଯ୍ୟ ଯୋଜନା ସୁରକ୍ଷା, ବିକାଶ, ସମ୍ପ୍ରଦାୟର ଅଧିକାରର ସୁରକ୍ଷା ଏବଂ ଜନଧାରଣା ପରିଚାଳନା କୁ ଏକତ୍ରିତ କରିଥିଲା। ବନ ଅଧିକାର ଆଇନ ଅଧୀନରେ ମୋଟ ୨୧,୨୬,୨୭୩ଟି ଟାଇଟଲ୍ ଡିଡ୍ ବଣ୍ଟନ କରାଯାଇଥିଲା। ସ୍ୱତନ୍ତ୍ର କେନ୍ଦ୍ରୀୟ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ଭିତ୍ତିଭୂମି ନିର୍ମାଣ କରିଥିଲା। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ, ଶିକ୍ଷା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସଂଯୋଗୀକରଣ କ୍ଷେତ୍ରରେ ଫଳାଫଳକୁ ଉନ୍ନତ କରିବା ପାଇଁ ଏକାଧିକ କଲ୍ୟାଣମୂଳକ ଯୋଜନାକୁ ଏକତ୍ରିତ କରିଥିଲା।
ଶିକ୍ଷା ପରିବର୍ତ୍ତନର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଥିଲା। ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ ପାଇଁ ବର୍ଦ୍ଧିତ ସହାୟତା ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ପିଲାମାନଙ୍କ ସମେତ ଅନୁସୂଚିତ ଜନଜାତିର ପିଲାମାନଙ୍କ ପାଇଁ ଗୁଣାତ୍ମକ ଆବାସିକ ଶିକ୍ଷାରେ ପ୍ରବେଶକୁ ବିସ୍ତାର କରିଥିଲା। ପିଏମ୍ ଜନମନ ପଦକ୍ଷେପ ଆବାସ, ନିରାପଦ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଅତ୍ୟାବଶ୍ୟକ ସଂଯୋଗୀକରଣରେ ପ୍ରବେଶକୁ ଉନ୍ନତ କରି ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ଉପରେ ଅଧିକ ଧ୍ୟାନ ଦେଇଥିଲା, ଯାହା ଅବହେଳିତ ସମ୍ପ୍ରଦାୟଗୁଡ଼ିକୁ ବିକାଶର ମୁଖ୍ୟସ୍ରୋତକୁ ଆଣିବାରେ ସାହାଯ୍ୟ କରିଥିଲା।
ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ ଆଦିବାସୀ ଗ୍ରାମଗୁଡ଼ିକରେ ଭିତ୍ତିଭୂମିର ଅଭାବକୁ ଦୂର କରିବା ପାଇଁ ପ୍ରୟାସକୁ ଆହୁରି ସୁଦୃଢ଼ କରିଥିଲା।
ଏକାଧିକ ମନ୍ତ୍ରଣାଳୟ ଦ୍ୱାରା ସମନ୍ୱିତ ହସ୍ତକ୍ଷେପ ମାଧ୍ୟମରେ, ଏହି କାର୍ଯ୍ୟକ୍ରମ ଜୀବନ ମାନରେ ଉନ୍ନତି ଆଣିବା, ଅର୍ଥନୈତିକ ସୁଯୋଗକୁ ବିସ୍ତାର କରିବା ଏବଂ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ଭାରତର ବିକାଶ ଯାତ୍ରାରେ ସମ୍ପୂର୍ଣ୍ଣ ଭାବରେ ଅଂଶଗ୍ରହଣ କରିବା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି।
ଘଟଣା ଅଧ୍ୟୟନ: ନକ୍ସଲବାଦରୁ ବିକାଶ ଆଡ଼କୁ ଛତିଶଗଡ଼ର ଯାତ୍ରା
ଦଶନ୍ଧି ଧରି, ଛତିଶଗଡ଼ର ବସ୍ତର ଦେଶର ସବୁଠାରୁ ଅଧିକ ନକ୍ସଲ-ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ ହୋଇ ରହିଥିଲା। ସୀମିତ ସଂଯୋଗୀକରଣ, ଦୁର୍ବଳ ପ୍ରଶାସନିକ ଉପସ୍ଥିତି ଏବଂ କଷ୍ଟକର ଭୂ-ପ୍ରକୃତି ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକୁ ଏକ ଦୃଢ଼ ସ୍ଥିତି ସ୍ଥାପନ କରିବାରେ ସକ୍ଷମ କରାଇଥିଲା।
ବିଗତ ୧୨ ବର୍ଷ ମଧ୍ୟରେ, ସୁରକ୍ଷା, ବିକାଶ ଏବଂ ଆଦିବାସୀ ଅଂଶଗ୍ରହଣକୁ ମିଶାଇ ଏକ ସମନ୍ୱିତ ରଣନୀତି ଏହି ଅଞ୍ଚଳର ଗତିପଥକୁ ପରିବର୍ତ୍ତନ କରିଥିଲା। ୨୦୧୭ ମସିହାରେ ବସ୍ତରିଆ ବାଟାଲିୟନ୍ ଗଠନ ସହିତ ଏକ ପ୍ରମୁଖ ମୋଡ଼ ଆସିଥିଲା। ଏହି ବାଟାଲିୟନ୍ ୧,୧୪୩ ଜଣ କର୍ମୀଙ୍କୁ ନିଯୁକ୍ତି ଦେଇଥିଲା, ଯେଉଁଥିରେ ବିଜାପୁର, ସୁକୁମା ଏବଂ ଦାନ୍ତେୱାଡ଼ାର ପ୍ରାୟ ୪୦୦ ସ୍ଥାନୀୟ ଯୁବକ-ଯୁବତୀ ସାମିଲ ଥିଲେ। ସ୍ଥାନୀୟ ଅଂଶଗ୍ରହଣ ଗୁଇନ୍ଦା ନେଟୱର୍କକୁ ସୁଦୃଢ଼ କରିଥିଲା, ସୁରକ୍ଷା ବାହିନୀ ଏବଂ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସ ବଢ଼ାଇଥିଲା ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକ ପ୍ରତି ଆସ୍ଥା ପୁନଃସ୍ଥାପନ କରିବାରେ ସାହାଯ୍ୟ କରିଥିଲା। ସୁରକ୍ଷା ସ୍ଥିତିରେ ଉନ୍ନତି ଆସିବା ସହିତ, ବିକାଶ ଗତିଶୀଳ ହୋଇଥିଲା।
ବସ୍ତର, ବିଜାପୁର, ଦାନ୍ତେୱାଡ଼ା, ସୁକୁମା, ନାରାୟଣପୁର, କାଙ୍କେର ଏବଂ କୋଣ୍ଡାଗାଓଁ ଜିଲ୍ଲାକୁ ସାମିଲ କରି ସମଗ୍ର ବସ୍ତର ଅଞ୍ଚଳରେ ୩,୨୪୦ କିଲୋମିଟରରୁ ଅଧିକ ସଡ଼କ ନିର୍ମାଣ କରାଯାଇଥିଲା। ଡିଜିଟାଲ୍ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ୮୮୯ଟି ମୋବାଇଲ୍ ଟାୱାର ମଧ୍ୟ ସ୍ଥାପନ କରାଯାଇଥିଲା। ଯେଉଁ ଗ୍ରାମଗୁଡ଼ିକ ଦିନେ ବିଚ୍ଛିନ୍ନ ଥିଲା, ସେଗୁଡ଼ିକ ବଜାର, ବିଦ୍ୟାଳୟ, ସ୍ୱାସ୍ଥ୍ୟସେବା ସୁବିଧା, ବ୍ୟାଙ୍କିଙ୍ଗ୍ ସେବା ଏବଂ ସରକାରୀ କାର୍ଯ୍ୟକ୍ରମ ସହିତ ସଂଯୁକ୍ତ ହୋଇଥିଲା। ସରକାର ଥଇଥାନ ଏବଂ ପୁନଃସମନ୍ୱୟ ଉପରେ ମଧ୍ୟ ଧ୍ୟାନ ଦେଇଥିଲେ। ଦକ୍ଷତା ବିକାଶ, ଶିକ୍ଷା ଏବଂ ଜୀବିକା ସୁଯୋଗ ପାଇଁ ପ୍ରାରମ୍ଭିକ ₹୨୦ କୋଟି ଟଙ୍କାର ଆବଣ୍ଟନ ସହାୟତାରେ ପ୍ରାୟ ୩,୦୦୦ ଆତ୍ମସମର୍ପଣ କରିଥିବା କ୍ୟାଡରଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ପଦକ୍ଷେପ ହିଂସାର ଚକ୍ରକୁ ଅର୍ଥନୈତିକ ସଶକ୍ତୀକରଣର ପଥ ସହିତ ବଦଳାଇବାକୁ ଲକ୍ଷ୍ୟ ରଖିଥିଲା।
ମେ ୨୦୨୬ରେ, ସୁରକ୍ଷା ସଫଳତାକୁ ସ୍ଥାୟୀ ବିକାଶରେ ପରିଣତ କରିବା ପାଇଁ ଛତିଶଗଡ଼ରେ ‘ଶହୀଦ ବୀର ଗୁଣ୍ଡା ଧୁର ସେବା ଡେରା’ ପଦକ୍ଷେପ ଆରମ୍ଭ କରାଯାଇଥିଲା। ପ୍ରାୟ ୧/୩ (ଏକ-ତୃତୀୟାଂଶ) ସିଏପିଏଫ୍ ଶିବିରଗୁଡ଼ିକୁ ସମନ୍ୱିତ ବିକାଶ କେନ୍ଦ୍ର) ରେ ପରିଣତ କରାଯାଉଛି ଯାହା ସରକାରୀ ଯୋଜନା, ସ୍ୱାସ୍ଥ୍ୟସେବା, ବ୍ୟାଙ୍କିଙ୍ଗ୍, କୃଷି ସହାୟତା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ନାଗରିକ ସେବାରେ ପ୍ରବେଶ ପ୍ରଦାନ କରୁଛି। ବୀର ଗୁଣ୍ଡାଧୁରଙ୍କ ଜନ୍ମସ୍ଥାନ ନେତନାର ଠାରେ ଏଭଳି ଏକ କେନ୍ଦ୍ରର ପ୍ରତିଷ୍ଠା ଦିନେ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଶାସନ ଫେରିବାର ପ୍ରତୀକ ଅଟେ। ଭିତ୍ତିଭୂମି ଏବଂ କଲ୍ୟାଣ ସହିତ, ବସ୍ତର ପାଣ୍ଡୁମ୍ ଏବଂ ବସ୍ତର ଅଲିମ୍ପିକ୍ସ ଭଳି ସାଂସ୍କୃତିକ ପଦକ୍ଷେପଗୁଡ଼ିକ ସମ୍ପ୍ରଦାୟର ଅଂଶଗ୍ରହଣ ଏବଂ ଆଦିବାସୀ ପରିଚୟକୁ ସୁଦୃଢ଼ କରିଥିଲା। ଏହି ମଞ୍ଚଗୁଡ଼ିକ ଲକ୍ଷ ଲକ୍ଷ ଆଦିବାସୀ ଯୁବକ-ଯୁବତୀ ଏବଂ କଳାକାରମାନଙ୍କୁ ଏକତ୍ରିତ କରିଥିଲା, ସାମାଜିକ ସମନ୍ୱୟକୁ ପ୍ରୋତ୍ସାହିତ କରିଥିଲା ଏବଂ ସମ୍ପୃକ୍ତି ଓ ନେତୃତ୍ୱ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଥିଲା। ବସ୍ତରର ପରିବର୍ତ୍ତନ ଏହା ଦର୍ଶାଏ ଯେ ସୁରକ୍ଷା ପଦକ୍ଷେପ ପରେ ବିକାଶ, କଲ୍ୟାଣ ପ୍ରଦାନ ଏବଂ ସମ୍ପ୍ରଦାୟ ସଶକ୍ତୀକରଣ ଆସିଲେ ସ୍ଥାୟୀ ଶାନ୍ତି ହାସଲ ହୁଏ। ଛତିଶଗଡ଼ର ଅଭିଜ୍ଞତା ଦେଖାଏ ଯେ ନିରନ୍ତର ସରକାରୀ ଉପସ୍ଥିତି, ସ୍ଥାନୀୟ ଅଂଶଗ୍ରହଣ ଏବଂ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି କିପରି ଏକ ସଂଘର୍ଷ-ପ୍ରଭାବିତ ଅଞ୍ଚଳକୁ ବିକାଶ ଏବଂ ସମୃଦ୍ଧିର ପଥରେ ପରିଣତ କରିପାରେ।
ଏକ ଦଶନ୍ଧିର ରୂପାନ୍ତରଣ ଫଳାଫଳ
ବାମପନ୍ଥୀ ଉଗ୍ରବାଦ-ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୦୧୪ରେ ୧୨୬ ଥିବାବେଳେ ମାର୍ଚ୍ଚ-ଏପ୍ରିଲ ୨୦୨୬ ସୁଦ୍ଧା ଶୂନ୍ୟକୁ ହ୍ରାସ ପାଇଛି। ଏହା ବ୍ୟତୀତ, ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ମଧ୍ୟ ୩୫ରୁ ଶୂନ୍ୟକୁ ହ୍ରାସ ପାଇଛି, ଯାହା ସୁରକ୍ଷା ପରିଦୃଶ୍ୟରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ଆଣିଛି। ହିଂସାର ସମସ୍ତ ପ୍ରମୁଖ ସୂଚକାଙ୍କରେ ଏହି ପ୍ରଭାବ ଦୃଶ୍ୟମାନ ହୋଇଛି। ୨୦୧୦ ମସିହା ନକ୍ସଲବାଦ ଇତିହାସରେ ସବୁଠାରୁ ମାରାତ୍ମକ ପର୍ଯ୍ୟାୟ ମଧ୍ୟରୁ ଅନ୍ୟତମ ଥିଲା, ଯେଉଁଥିରେ ୧,୯୩୬ଟି ନକ୍ସଲ-ସମ୍ବନ୍ଧୀୟ ଘଟଣା ଏବଂ ୧,୦୦୫ଟି ମୃତ୍ୟୁ ରିପୋର୍ଟ କରାଯାଇଥିଲା। ସେବେଠାରୁ, ନିରନ୍ତର ସୁରକ୍ଷା ଅଭିଯାନ, ବିକାଶମୂଳକ ହସ୍ତକ୍ଷେପ ଏବଂ ଉନ୍ନତ ଶାସନ ବାମପନ୍ଥୀ ଉଗ୍ରବାଦ (LWE) ନେଟୱର୍କକୁ ଯଥେଷ୍ଟ ଦୁର୍ବଳ କରିଦେଇଛି। ନକ୍ସଲ-ସମ୍ବନ୍ଧୀୟ ଘଟଣା ୨୦୧୪ରେ ୮୭୦ ଥିବାବେଳେ ୨୦୨୬ରେ (୨୯ ଜୁଲାଇ ୨୦୨୬ ସୁଦ୍ଧା) ମାତ୍ର ୩୩କୁ ହ୍ରାସ ପାଇଛି। ଏହି ସମାନ ଅବଧି ମଧ୍ୟରେ, ମୃତ୍ୟୁ ସଂଖ୍ୟା ୩୧୦ରୁ ୧୨କୁ ହ୍ରାସ ପାଇଛି। ହିଂସାରେ ନିରନ୍ତର ହ୍ରାସ ନକ୍ସଲ ଗୋଷ୍ଠୀଗୁଡ଼ିକର କାର୍ଯ୍ୟକ୍ଷମ କ୍ଷମତା ଦୁର୍ବଳ ହେବା ଏବଂ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସୁରକ୍ଷା, ସଂଯୋଗୀକରଣ ଓ ଜନବିଶ୍ୱାସର କ୍ରମଶଃ ପୁନଃସ୍ଥାପନକୁ ସୂଚାଏ। ଏହି ଧାରା ସୁରକ୍ଷା ପରିବେଶରେ ଏକ ଉଲ୍ଲେଖନୀୟ ଉନ୍ନତିକୁ ପ୍ରତିଫଳିତ କରେ। ଯେଉଁ ଅଞ୍ଚଳଗୁଡ଼ିକ ଦିନେ ବାରମ୍ବାର ହିଂସା ଦ୍ୱାରା ପ୍ରଭାବିତ ଥିଲା, ସେଠାରେ ଶାନ୍ତି ଏବଂ ସାର୍ବଜନୀନ ନିରାପତ୍ତାରେ ଏକ ସ୍ପଷ୍ଟ ଉନ୍ନତି ଦେଖାଦେଇଛି।
ସଫଳତାକୁ ସୁଦୃଢ଼ କରିବା: ଜୁନ୍ ୨୦୨୬ ପରଠାରୁ ପ୍ରମୁଖ ପଦକ୍ଷେପ
ଦେଶ ନକ୍ସଲ ସମସ୍ୟାରୁ ମୁକ୍ତ ହେବା ପରେ, ସରକାର ସୁରକ୍ଷା ସଫଳତାକୁ ସୁଦୃଢ଼ କରିବା ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିଥିଲେ। ପୂର୍ବତନ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶାନ୍ତି ଏବଂ ପ୍ରଗତି ବଜାୟ ରଖିବା ପାଇଁ ଜୁନ୍ ୨୦୨୬ ପରେ ଅନେକ ପ୍ରମୁଖ ପଦକ୍ଷେପ ନିଆଯାଇଥିଲା।
ସୁରକ୍ଷା ଶିବିରଗୁଡ଼ିକୁ ସମନ୍ୱିତ ବିକାଶ କେନ୍ଦ୍ର (ସେବା ଡେରା କେନ୍ଦ୍ର) ରେ ପରିଣତ କରିବା: ନକ୍ସଲ-ମୁକ୍ତ ଅଞ୍ଚଳଗୁଡ଼ିକରେ ଥିବା ସୁରକ୍ଷା ଶିବିରଗୁଡ଼ିକ ମଧ୍ୟରୁ ଏକ-ତୃତୀୟାଂଶକୁ ନାଗରିକ ସେବା ପାଇଁ ସେବା ଡେରା କେନ୍ଦ୍ରରେ ପରିଣତ କରାଯାଉଛି। ଏହା ପୂର୍ବତନ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ସୁଦୃଢ଼ୀକରଣରୁ ଜନ-କୈନ୍ଦ୍ରିକ ଶାସନ ଆଡ଼କୁ ଏକ ସ୍ପଷ୍ଟ ପରିବର୍ତ୍ତନକୁ ଚିହ୍ନିତ କରେ। ଏହି କେନ୍ଦ୍ରଗୁଡ଼ିକରେ ନିମ୍ନଲିଖିତ ସୁବିଧାଗୁଡ଼ିକ ପ୍ରଦାନ କରାଯିବ:
- ଜନ ସୁବିଧା କେନ୍ଦ୍ର: ଗୋଟିଏ ଛାତ ତଳେ ସ୍ଥାନୀୟ ବାସିନ୍ଦାଙ୍କୁ ସମସ୍ତ ସରକାରୀ ଯୋଜନା ଏବଂ ଅନଲାଇନ୍ ଡିଜିଟାଲ୍ ସେବା ସମ୍ପର୍କରେ ସୂଚନା ଏବଂ ସେଥିରେ ପ୍ରବେଶ ପ୍ରଦାନ କରିବା।
- ଗୋଷ୍ଠୀ ବିକାଶ: ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ, ନିଯୁକ୍ତି-ଭିତ୍ତିକ ତାଲିମ, ପୁଷ୍ଟି ଏବଂ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଜୀବନର ମାନରେ ଉନ୍ନତି ଆଣିବା।
- ସାମାଜିକ ବିକାଶ: ଯୁବପିଢ଼ିଙ୍କୁ କ୍ରୀଡ଼ା ସୁବିଧା ଏବଂ ସୁଯୋଗ ପ୍ରଦାନ କରିବା ସହିତ ଆଦିବାସୀ ସଂସ୍କୃତି, ଲୋକକଳା ଏବଂ ପାରମ୍ପରିକ ପର୍ବପର୍ବାଣୀକୁ ପ୍ରୋତ୍ସାହିତ କରିବା।
- ଅର୍ଥନୈତିକ ବିକାଶ :କୃଷି ଉତ୍ପାଦ ଏବଂ ମହୁଲ, ତେନ୍ତୁଳି ଓ କେନ୍ଦୁ ପତ୍ର ଭଳି ଗୌଣ ବନଜାତ ଦ୍ରବ୍ୟ ର ପ୍ରକ୍ରିୟାକରଣ, ବ୍ରାଣ୍ଡିଂ ଏବଂ ବିକ୍ରୟ ମାଧ୍ୟମରେ ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକ ପାଇଁ ଆୟ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା।
ଏକ ପାଇଲଟ୍ ପ୍ରକଳ୍ପ ଭାବେ, ଛତିଶଗଡ଼ର ବସ୍ତର ଅଞ୍ଚଳରେ ଥିବା ପାଞ୍ଚଟି ସୁରକ୍ଷା ଶିବିରକୁ ଶହୀଦ ବୀର ଗୁଣ୍ଡାଧୁର ସେବା ଡେରା କେନ୍ଦ୍ରରେ ପରିଣତ କରିବା ପାଇଁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ (ଏନଆଇଡି), ଅହମ୍ମଦାବାଦ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏନଆଇଡି ସମ୍ଭାବ୍ୟତା ଅଧ୍ୟୟନ ସମ୍ପୂର୍ଣ୍ଣ କରିଛି, ଏବଂ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗୃହ ମନ୍ତ୍ରଣାଳୟ ର ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସ୍ସିଏ) ଯୋଜନା ଏହି ବ୍ୟୟ ଭରଣ କରିବ।
କଲ୍ୟାଣ ସାଚୁରେସନ (ପୂର୍ଣ୍ଣତା)ର ସର୍ଭେ: ଅଗଷ୍ଟ ୨୦୨୬ରେ ସଂସଦରେ ରିପୋର୍ଟ କରାଯାଇଥିବା ଅନୁଯାୟୀ, ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନା, ବିକାଶମୂଳକ ପଦକ୍ଷେପର ପରିପୂର୍ଣ୍ଣତା ଏବଂ ଜୀବିକା ସୃଷ୍ଟିର ସମ୍ଭାବନାକୁ ଆକଳନ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଦକ୍ଷିଣ ଛତିଶଗଡ଼ର ସାତୋଟି ପୂର୍ବତନ ନକ୍ସଲ-ପ୍ରଭାବିତ ଜିଲ୍ଲାରେ ଏକ ସ୍ୱାଧୀନ ସଂସ୍ଥା ମାଧ୍ୟମରେ ସର୍ଭେ କରିଥିଲା। ଏହି ସର୍ଭେ ଶିକ୍ଷା ସ୍ତର, ସ୍ୱାସ୍ଥ୍ୟ ସୂଚକାଙ୍କ ଏବଂ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଓ ଦ୍ୱିତୀୟ-ସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଭଳି ମୌଳିକ ସେବାଗୁଡ଼ିକର ଉପଲବ୍ଧତା ଆଦିର ବିବରଣୀ ସଂଗ୍ରହ କରିଛି। ସର୍ଭେର ତଥ୍ୟ ବିକାଶମୂଳକ ଅଭାବକୁ ଦୂର କରିବା ଏବଂ ଜୀବିକା ସୁନିଶ୍ଚିତ କରିବାର ଲକ୍ଷ୍ୟ ପୂରଣ କରିବାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରୁଛି।
ନକ୍ସଲ ହିଂସାର ପୀଡ଼ିତମାନଙ୍କୁ ସହାୟତା: ୧୫ ଅକ୍ଟୋବର ୨୦୨୬ରେ, ଗୃହମନ୍ତ୍ରୀ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସହାୟକ ଉପକରଣ ବଣ୍ଟନ ପାଇଁ ଏକ ସମାରୋହକୁ ସମ୍ବୋଧିତ କରିଥିଲେ। ଚାଲିଥିବା ସେବା ସଂକଳ୍ପ ଅଭିଯାନ ଅଧୀନରେ ଏହି ପଦକ୍ଷେପର ହିତାଧିକାରୀମାନଙ୍କ ମଧ୍ୟରେ ନକ୍ସଲ ହିଂସାର ପୀଡ଼ିତମାନେ ସାମିଲ ଥିଲେ।
ନକ୍ସଲ–ମୁକ୍ତ ଭାରତରେ ପ୍ରଥମ ଦୀପାବଳି: ୮ ନଭେମ୍ବର ୨୦୨୬ରେ, ପ୍ରଧାନମନ୍ତ୍ରୀ ବସ୍ତରର କରଣପୁର ସ୍ଥିତ କୋବ୍ରା ଅପରେସନ୍ସ ବେସ୍ ଠାରେ ସୁରକ୍ଷା ବାହିନୀ ସହିତ ଦୀପାବଳି ପାଳନ କରିଥିଲେ। ଏହାକୁ ସେ ପ୍ରଥମ ଦୀପାବଳି ଭାବେ ବର୍ଣ୍ଣନା କରିଥିଲେ ଯେତେବେଳେ ଦେଶର ପ୍ରତ୍ୟେକ ଜିଲ୍ଲା ନକ୍ସଲବାଦରୁ ମୁକ୍ତ ଅଛି। ସେ ଉଲ୍ଲେଖ କରିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ଡ୍ୟୁଟିରେ ଥିବାବେଳେ କୌଣସି CRPF ଯବାନ ନିଜ ଜୀବନ ହରାଇନାହାନ୍ତି, ଯାହା ୪୭ ବର୍ଷ ମଧ୍ୟରେ ଏଭଳି ପ୍ରଥମ ସଫଳତାକୁ ଚିହ୍ନିତ କରେ।
ଭାରତର ସୁରକ୍ଷା ଏବଂ ବିକାଶ କାହାଣୀରେ ଏକ ନିର୍ଣ୍ଣାୟକ ଅଧ୍ୟାୟ
ନକ୍ସଲ-ମୁକ୍ତ ଭାରତ ହାସଲ କରିବାରେ ଭାରତର ସଫଳତା ଦେଶର ସ୍ୱାଧୀନ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ସୁରକ୍ଷା ସଫଳତା ମଧ୍ୟରେ ଅନ୍ୟତମ। ଏହା ନିର୍ଣ୍ଣାୟକ ନେତୃତ୍ୱ, ନିରନ୍ତର ନୀତି କାର୍ଯ୍ୟାନ୍ୱୟନ ଏବଂ ସୁରକ୍ଷା, ବିକାଶ ଓ ଥଇଥାନକୁ ମିଶାଇ ଏକ ବହୁ-ଆୟାମୀ ରଣନୀତିର ପ୍ରଭାବକୁ ପ୍ରତିଫଳିତ କରେ।
ବିଗତ ଦଶନ୍ଧି ମଧ୍ୟରେ, ଭାରତ ବାମପନ୍ଥୀ ଉଗ୍ରବାଦ ପ୍ରତି ନିଜର ଆଭିମୁଖ୍ୟକୁ ପ୍ରତିକ୍ରିୟାଶୀଳ ନିୟନ୍ତ୍ରଣରୁ ସକ୍ରିୟ ନିରାକରଣ ରେ ପରିବର୍ତ୍ତନ କରିଛି। ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଏହି ସଫଳତାଗୁଡ଼ିକୁ ସୁଦୃଢ଼ କରିବା, କୌଣସି ପୁନରାବୃତ୍ତିକୁ ରୋକିବା, ପ୍ରଭାବିତ ସମ୍ପ୍ରଦାୟଗୁଡ଼ିକର ଥଇଥାନକୁ ସମ୍ପୂର୍ଣ୍ଣ କରିବା ଏବଂ ସୁରକ୍ଷାରେ ହୋଇଥିବା ସଫଳତାଗୁଡ଼ିକୁ ନିରନ୍ତର ବିକାଶ, ପ୍ରଭାବଶାଳୀ ଶାସନ ଓ ଅଧିକାର ଏବଂ ସାର୍ବଜନୀନ ସେବାଗୁଡ଼ିକର ସମ୍ପୂର୍ଣ୍ଣ ପ୍ରଦାନ ସହିତ ସମନ୍ୱିତ କରିବା ସୁନିଶ୍ଚିତ କରିବା।
ନକ୍ସଲ-ମୁକ୍ତ ଭାରତର ସଫଳତା କେବଳ ଏକ ବିଦ୍ରୋହର ପରିସମାପ୍ତି ନୁହେଁ। ଏହା ଭାରତର ସବୁଠାରୁ ସମ୍ବେଦନଶୀଳ ସମ୍ପ୍ରଦାୟଗୁଡ଼ିକ ମଧ୍ୟରୁ କେତେକଙ୍କ ପାଇଁ ଶାନ୍ତି, ଅନ୍ତର୍ଭୁକ୍ତୀକରଣ ଏବଂ ପ୍ରଗତିର ଏକ ନୂତନ ଅଧ୍ୟାୟର ଆରମ୍ଭ।


