Categories
ବିଶେଷ ଖବର

ବାମପନ୍ଥୀ ଉଗ୍ରବାଦ ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀଙ୍କ ସହ ବାମପନ୍ଥୀ ଉଗ୍ରବାଦ ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, କେନ୍ଦ୍ର ଗୃହ ସଚିବ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ମହାନିର୍ଦ୍ଦେଶକ, କେନ୍ଦ୍ର ସରକାରଙ୍କ ସଚିବ, ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ କିଛି ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ବର୍ତ୍ତମାନ ଏହି ଲଢ଼େଇ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପବଦ୍ଧତା ଏବଂ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ସମସ୍ତ ରାଜ୍ୟର ସହଯୋଗରେ ୨୦୨୨ ଓ ୨୦୨୩ରେ ଏହି ସମସ୍ୟା ବିରୋଧରେ ବଡ଼ ସଫଳତା ହାସଲ କରାଯାଇଛି ବୋଲି ସେ କହିଛନ୍ତି। ଆଗାମୀ ଦୁଇ ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରାଯିବ ବୋଲି ଅମିତ ଶାହ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ ୨୦୧୯ ପରଠାରୁ ଶୂନ୍ୟସ୍ଥାନ ହ୍ରାସ ପାଉଛି, ଆମେ କେନ୍ଦ୍ର ସଶସ୍ତ୍ର ସୁରକ୍ଷା ବାହିନୀ (ସିଏପିଏଫ)ର ୧୯୫ ଟି ନୂତନ ଶିବିର ସ୍ଥାପନ କରିଛୁ ଏବଂ ୪୪ ଟି ନୂତନ ଶିବିର ସ୍ଥାପନ କରାଯିବ । ବାମପନ୍ଥୀ ଉଗ୍ରବାଦ ବିରୋଧରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍) ମୁତୟନ, ଯଥାର୍ଥ ବିକାଶ ଏବଂ ଶୂନ୍ୟ ଅଞ୍ଚଳରେ ଶିବିର ପ୍ରତିଷ୍ଠା ମୋଦୀ ସରକାରଙ୍କ ପ୍ରାଥମିକତା ବୋଲି ଶ୍ରୀ ଶାହ କହିଛନ୍ତି।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ ଅଞ୍ଚଳରେ ଯେପରି ଏହି ସମସ୍ୟାର ପୁଣି ଥରେ ଦେଖା ନଦିଏ ସେଥିପାଇଁ ନିରନ୍ତର ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଯେଉଁ ଅଞ୍ଚଳରୁ ଏହି ସମସ୍ୟା ଦୂର ହୋଇଛି ସେହି ଅଞ୍ଚଳରୁ ବାମପନ୍ଥୀ ଉଗ୍ରବାଦୀମାନେ ଯେପରି ଅନ୍ୟ ରାଜ୍ୟରେ ଆଶ୍ରୟ ନ ନେବେ, ତାହା ଉପରେ ନଜର ରଖିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ ମୋଦୀ ସରକାର ୨୦୧୪ ରୁ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ଆମର ଶୂନ୍ୟ ସହନଶୀଳତା ନୀତି ଯୋଗୁଁ ଗତ ୪ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ହିଂସା ଓ ମୃତ୍ୟୁ ୨୦୨୨ରେ ରେକର୍ଡ କରାଯାଇଛି। ୨୦୦୫ରୁ ୨୦୧୪ ତୁଳନାରେ ୨୦୧୪ରୁ ୨୦୨୩ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ସମ୍ବନ୍ଧୀୟ ହିଂସାରେ ୫୨ ପ୍ରତିଶତ ହ୍ରାସ ପରଲକ୍ଷିତ ହୋଇଛି । ସେହିପରି ମୃତ୍ୟୁ ମାମଲା ୬୯ ପ୍ରତିଶତ, ସୁରକ୍ଷା ବାହିନୀଙ୍କ ମୃତ୍ୟୁ ୭୨ ପ୍ରତିଶତ ଏବଂ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୬୮ ପ୍ରତିଶତ ହ୍ରାସ ଘଟିଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦକୁ ପାଣ୍ଠି ଯୋଗାଣ ଉପରେ ରୋକ ଲଗାଇବା ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମସ୍ତ ରାଜ୍ୟ ଏଜେନ୍ସି ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦର ପାଣ୍ଠି ଯୋଗାଣର ନେଟୱର୍କକୁ ଭାଙ୍ଗିବା ପାଇଁ ସମସ୍ତ ପ୍ରଭାବିତ ରାଜ୍ୟ ନାଗରିକ ଏବଂ ପୋଲିସ ପ୍ରଶାସନର ମିଳିତ ଟିମ୍ ଗଠନ କରି ପ୍ରୟାସ କରିବା ଆବଶ୍ୟକ। ମୋଦୀ ସରକାର ୨୦୧୭ରେ ବାମପନ୍ଥୀ ଉଗ୍ରବାଦ ପୀଡ଼ିତଙ୍କ ପାଇଁ ଅନୁକମ୍ପା ରାଶି ୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ, ଯାହାକୁ ଏବେ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମୋଦୀ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସଡ଼କ ନିର୍ମାଣ, ଟେଲିକମ୍, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ ଓ ଶିକ୍ଷା ଭଳି କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଶ୍ରୀ ଶାହା କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମୋଦୀ ସରକାର ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସସିଏ) ଯୋଜନା ଅଧୀନରେ ୧୪୦ରୁ ଅଧିକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୮୦% ରୁ ଅଧିକ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହି ଯୋଜନା ଅଧୀନରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟଗୁଡ଼ିକୁ ୩୨୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟଗୁଡ଼ିକର ସୁରକ୍ଷିତ ଥାନା ନିର୍ମାଣ, ରାଜ୍ୟ ଗୁଇନ୍ଦା ଶାଖା ଓ ସ୍ୱତନ୍ତ୍ର ବାହିନୀକୁ ସୁଦୃଢ଼ କରିବା ପାଇଁ ୯୯୨ କୋଟି ଟଙ୍କାର ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନା (ଏସଆଇଏସ୍) ପ୍ରକଳ୍ପ ମଞ୍ଜୁର କରାଯାଇଛି। ମୋଦୀ ସରକାର ପୂର୍ବ ତୁଳନାରେ ୯ ବର୍ଷରେ ପ୍ରାୟ ଦୁଇ ଥର ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ (ଏସଆରଇ) ବୃଦ୍ଧି କରିବାକୁ ପଦକ୍ଷେପ ନେଇଥିବା ସେ କହିଛନ୍ତି।

୨୦୦୫ରୁ ୨୦୧୪ ତୁଳନାରେ ୨୦୧୪ରୁ ୨୦୨୩ ମଧ୍ୟରେ ବାମପନ୍ଥୀ ଉଗ୍ରବାଦର ହିଂସାତ୍ମକ ଘଟଣାରେ ଉଲ୍ଲେଖନୀୟ ହ୍ରାସ ସମ୍ପର୍କିତ ତଥ୍ୟର ଝଲକ-

ବାମପନ୍ଥୀ ଉଗ୍ରବାଦ ସହ ଜଡ଼ିତ ସୁରକ୍ଷା ସଫଳତା

Categories
ବିଶେଷ ଖବର

ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ ସଂକ୍ରାନ୍ତରେ ସମୀକ୍ଷା କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହ ସଚିବ ତଥା ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି।

ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପ୍ରଶମନ ଦିଗରେ ରାଜ୍ୟର ପଦକ୍ଷେପକୁ ଗୃହମନ୍ତ୍ରୀ ସ୍ୱାଗତ  କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଦୃଷ୍ଟିକୋଣ ଅନୁରୂପ ଅଟେ।  ଅମିତ ଶାହ ଓଡିଶାକୁ ବିପର୍ଯ୍ୟୟ ସହନଶୀଳ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି।

୧୯୯୯ ର ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନାରେ ଅନେକ ଅଗ୍ରଗତି କରିଥିବାରୁ ଶ୍ରୀ ଅମିତ ଶାହ ରାଜ୍ୟର ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ । ସେ ପରାମର୍ଶ ଦେଇଛନ୍ତି ଯେ ଆପଦା ମିତ୍ର ଏବଂ ରାଜ୍ୟରେ ବିପର୍ଯ୍ୟୟ ଯୋଦ୍ଧାମାନଙ୍କୁ ବହୁମୁଖୀ ବିପର୍ଯ୍ୟୟ ପ୍ରଶିକ୍ଷଣ ଦିଆଯିବା ଉଚିତ, ବିଶେଷକରି ରସାୟନିକ ଏବଂ ଆଣବିକ ବିପର୍ଯ୍ୟୟ ଏବଂ ସେଭଳି ବିପର୍ଯ୍ୟୟର ମୁକାବିଲା ଯାହା ବିନା ଚେତାବନୀରେ ଘଟିଥାଏ । ହୋମ ଗାର୍ଡ ସ୍ୱେଚ୍ଛୋସେବୀମାନଙ୍କୁ ଦକ୍ଷ କରାଯିବା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମ ଦିଆଯିବା ଉଚିତ ବୋଲି ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାବାଦ୍‍ ରାଜ୍ୟରେ ପ୍ରତିଷ୍ଠିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା, ପ୍ରତିଷ୍ଠା କରିବା ପାଇଁ ବଜେଟ୍‌ରୁ ନିୟମିତ ଅର୍ଥ ପ୍ରଦାନ କରାଯିବା ଉଚିତ ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଜୋର ଦେଇଛନ୍ତି ଯେ ରାଜ୍ୟ ପ୍ରଶାସନ ଏସଓପି ଗୁଡିକୁ ଗ୍ରହଣ କରିବା ଉଚିତ ଏବଂ ବଜ୍ରପାତ, ଗ୍ରୀଷ୍ମ ପ୍ରଦାହ ଏବଂ ଜଙ୍ଗଲ ଅଗ୍ନିକାଣ୍ଡରୁ ଜୀବନ ରକ୍ଷା କରିବା ପାଇଁ ଉପଯୁକ୍ତ ପ୍ରସ୍ତୁତି ଏବଂ ନିରାକରଣ ପାଇଁ ପ୍ରୟାସ କରିବା ଉଚିତ । ବିପର୍ଯ୍ୟୟ ସମୟରେ ପଶୁମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ । ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ସମୟରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବାରୁ ଗୃହମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଗ୍ରାମ୍ୟ ସ୍ତରର ସ୍ୱେଚ୍ଛାସେବୀ ତଥା ସମଗ୍ର ରାଜ୍ୟ ପ୍ରଶାସନିକ କଳକୁ ପ୍ରଶଂସା କରିଛନ୍ତି ।

ବାମପନ୍ଥୀ ଉଗ୍ରବାଦ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ର ପଦକ୍ଷେପ ଅନୁରୂପ ଭିତ୍ତିଭୂମି ବିକାଶରେ ପୁଞ୍ଜି ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ବାମପନ୍ଥୀ ଉଗ୍ରବାଦକୁ ମୂଳପୋଛ କରିବା ପାଇଁ କେନ୍ଦ୍ରୀୟ ବାହିନୀର ସହାୟତା ନେଇ ସେ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି । ପ୍ରଭାବିତ ଅଞ୍ଚଳରେ ସଡକ ଏବଂ ଯୋଗାଯୋଗ ନେଟୱାର୍କକୁ ମଜବୁତ କରିବାରେ ବିଶେଷ କରି ସମସ୍ତ ଗ୍ରାମକୁ ଇଣ୍ଟରନେଟ୍ ସହିତ ସଂଯୋଗ କରିବାରେ ସେ ସମସ୍ତ ସମ୍ଭାବ୍ୟ ସମର୍ଥନକୁ ନିଶ୍ଚିତ କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆମେ ଯୋଗାଯୋଗ, ଶିକ୍ଷା ଏବଂ ରୋଜଗାରର ଅନୁପସ୍ଥିତି ଭଳି ସମସ୍ତ ସମସ୍ୟାର ସମାଧାନ କରିବା ଉଚିତ ଯାହାକି ଏଲଡବ୍ଲୁଇ ର ଅଭିବୃଦ୍ଧିରେ ସହାୟକ ହୋଇଥାଏ । ରାଜ୍ୟ ମଧ୍ୟ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ କଣ୍ଟ୍ରୋଲ ଦୋକାନ ପ୍ରତିଷ୍ଠା, ସଡକ ର୍ନିମାଣ ଏବଂ ବିଦ୍ୟୁତ୍‍ ଯୋଗାଣ ପାଇଁ ଅର୍ଥ ବିନିଯୋଗ ଉପରେ ବିଚାର କରିବା ଉଚିତ ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଉଗ୍ରବାଦ ବିରୋଧରେ ଦେଶବ୍ୟାପୀ ଜାରି ରହିଥିବା ସଂଘର୍ଷରେ ସୁରକ୍ଷା ବାହିନୀର ନିର୍ଣ୍ଣାୟକ ବିଜୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାମପନ୍ଥୀ ଉଗ୍ରବାଦ ମୁକ୍ତ ଭାରତ ପରିକଳ୍ପନା ଏବଂ ଆତଙ୍କବାଦ ବିରୋଧରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶୂନ୍ୟ ସହନଶୀଳତା ନୀତିକୁ କାର୍ଯ୍ୟକାରୀ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ବିଭିନ୍ନ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛନ୍ତି। ସେମାନେ ଦେଶବ୍ୟାପୀ ବାମପନ୍ଥୀ ଉଗ୍ରବାଦ ବିରୋଧୀ ଲଢ଼େଇକୁ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇଛନ୍ତି। ମାଓବାଦ ଓ ନକ୍ସଲବାଦ ବିରୋଧରେ ଜାରି ରହିଥିବା ଅନ୍ତିମ ପର୍ଯ୍ୟାୟ ନିର୍ଣ୍ଣାୟକ ଲଢ଼େଇରେ ସୁରକ୍ଷାବାହିନୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

ବାମପନ୍ଥୀ ଉଗ୍ରବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତିକୁ ସଫଳତା ମିଳିଛି। ପ୍ରଥମ ଥର ପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଥିବା ‘ବୁଢ଼ାପାହାଡ଼’ ଏବଂ ବିହାରର ସମ୍ପୂର୍ଣ୍ଣ ଅପହଞ୍ଚ ଇଲାକା ଚକ୍ରାବନ୍ଧ ଓ ଭୀମାବନ୍ଧକୁ ସୁରକ୍ଷାବାହିନୀ କବଜାକୁ ଆଣିବାରେ ସଫଳ ହୋଇଛନ୍ତି। ମାଓବାଦୀଙ୍କ ଗଡ଼ ଭୁଶୁଡ଼ିଛି ଏବଂ ସୁରକ୍ଷାବାହିନୀ ଏଠାରେ ସ୍ଥାୟୀ ଶିବିର ପ୍ରତିଷ୍ଠା କରିପାରିଛନ୍ତି। ଏସବୁ ଅଞ୍ଚଳ ଶୀର୍ଷ ମାଓନେତାଙ୍କ ଗଡ଼ ଥିଲା। ସୁରକ୍ଷା ବାହିନୀ ଦ୍ୱାରା ଏହି ତିନୋଟି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ବିଦେଶୀ ଗ୍ରେନେଡ, ଏରୋ ବୋମା ଏବଂ ଆଇଇଡି ଜବତ କରାଯାଇଛି।

୨୦୧୯ ପରଠାରୁ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଏକ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁରକ୍ଷା ଏଜେନ୍ସି ଏବଂ ଏମାନଙ୍କ ସହ ଜଡ଼ିତ ସଂସ୍ଥା ମିଶି ସମନ୍ୱିତ ଉଦ୍ୟମ ଏବଂ ଅଭିଯାନ ଆରମ୍ଭ କରିଥିଲେ। ଏହି ମିଳିତ ପ୍ରୟାସକୁ ଅଭୂତପୂର୍ବ ସଫଳତା ମିଳିଛି। ଦେଶରେ ଅନେକାଂଶରେ ବାମପନ୍ଥୀ ଉଗ୍ରବାଦର ପ୍ରଭାବ ହ୍ରାସ ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ନିର୍ଣ୍ଣାୟକ ସଫଳତା ପାଇଁ ସିଆରପିଏଫ ଏବଂ ରାଜ୍ୟ ସୁରକ୍ଷା ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି ଯେ, ବାମପନ୍ଥୀ ଉଗ୍ରବାଦ ଓ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଏହି ଲଢ଼େଇ ଆଗକୁ ଆହୁରି ସକ୍ରିୟ ତଥା ବ୍ୟାପକ ହେବ।

୨୦୨୨ରେ ବାମପନ୍ଥୀ ଉଗ୍ରବାଦୀଙ୍କ ବିରୋଧରେ ଆରମ୍ଭ କରାଯାଇଥିବା ଅପରେସନ ଅକ୍ଟୋପସ, ଅପରେସନ ଡବଲ ବୁଲ, ଅପରେସନ ଚକ୍ରାବନ୍ଧ ଜରିଆରେ ସୁରକ୍ଷାବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି। ଛତିଶଗଡ଼ରେ ୭ ମାଓବାଦୀ ନିହତ ହୋଇଛନ୍ତି ଏବଂ ୪୩୬ ଜଣ ମାଓବାଦୀଙ୍କ ଗିରଫଦାରୀ/ଆତ୍ମସମର୍ପଣ ହୋଇଛି। ଝାଡ଼ଖଣ୍ଡରେ ୪ ମାଓବାଦୀ ନିହତ ହୋଇଥିବାବେଳେ ୧୨୦ ମାଓବାଦୀ ଗିରଫ ହୋଇଛନ୍ତି କିମ୍ବା ଆତ୍ମସମର୍ପଣ କରିଛନ୍ତି। ବିହାରରେ ୩୬ ମାଓବାଦୀଙ୍କ ଗିରଫଦାରୀ/ ଆତ୍ମସମର୍ପଣ ହୋଇଥିବା ସୁରକ୍ଷାବାହିନୀ ପକ୍ଷରୁ ସୂଚନା ମିଳିଛି। ସେହିପରି ମଧ୍ୟପ୍ରଦେଶରେ ସୁରକ୍ଷାବାହିନୀ ଦ୍ୱାରା ନିହତ ହୋଇଛନ୍ତି ୩ ମାଓବାଦୀ। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ ମାଓବାଦୀଙ୍କ ମୁଣ୍ଡ ଉପରେ ଥିଲା ଲକ୍ଷ ଲକ୍ଷ, କୋଟି  କୋଟି ଟଙ୍କାର ପୁରସ୍କାର ରାଶି। ଏମାନଙ୍କ ମଧ୍ୟରେ ଥିଲେ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଥିବା ମିଥିଲେଶ ମାହତୋ ଭଳି କୁଖ୍ୟାତ ମାଓବାଦୀ।

ଏସବୁ ଅପରେସନକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପଦକ୍ଷେପ କାରଣରୁ ବିହାରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ସୁରକ୍ଷା କ୍ଷେତ୍ରରେ ରହିଥିବା ଶୂନ୍ୟସ୍ଥାନ ଭରଣା କରାଯାଇପାରିଛି ଏବଂ ଏସବୁ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦୀମାନଙ୍କ ଗଡ଼ ଭୁଶୁଡ଼ିଛି। ଏହି ରଣନୀତିକୁ ଅନୁସରଣ କରି, ଅନ୍ୟ ରାଜ୍ୟରେ ମଧ୍ୟ ସୁରକ୍ଷାବାହିନୀର ସ୍ଥିତି ସୁଦୃଢ଼ ହୋଇଛି। ମାଓ ହିଂସା ଘଟଣା ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରବଣ ଭୌଗଳିକ କ୍ଷେତ୍ରର ପରିସୀମା ହ୍ରାସ ପାଇଛି।

୨୦୧୮ ତୁଳନାରେ ବାମପନ୍ଥୀ ଉଗ୍ରବାଦ ଜନିତ ହିଂସା ଘଟଣା ୩୯% ହ୍ରାସ ପାଇବା ସୁରକ୍ଷାବାହିନୀର ଏହି ଲଢ଼େଇ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଥିବାର ପ୍ରମାଣ ଦେଉଛି। ସୁରକ୍ଷାବାହିନୀର ବଳିଦାନ ଘଟଣାରେ ୨୬% ହ୍ରାସ ପାଇଛି। ନାଗରିକଙ୍କ ମୃତ୍ୟୁ ଘଟଣା ୪୪% କମିଥିବା ବେଳେ ମାଓହିଂସା ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୪% ହ୍ରାସ ପାଇବା ସହ ୨୦୨୨ରେ ଏଭଳି ଜିଲ୍ଲା ସଂଖ୍ୟା ୩୯କୁ କମିଛି।

୨୦୧୪ ତୁଳନାରେ ମାଓବାଦୀ ହିଂସା ଘଟଣା ୭୭ ପ୍ରତିଶତକୁ ହ୍ରାସ ପାଇଛି। ୨୦୦୯ରେ ଏଭଳି ୨୨୫୮ଟି ହିଂସା ଘଟଣା ଘଟିଥିଲା ଯାହାକି ୨୦୨୧ରେ ୫୦୯କୁ ହ୍ରାସ ପାଇଛି। ହିଂସାଜନିତ ମୃତ୍ୟୁ ହାର ମଧ୍ୟ ୮୫ ପ୍ରତିଶତ କମିଛି। ୨୦୧୦ରେ ମାଓ ହିଂସା ଜନିତ ମୃତ୍ୟୁ ସଂଖ୍ୟା ୧୦୦୫ ଥିଲା ଯାହାକି ୨୦୨୧ରେ ୧୪୭କୁ ହ୍ରାସ ପାଇଛି। ୨୦୧୦ରେ ଦେଶରେ ୯୬ଟି ମାଓ ପ୍ରଭାବିତ ଜିଲ୍ଲା ଥିବା ବେଳେ ୨୦୨୨ରେ ଏହା ମାତ୍ର ୩୯କୁ ହ୍ରାସ ପାଇଛି।