ପୁରୀ: ସାମାନ୍ୟ ବଚସାରୁ ଭୟଙ୍କର ହତ୍ୟାକାଣ୍ଡ। ନିଶାସକ୍ତ ଯୁବକଙ୍କ ଗଣ୍ଡଗୋଳ ରୋକିବାକୁ ଯାଇ ଜୀବନ ହରାଇଲେ ଜଣେ ନିରୀହ ଯୁବକ। ମଦ ବୋତଲରେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଛି। ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଉଆଁସଡିହ ଛକ ନିକଟରେ ଘଟିଛି ଏଭଳି ଛାତିଥରା ଘଟଣା। ମୃତକ ହେଉଛନ୍ତି ସତ୍ୟବାଦୀ ଥାନା ଅନ୍ତର୍ଗତ କାଞ୍ଜିଆ ଗାଁର ଜଣେ ଯୁବକ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଉଆଁସଡିହ ଛକରେ ତିନିଜଣ ଯୁବକ ନିଶାସକ୍ତ ଅବସ୍ଥାରେ କୌଣସି କଥାକୁ ନେଇ ଗଣ୍ଡଗୋଳ କରୁଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳର ନହୋଇ ବାହାରୁ ଆସିଥିବା ଜଣାପଡ଼ିଛି। ରାସ୍ତାକଡ଼ରେ ଏଭଳି ଗଣ୍ଡଗୋଳ ଦେଖି ସ୍ଥାନୀୟ ଯୁବକ ଜଣକ ମାମଲା ଶାନ୍ତ କରିବାକୁ ଆଗକୁ ଆସିଥିଲେ। ଉଦ୍ଦେଶ୍ୟ ଥିଲା ଝଗଡ଼ା ବନ୍ଦ କରିବା ଓ ପରିସ୍ଥିତିକୁ ଶାନ୍ତ କରିବା। କିନ୍ତୁ ତାଙ୍କର ଏହି ଉଦ୍ୟମ ଶେଷରେ ତାଙ୍କ ଜୀବନ ନେଇଗଲା।
କଥା କଟାକଟିରୁ ପରିସ୍ଥିତି ଧୀରେ ଧୀରେ ଉଗ୍ର ରୂପ ନେଇଥିଲା। ଏହି ସମୟରେ ଜଣେ ନିଶାସକ୍ତ ଯୁବକ ଉତ୍ତ୍ୟକ୍ତ ହୋଇ ମଦ ବୋତଲରେ ସ୍ଥାନୀୟ ଯୁବକଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ସେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଜଣେ ଗିରଫ, ଦୁଇ ଅଭିଯୁକ୍ତ ଫେରାର
ଏହି ହତ୍ୟାକାଣ୍ଡ ପରେ ଉଆଁସଡିହ ଛକ ଓ ଏହାର ଆଖପାଖ ଅଞ୍ଚଳରେ ଉତ୍ତେଜନା ବଢ଼ିଯାଇଛି। ଖବର ପାଇ ସତ୍ୟବାଦୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅନ୍ୟ ଦୁଇଜଣ ଘଟଣା ପରଠାରୁ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି।
ସାମାନ୍ୟ ଗଣ୍ଡଗୋଳକୁ ଶାନ୍ତ କରିବାକୁ ଯାଇ ଜଣେ ଯୁବକଙ୍କ ଜୀବନ ଚାଲିଯିବା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ନିଶାସକ୍ତ ଅବସ୍ଥାରେ ଏଭଳି ହିଂସାତ୍ମକ ଆଚରଣକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।


