ନୂଆଦିଲ୍ଲୀ: ଲଣ୍ଡନ ଅଲିମ୍ପିକ୍ସ ପଦକ ବିଜେତା ଗଗନ ନାରଙ୍ଗ ଏବଂ ଭାରତୀୟ ତୀରନ୍ଦାଜି ସଂଘର ବୀରେନ୍ଦ୍ର ସଚଦେବା ଅନ୍ତିମ ଦିନରେ ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହା ସହିତ ଏହି ଦୁଇଜଣ ଭାରତୀୟ ବାଡ଼ଯୁଦ୍ଧ ସଂଘର ରାଜୀବ ମେହେଟ୍ଟାଙ୍କ ସହ ଏହି ଶୀର୍ଷ ପଦ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହୋଇଛନ୍ତି। ରାଜୀବ ମେହେଟ୍ଟା ଦିନକ ପୂର୍ବରୁ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ବର୍ତ୍ତମାନର ସଭାପତି ତଥା ପୂର୍ବତନ ଦୌଡ଼କୁଦ ତାରକା ପିଟି ଉଷା ସମୟସୀମା ଶେଷ ହେବା ମଧ୍ୟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି।
ଭାରତୀୟ ଆଇସ୍ ହକି ସଂଘ ପକ୍ଷରୁ ମହିଳା ପ୍ରତିନିଧି ଭାବେ ମନୋନୀତ ହେବା ପରେ ପିଟି ଉଷା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାର ସୁଯୋଗ ପାଇଥିଲେ। ଏହା ପୂର୍ବରୁ ସେ ଉତ୍କୃଷ୍ଟ କୃତିତ୍ୱ ଥିବା କ୍ରୀଡ଼ାବିତ୍ ବର୍ଗରେ ପ୍ରତିଯୋଗିତା କରିଥିଲେ ମଧ୍ୟ ଶ୍ରେଷ୍ଠ ଚାରିଜଣଙ୍କ ମଧ୍ୟରେ ସ୍ଥାନ ପାଇପାରିନଥିଲେ ଏବଂ ପଞ୍ଚମ ସ୍ଥାନରେ ରହିଥିଲେ। ପିଟି ଉଷା ଏହି ପ୍ରକ୍ରିୟାରୁ ଦୂରେଇ ରହିବା ଫଳରେ ଡିସେମ୍ବର ୫ ତାରିଖରେ ହେବାକୁ ଥିବା ନିର୍ବାଚନ ପରେ ଭାରତୀୟ ଅଲିମ୍ପିକ୍ ସଂଘ ଜଣେ ନୂଆ ସଭାପତି ପାଇବ। ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିନରେ ପୂର୍ବତନ କ୍ରୀଡ଼ାବିତ୍ ଅଞ୍ଜୁ ବବି ଜର୍ଜ ଉପସଭାପତି ପଦ ପାଇଁ, ସୁନୈନା କୁମାରୀ ଯୁଗ୍ମ ସମ୍ପାଦକ (ମହିଳା) ଏବଂ ଅମିତାଭ ଶର୍ମା ଯୁଗ୍ମ ସମ୍ପାଦକ (ପୁରୁଷ) ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଟେବଲ୍ ଟେନିସ୍ ଖେଳାଳି କମଲେଶ ମେହେଟ୍ଟା କୋଷାଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ମଇଦାନରେ ରହିଛନ୍ତି।


